ପାରମ୍ପରିକ ପର୍ବ ନୂଆଖାଇରେ ପୂଜା ପାଆନ୍ତି ପୂର୍ବ ପୁରୁଷ

ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର (କାମିନୀ ରଞ୍ଜନ ପାଣ୍ଡେ): ନୂଆ ଧାନରେ ନୂଆଖାଇ, ନୂଆ ପୋଷାକ ପିନ୍ଧି ପରିବାର ସହିତ ପୂର୍ବପୁରୁଷଙ୍କ ଆବାହନ କରି ସେମାନଙ୍କୁ ଡୁମା ଦେବତାର ସମ୍ମାନ ଦେଇ ପୂଜାର୍ଚନା କରିବା ଓ ଆଶୀର୍ବାଦ ପାଇବା କେଉଁ ଏକ ଅବାହମାନ କାଳରୁ ଚାଲି ଆସୁଛି ଓ ଆଜି ପର୍ଯ୍ଯନ୍ତ ଏହା ଏକ ମୁଖ୍ୟ ପର୍ବ ରୂପେ ସମଗ୍ର ପଶ୍ଚିମ ଓଡ଼ିଶା ତଥା ନବରଙ୍ଗପୁର ଜିଲ୍ଲାର ଅନେକାଂଶରେ ପାଳନ କରିବା ଦେଖାଯାଏ । ତେବେ ଏହି ପର୍ବ ପାଳନ ହେଉଛି ମୂଳନିବାସୀ ଅଧିବାସୀଙ୍କ ଏକ ପୁରୁଷାନୁକ୍ରମିକ ପର୍ବ । ଏହି ପର୍ବ ବର୍ଷକୁ ଥରେ ଭାଦ୍ରବ ମାସର ଶୁକ୍ଳ ପକ୍ଷ ଓ କୃଷ୍ଣ ପକ୍ଷରେ ଏକ ଶୁଭ ମୁହୁର୍ତ୍ତରେ ନୂଆଖାଇ ପର୍ବ ପାଳନ କରାଯାଉଥିଲା । ଏହା ଗ୍ରାମର ଅଧିବାସୀମାନେ ନିଜ ନିଜ ଗାଁର ନାମ ପାଞ୍ଜି ଅନୁସାରେ ଶୁଭ ଲଗ୍ନ ନିର୍ଣ୍ଣୟ କରି ଦିନ ଧାର୍ଯ୍ୟ ହେଲା ପରେ ଉକ୍ତ ଦିନ ପରିବାରର ମୁଖ୍ଯ ନିଜ ପରିବାରର ଇଷ୍ଟ ବା ଡୁମା ଦେବତା ପେଣି ପୁରୁଷାକୁ ନୂଆ ଧାନରୁ ନୂଆ ଚୁଡ଼ା ପ୍ରସ୍ତୁତ କରି ଅର୍ପଣ କରି ଅବଶିଷ୍ଟକୁ ନୂଆ ଚୁଡ଼ା ସହ ଗୁଡ଼ ଗଜମୁହାଁ ସହିତ ମିଶାଇ କୁରେଇ ପତ୍ରରେ ବାଣ୍ଟି ଏକତ୍ରିତ ହୋଇ ନବାନ୍ନ ଭକ୍ଷଣ କରିଥାନ୍ତି । ପ୍ରଥମେ ପରିବାରର ମୁଖ୍ଯ ନବାନ୍ନକୁ ଗୃହପାଳିତ ପଶୁ ପକ୍ଷୀଙ୍କୁ ନବାନ୍ନ ପ୍ରଦାନ କରି ପରେ ପରିବାରର ଛୋଟ ଛୋଟ ସ୍ନେହର ବାଳକ ବାଳିକା ମାନଙ୍କୁ ଖୁଆଇ ପରିବାରର ସଦସ୍ୟଙ୍କ ସହ ମିଶି ଆନନ୍ଦରେ ଭକ୍ଷଣ କରିଥାନ୍ତି । ଭିନ୍ନ ଏକ ଦିଗରୁ ଦୃଷ୍ଟି ରଖି ଏହି ପର୍ବ ପାଳନର ମହତ୍ତ୍ୱକୁ ଅବଲୋକନ କଲେ ଏହା ଏ ଅଞ୍ଚଳର ଚଷା ପୁଅର ନୂଆବର୍ଷ କହିଲେ ଅତ୍ୟୁକ୍ତି ହେବନାହିଁ । ମୁଣ୍ଡଝାଳ ତୁଣ୍ଡରେ ମାରି ଦେହର ରକ୍ତକୁ ଝାଳ ରୂପେ ବୁହାଇ କେତେ କଷ୍ଟରେ ଅନ୍ନ ଉପୁଜାଇ ଥାଏ ଓ ଏହି ଅନ୍ନ ପ୍ରଥମ କରି ଭାଦ୍ରବ ମାସରେ ହିଁ ଅମଳ କରିଥାଏ । ତେବେ ଏହି ଅନ୍ନକୁ ଭକ୍ଷଣ କରିବା ପାଇଁ ଏକ ଶୁଭ ମୁହୁର୍ତ୍ତ ବାହାର କରି ପ୍ରଥମେ ନିଜର ପୂର୍ବ ପୁରୁଷମାନଙ୍କୁ ଆବାହନ କରି ପୂଜାର୍ଚ୍ଚନା କରି ନବ ବସ୍ତ୍ର ପରିଧାନ କରି ଅନ୍ନ ସମର୍ପଣ କରି ଖାଇବାକୁ ଏକ ସମାରୋହ ଆୟୋଜନ କରିଥାନ୍ତି । ଏହା ନୂଆ ଧାନରୁ ପ୍ରସ୍ତୁତ ଖାଦ୍ୟ ହୋଇଥିବାରୁ ଏହା ନୂଆଖାଇ ରୂପେ ବିଦିତ ।

କେତେକ ସ୍ଥାନରେ ଲୋକମାନେ ନୂଆଖାଇ ଦିନ ନିଜର ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୁରୁଷାପତି ଦେବତା ଡୁମାକୁ ନୂଆଖାଇ ଦିନ କୁକୁଡ଼ା ବଳି ଦେଇ ନବାନ୍ନ ଭକ୍ଷଣ କରିଥାନ୍ତି । ଏହା ଅନେକ କାଳରୁ ଚାଲି ଆସୁଛି । କୁହଯାଏ ନୂଆ ଧାନ ଅମଳ ପରେ ଏହାର ଭକ୍ଷଣ ପରେ ଶରୀରକୁ ସୁସ୍ଥସବଳ ସୁଖଶାନ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଦେବାଦେବୀଙ୍କ ପୂଜାର୍ଚନା କରାଯାଇ ଥାଏ । ପଶ୍ଚିମ ଓଡିଶାରେ ମା ସମଲେଇଙ୍କୁ ଅର୍ପଣ କରି ନବାନ୍ନ ଭକ୍ଷଣ କରାଯାଇଥାଏ । ସେହିଭଳି ପଡ଼ୋଶୀ ଛତିଶଗଡ଼ର ଦେଓଭୋଗ ମେନପୁର ବ୍ଲକରେ ମଧ୍ୟ ଏହି ନୂଆଖାଇ ପର୍ବ ବିଶେଷକରି ପାଳନ କରାଯାଇଥାଏ । ଇତିପୂର୍ବରୁ ନୂଆଖାଇ ପର୍ବ ମନଇଚ୍ଛା ଭାଦ୍ରବ ମାସ ସାରା ପାଳନ କରଯାଉଥିଲା କିନ୍ତୁ ଏହା କାଳ କ୍ରମେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ପଦବୀ ସମ୍ଭାଳି ଶାସନ କରିବା ସମୟରେ ତତ୍କାଳୀନ ଓଡ଼ିଶାର ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ପଦବୀରେ ଥିଲାବେଳେ ପାନାବେଡା ର ଗର୍ବ ଓ ଗୌରବ ସ୍ଵର୍ଗତ ଯାଦବ ମାଝୀ ରୁଷି ପଞ୍ଚମୀ ଦିନ ହିଁ ନୂଆଖାଇ ପର୍ବ ପାଳନ ଓ ତାହାର ଛୁଟୀ ଘୋଷଣା ପୂର୍ବକ ଉକ୍ତଦିନଟିକୁ ପଞ୍ଜିକାରେ ନୂଆଖାଇ ପର୍ବ ଦିନ ବୋଲି ଗଣନା କରାଯାଉ ବୋଲି ଦାବୀ ରଖିଥିଲେ । ସେହି ଦିନରୁ ହିଁ ଏହି ପର୍ବ ଭାଦ୍ରବ ଶୁକ୍ଳ ପଞ୍ଚମୀ ଦିନ ଏହା ନୂଆଖାଇ ପର୍ବ ପାଳନ ଚାଲି ଆସୁଛି । ନୂଆଖାଇ ଯେ ଏକ ଗଣପର୍ବ ତାହା ନୁହଁ ଏହିପର୍ବ ଏ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ପାଇଁ ଏକ ସାମୁହିକ ଏକତାର ରକ୍ଷାର ଏକ ଭାଇଚାରାର ପର୍ବ । ନିଜ ନିଜ ମଧ୍ୟରେ କୌଣସି ପ୍ରଭେଦ, ମତଭେଦ ଥିଲେ ଲୋକେ ଉକ୍ତଦିନ ସବୁକିଛି ଭୁଲିଯାଇ ପରସ୍ପର ପ୍ରତି ସମ୍ମାନ ଜଣାଇ ମିଳିତ ହୋଇ ପର୍ବରେ ସାମିଲ ହୋଇ ଯାଆନ୍ତି ଓ ତା ଆର ଦିନ ନୁଆଖାଇ ବାସୀ ମନାଇ ମଦ ମାଂସ ଖାଇ ନାଚ ଗୀତରେ ମସଗୁଲ ହୋଇଯାଆନ୍ତି । ଏହା ବଞ୍ଚିଥିଲେ ଏହି ସୌଭାଗ୍ୟ ଥରେ ମିଳିଥାଏ ଓ ଜୀବନ ଥିବାରୁ ଏ ନୂଆଖାଇ ପର୍ବ ଆମ ଭାଗ୍ୟରେ ଜୁଟିଛି ବୋଲି ପରସ୍ପର ମଧ୍ୟରେ ଖୁସି ମନାଇ ଏହି ପର୍ବ ପାଳନ କରିଥାନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.