ବିଶ୍ବବିଜୟୀ ଦାଶ
ଓଡ଼ିଶାର ବରିଷ୍ଠ ରାଜନେତା, ଧାମନଗରର ବିଧାୟକ ତଥା ଓଡ଼ିଶା ବିଧାନସଭାର ବିରୋଧିଦଳ ଉପନେତା, ସୁବକ୍ତା, ସୁସାହିତ୍ୟିକ, ବାଗ୍ମୀ ବିଷ୍ଣୁ ଚ଼ରଣ ସେଠୀ । ସେ ୧୯୬୧ ମସିହାର ଜୁନ ମାସ ୫ ତାରିଖରେ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ୍ ଅନ୍ତର୍ଗତ ମଙ୍ଗରାଜପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ଗୟାଧର ସେଠୀ । ବିଷ୍ଣୁ ଚରଣ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ । ଯୁବାବସ୍ଥାରେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହ ଜଡ଼ିତ ହେବା ପରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ବି ସକ୍ରିୟ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ରାଜନୀତି କ୍ଷେତ୍ରକୁ ଆସିଥିଲେ । ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ ଚାକିରୀରେ ଯୋଗ ନ ଦେଇ ସେ ଜନସେବାରେ ବ୍ରତୀ ହୋଇଥିଲେ । ବିରୋଧି ଦଳ ଉପନେତା ଭାବରେ ବିଧାନସଭାରେ ସେ ଦୁଇଥର ବିଧାୟକ ଭାବରେ ଧାମନଗର ବିଧାନସଭା କ୍ଷେତ୍ର ସହିତ ସମଗ୍ର ଓଡ଼ିଶାରେ ତାଙ୍କର କାର୍ଯ୍ୟ ଓ ଦକ୍ଷତା ପାଇଁ ଅତ୍ୟନ୍ତ ଲୋକପ୍ରିୟ ଥିଲେ ।
ରାଜନୀତି ବ୍ୟତୀତ ସେ ସାମାଜିକ ଓ ସାହିତ୍ୟ କ୍ଷେତ୍ରରେ ମଧ୍ୟ ନିଜକୁ ସମର୍ପିତ କରି ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ । ତାଙ୍କର ରଚନା ମାଧ୍ୟମରେ ସାହିତ୍ୟିକ ମହଲରେ ମଧ୍ୟ ସେ ବେଶ ଲୋକପ୍ରିୟ ଥିଲେ । ସେ ଶିରୋନାମା ଶିରୋଧାର୍ଯ୍ୟ, ନିର୍ମାୟା ଆକାଶ ତଳେ, ନିଶ୍ୱାସ ମାଟିର ସ୍ୱର ଭଳି ପୁସ୍ତକର ରଚନା କରିଥିଲେ । ସେ ତୈମାସିକ ସାହିତ୍ୟ ପତ୍ରିକା ଘାସଫୁଲର ସଂପାଦକ ଭାବରେ ମଧ୍ୟ ଲୋକପ୍ରିୟତା ଅର୍ଜନ କରିଥିଲେ ।ସେହି ସେହ୍ନୀ, ମେଳାପୀ, ଆମାୟିକ ବ୍ୟକ୍ତିତ୍ବ ଓ ଦକ୍ଷ ସଂଗଠକ ବିଷ୍ଣୁ ସେଠୀଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ତାଙ୍କ ବିୟୋଗ ଓଡ଼ିଶା ରାଜନୀତି ଓ ସାହିତ୍ୟ ଜଗତ ପ୍ରତି ଅପୂରଣୀୟ କ୍ଷତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି । ଏହି ସମୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ପରିବାରବର୍ଗଙ୍କୁ ଅସୀମ ସାହାସ ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ ।
“ଜାତସ୍ୟ ହିଁ ଧ୍ରୁବ ମୃତ୍ୟୁ” । ମୃତ୍ୟୁଟା ଅତ୍ୟନ୍ତ ବାସ୍ତବ ଏବଂ ଧ୍ରୁବ ସତ୍ୟ ।ଜନ୍ମ ଏବଂ ମୃତ୍ୟୁ ବିଧି ଅଭିପ୍ରେତ ।କାଳଜୟୀ ପୁରୁଷ ମୃତ୍ୟୁର କଠୋରତା ମଧ୍ୟରେ ଅବଲୀନ ହେଲେ ମଧ୍ୟ ତାର ସାଧନା, ସିଦ୍ଧି ଏବଂ ସୁକୃତ ପାଇଁ ସେ ଯେପରି ଅମର ରହେ, ବିଷ୍ଣୁ ସେଠୀ ସେହିପରି ତାଙ୍କର ସାଂସ୍କୃତିକ ପ୍ରତିଷ୍ଠା,ସାମାଜିକ ପରିଚ଼ିତ, ରାଜନୈତିକ ପାରଦର୍ଶିତା ଏବଂ ସମାଜସେବାର ପରାକାଷ୍ଠା ନିମନ୍ତେ ଯେଉଁ ଅଙ୍ଗୀକାରବଦ୍ଧତା ଭଦ୍ରକ ମାଟି ତଥା ସମଗ୍ର ଓଡ଼ିଶାର ପ୍ରତ୍ୟେକ ମଣିଷ ନିକଟରେ ଛାଡ଼ି ଚ଼ାଲି ଯାଇଛନ୍ତି ସେଥିପାଇଁ ଓଡ଼ିଶାର ପ୍ରତିଟି ମଣିଷ ନିକଟରେ ଯୁଗେ ଯୁଗେ ଅମର ହୋଇରହିଥିବେ – ଏଥିରେ ଦ୍ବିମତ ନାହିଁ । ଦିନ ଯାଏ, ଚ଼ିହ୍ନ ରହେ। ସ୍ମୃତିର ପାଉଁଶ ତଳୁ ମିଳିବ ଅସତ୍ୟ ସହରର ଅନେକ କାହାଣୀ- କିମ୍ବଦନ୍ତୀ, ମିଳିବ ଅନେକ କାଳ୍ପନିକ ଚ଼ିତ୍ରପଟ, କିନ୍ତୁ ମିଳିବନି ବାସ୍ତବ ମଣିଷର ଅଭୂଲା-ଅପାଶୋରା ମୁହଁଟିଏ ।