ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକରେ ଆସନ୍ତା ଅଗଷ୍ଟ ୮ ସୋମବାର ଦିନ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ହେବ । ଏନେଇ ବ୍ଲକ୍ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗତ ୨୦୨୦ ଓ ୨୦୨୧ ଦୁଇ ବର୍ଷ ଧରି କରୋନା କଟକଣା ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବନ୍ଦ ହୋଇ ପଡିଥିଲା । କଳାହାଣ୍ଡିର ତତ୍କାଳୀନ ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ୍ ୨୫ ଅପ୍ରେଲ ୨୦୨୨ରେ ନର୍ଲା ବ୍ଲକରେ ଶେଷଥର ପାଇଁ ଅଭିଯୋଗ ଶୁଣାଣୀ କରିଥିଲେ । ବିଭିନ୍ନ ଅଭିଯୋଗ ଗୁଡିକ ଉପରେ ୨୦୦ରୁ ଉର୍ଦ୍ଧ୍ବ ଅଭିଯୋଗ ପତ୍ର ପଡିଥିଲା । କଳାହାଣ୍ଡି ଜିଲ୍ଲାରେ ନୂଆ ଜିଲ୍ଲାପାଳ ଭାବରେ ପି. ଅନ୍ୱେଶା ରେଡ୍ଡି ଯୋଗଦାନ କରିବା ପରେ ନର୍ଲାରେ ଏହା ତାଙ୍କର ପ୍ରଥମ ଅଭିଯୋଗ ଶୁଣାଣୀ । ନର୍ଲାରେ ମଧ୍ୟ ନୂଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ବାସନ୍ତୀ ସେଠୀ ଗତ ସପ୍ତାହରେ ଯୋଗଦାନ କରିଛନ୍ତି। କରୋନା ପରେ ପରେ ନର୍ଲା ବ୍ଲକରେ ଦ୍ୱିତୀୟ ଥର ପାଇଁ ହେବାକୁ ଯାଉଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ପାଇଁ ନର୍ଲା ବ୍ଲକ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶନିବାର ଦିନ ଏଥିପାଇଁ ଡାକବାଜୀ ଯନ୍ତ୍ର ଯୋଗେ ନର୍ଲା ବ୍ଲକ୍ ସାରା ଅଭିଯୋଗ ଶୁଣାଣୀ ସମ୍ବନ୍ଧୀୟ ପ୍ରଚାର କରାଯାଉଥିବା ଦେଖିବାକୁ ମିଳିଛି । ନର୍ଲା ବ୍ଲକର ସମସ୍ତ ୨୬ ଗୋଟି ଗ୍ରାମ ପଞ୍ଚାୟତକୁ ମଧ୍ୟ ଏଥିପାଇଁ ସୂଚନା ପ୍ରଦାନ କରାଯାଇଥିବା ନର୍ଲା ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କ୍ଷୀତିଶ ଚନ୍ଦ୍ର ନାଏକ ସୂଚନା ଦେଇଥିବା ବେଳେ ନର୍ଲା ବିଡିଓ ଶ୍ରୀମତୀ ସେଠୀଙ୍କ ନେତୃତ୍ୱରେ ନର୍ଲା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାମଲ ଜିପିଇଓ ଶ୍ରୀ ନାଏକ, ନର୍ଲା ସେକ୍ସନ ଅଫିସର ଦିଗ ପଧାନ ପ୍ରମୁଖ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ରେ କିପରି ଭାବରେ ନର୍ଲା ବ୍ଲକ ଅଞ୍ଚଳର ଅଧିକରୁ ଅଧିକ ଜନସାଧାରଣ ଉପକୃତ ହେବେ ସେଥିନେଇ ପ୍ରସ୍ତୁତିରେ ଲାଗି ପଡିଥିବା ଜଣାପଡିଛି ।