ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଜଗଦୀଶ ଚନ୍ଦ୍ର ଦୋରାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଶିକ୍ଷକ ଜଗଦୀଶ ଚନ୍ଦ୍ର ଦୋରାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଶୁକ୍ରବାର ରାୟଗଡା ଜିଲ୍ଲାର ବୀରନାରାୟଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟର ବରିଷ୍ଠ ପରାମର୍ଶଦାତା ସଂଜୀବ କୁମାର ପାଢ଼ୀ ମୁଖ୍ୟ ଅତିଥି, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ନିଳାଞ୍ଚଳ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାବେଳେ ବିଦ୍ୟାଳୟ ଅଧ୍ୟକ୍ଷ ସିବାରାଓ କଣ୍ଡାଗରୀ, ପ୍ରଧାନ ଶିକ୍ଷୟିତ୍ରୀ ମାଙ୍ଗିଳି ତାଡ଼ିଙ୍ଗି ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜଗଦୀଶ ଚନ୍ଦ୍ର ଦୋରା ମଞ୍ଚାସୀନ ଥିଲେ । ଶ୍ରୀ ପାଢ଼ୀ ଜଗଦୀଶ ଚନ୍ଦ୍ର ଦୋରାଙ୍କ ଆଦର୍ଶ ଉପରେ ଆଲୋକପାତ କରିବା ସହ ବିଦ୍ୟାଳୟ ଓ ପିଲାଙ୍କ ଶିକ୍ଷା କ୍ଷେତ୍ରରେ ଶ୍ରୀ ଦୋରାଙ୍କ ଅବଦାନ ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥିବୃନ୍ଦ ସୂର୍ଯ୍ୟନାରାୟଣ ବିଶୋଇ, ଶରତ କୁମାର ତ୍ରିପାଠୀ, ସିଆରସିସି ବି. ମଧୁସୂଦନ, ଏଲ. ସତିଶ କୁମାର, ବିଦ୍ୟାଳୟର ଶିକ୍ଷକ ଶିକ୍ଷତିତ୍ରୀ ମଧୁସ୍ମିତା ବେହେରା, ମେଙ୍କମୟୀ ଦାସ, ରଞ୍ଜିତା ମିଶ୍ର, ମନୋରଞ୍ଜନ ମିଶ୍ର, ବସନ୍ତ କୁମାର ମହନ୍ତ, ବିଦ୍ୟାଳୟ କମିଟି ଉପଦେଷ୍ଟା କ୍ରୀଷ୍ଣା କଣ୍ଡାଗରି, ସମିତି ସଭ୍ୟା ତଥା ବିଦ୍ୟାଳୟ ଉପାଧ୍ୟକ୍ଷା ସଂଯୁକ୍ତା ସାରାକା, ପଦ୍ମା କଣ୍ଡାଗରି, ନାମଦେବ ମାଣ୍ଡାଙ୍ଗି ଓ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ପାତ୍ର ପ୍ରମୁଖ ଏକ ଆଦର୍ଶ ବିଦ୍ୟାଳୟ ଗଠନରେ ଶ୍ରୀ ଦୋରାଙ୍କ ଅବଦାନ ବିଷୟରେ ଉପସ୍ଥାପନା କରିଥିଲେ । ତାଙ୍କ ଦଳଗତ ପ୍ରୟାସ ଓ ଅକ୍ଲାନ୍ତ ପରିଶ୍ରମ ଫଳରେ ବିଦ୍ୟାଳୟ ଅନେକ ପୁରସ୍କାରରେ ସମ୍ମାନିତ ହେବାସହ ବିଦେଶୀ ଭାରତୀୟଙ୍କ ସହଯୋଗ ଦ୍ୱାରା କରୋନା କଟକଣା ସମୟରେ ଅନ୍ ଲାଇନ୍ ମାଧ୍ୟମରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ର, ଛାତ୍ରୀ ଶିକ୍ଷା ପ୍ରାପ୍ତ କରିପାରିଛନ୍ତି ।

ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଏ କମ୍ପ୍ୟୁଟର ଓ ଇଣ୍ଟରନେଟ ମାଧ୍ୟମରେ ଶିକ୍ଷା ଗ୍ରହଣ ସହ ସୁନ୍ଦର ବିଦ୍ୟାଳୟ ପରିବେଶ, ବୃକ୍ଷ ରୋପଣ, ବିଭିନ୍ନ ସରକାରୀ ଓ ବେସରକାରୀ ବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହେବା ପଛରେ ଶ୍ରୀ ଦୋରାଙ୍କ ଅଦମ୍ୟ ପ୍ରଚେଷ୍ଟା ଥିବା ସଭିଏଁ ପ୍ରକାଶ କରିଥିଲେ । ବିଦାୟ ସମୟରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ତଥା କମିଟି ସଦସ୍ୟଙ୍କ ମଧ୍ୟରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗତ ଏକ ମାସ ବ୍ୟବଧାନରେ ବିଦ୍ୟାଳୟକୁ ନିଜ ପରିବାର ଭଳି ଯତ୍ନ ଓ ସ୍ନେହ କରୁଥିବା ସନ୍ଧ୍ୟା ରାଣୀ ପାତ୍ର ଓ ଜଗଦୀଶ ଚନ୍ଦ୍ର ଦୋରାଙ୍କ ଅବସର କାଳୀନ ବିଦାୟ ଗ୍ରାମବାସୀ ତଥା ଶିକ୍ଷକଙ୍କ ମହଲରେ ସାଧାରଣରେ ଏକ ଦୁଃଖଦ ପରିବେଶ ସୃଷ୍ଟି କରିଥିଲା । ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଜଗଦୀଶ ଚନ୍ଦ୍ର ଦୋରାଙ୍କ ଭଳି ଜଣେ ଆଦର୍ଶ, ଦକ୍ଷତା ସମ୍ପନ୍ନ, ଶୃଙ୍ଖଳ ଓ ସମ୍ବଳ ଶିକ୍ଷକଙ୍କ ଅବସର ଶିକ୍ଷା ବିଭାଗ ନିମନ୍ତେ ଏକ ଅପୂରଣୀୟ କ୍ଷତି ବୋଲି ଜିଲ୍ଲା ଶିକ୍ଷକ ସଂଘ ସମ୍ପାଦକ ନିଳାଞ୍ଚଳ ମିଶ୍ର ମତବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.