ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ପିତୃପକ୍ଷରେ ପରଲୋକଗତ ପିତୃ ପୁରୁଷଙ୍କୁ ପିଣ୍ଡଦାନ ଦେବାର ବିଧି ସନାତନ ସଂସ୍କୃତିରେ ରହି ଆସିଛି । ଏହି ସମୟରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ସେମାନେ ସନ୍ତୁଷ୍ଟ ହୋଇ ବରଦାନ ଦେଇଥାନ୍ତି ବୋଲି ବିଶ୍ୱାସ ରହିଛି । ତେଣୁ କିଛି ବନ୍ଧୁ ବାନ୍ଧବ ଓ ଆତ୍ମୀୟ ସଜ୍ଜନଙ୍କ ସହ ତୀର୍ଥ ଯାତ୍ରାରେ ବାହାରି ଥିଲେ କଳାହାଣ୍ଡି ଜିଲ୍ଲା ଚୁରା ଗାଁର ଏକ ଦମ୍ପତ୍ତି । କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ ପ୍ରକାରର । ତୀର୍ଥକ୍ଷେତ୍ର ଆଲ୍ଲାବାଦରେ ପିଣ୍ଡଦାନ କାର୍ଯ୍ୟ ସମାପନ କରି ଚିତ୍ରକୁଟ ବାହାରିବା ସମୟରେ ପ୍ରାଣବାୟୁ ଚାଲିଗଲା ୬୮ ବର୍ଷୀୟା ଧର୍ମ ପରାୟଣ ମହିଳା ସୁପ୍ରଭା ଖମାରୀଙ୍କର । ପ୍ରାପ୍ତ ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ବନ୍ଦକନା ପଞ୍ଚାୟତ ଅନ୍ତର୍ଗତ ଚୁରା ଗାଁ ନାରାୟଣ ଖମାରୀ ଓ ତାଙ୍କ ଧର୍ମପତ୍ନୀ ସୁପ୍ରଭା ଖମାରୀ ସେପ୍ଟେମ୍ବର ୧୪ ତାରିଖ ଦିନ ଚୁରା ଗାଁ ରୁ ୪ଜଣ, ପାତ୍ରବସା ରୁ ୨ଜଣ ଏବଂ ଧର୍ମଗଡ଼ରୁ ୮ଜଣ ଏମିତି ସର୍ବମୋଟ ୧୪ଜଣ ତୀର୍ଥ ଭ୍ରମଣ କରିବା ପାଇଁ ବାହିରିଥିଲେ । ୧୬ ତାରିଖ ଦିନ ଆଲ୍ଲାବାଦରେ ପହଞ୍ଚି ପିଣ୍ଡଦାନ କରିଥିଲେ । ଆହ୍ଲାବାଦରୁ ଚିତ୍ରକୁଟ ବାହାରିବା ସମୟରେ ସୁପ୍ରଭା ଦେବୀଙ୍କର ହୃଦଘାତରେ ପ୍ରାଣବାୟୁ ଚାଲିଯାଇଥିଲା । ସେଠାରୁ ତାଙ୍କର ପାର୍ଥିବ ଶରିର ନିଜ ଭିଟାମାଟିକୁ ଆସିବାପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତୀର୍ଥ କ୍ଷେତ୍ରରେ ପ୍ରାଣତ୍ୟାଗ କରିଥିବା ଏଭଳି ଜଣେ ଧର୍ମ ପରାୟଣ ମହିଳାଙ୍କ ଶେଷ ଦର୍ଶନ ପାଇଁ ପ୍ରବଳ ଜନସମାଗମ ହୋଇଥିଲା । ଜ୍ୟେଷ୍ଠ ପୁତ୍ର ବୁଲୁ ଖମାରୀ ମୁଖାଗ୍ନି ଦେଇଥିଲେ । ସୁପ୍ରଭା ଖମରୀଙ୍କ ଆବର୍ତ୍ତମାନରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।