ଓ୍ବାଶିଂଟନ: ଭାରତ ଯେଉଁ ଦରରେ ଋଷ ଠାରୁ ତୈଳ କିଣୁଛି ସେହି ଦରରେ ପାକିସ୍ତାନ ମଧ୍ୟ ଋଷଠାରୁ ତୈଳ କିଣିବ । ଆମେରିକା ଗସ୍ତରେ ଥିବା ପାକିସ୍ତାନ ଅର୍ଥମନ୍ତ୍ରୀ ଏପରି କହିଛନ୍ତି । ଅର୍ଥମନ୍ତ୍ରୀ ଇଶାକ ଡାର କହିଛନ୍ତି ଭାରତ ଭଳି ପାକିସ୍ତାନ ମଧ୍ୟ ଆଗାମୀ ଦିନରେ ଋଷ ଠାରୁ ତୈଳ କିଣିବାକୁ ନିଷ୍ପତ୍ତି ନେଇଛି । ଭାରତକୁ ଯେଉଁ ଦରରେ ଋଷ ତୈଳ ବିକ୍ରି କରୁଛି ସେହି ସମାନ ଦରରେ ପାକିସ୍ତାନ ମଧ୍ୟ ତୈଳ କିଣିବ ବୋଲି ସେ କହିଛନ୍ତି ।
ଋଷଠାରୁ କିଣିବ ତୈଳ
ଏହାର ଅର୍ଥ ହେଉଛି ଋଷିଆ-ୟୁକ୍ରେନ ଯୁଦ୍ଧ ସମୟରେ ଆମେରିକା, ୟୁରୋପିଆନ କଣ୍ଟ୍ରିର କଟକଣାକୁ ପାକିସ୍ତାନ ଆଉ ମାନିବ ନାହିଁ । ଇଶାକ କହିଛନ୍ତି ଯେ ପାକିସ୍ତାନରେ ବନ୍ୟା ପାଇଁ ଦେଶର ଅର୍ଥନୀତି ଦୋହଲି ଯାଇଛି । ଦରଦାମ ବୃଦ୍ଧି ସାଧାରଣ ଜନତାଙ୍କୁ ନାହିଁ ନଥିବା ସମସ୍ୟାରେ ପକାଇଛି । ଏଭଳି ସମୟରେ ପାକିସ୍ତାନ ଶସ୍ତାରେ ତୈଳ କିଣିବାକୁ ଚାହୁଁଛି । ଯାହା କି ଋଷ ଦେବା ପାଇଁ ରାଜି ହୋଇଛି । ବନ୍ୟା ପାଇଁ ପାକିସ୍ତାନ 32 ଆରବ ଡଲାର କ୍ଷତି ହୋଇଛି । ଏଭଳି ପରିସ୍ଥିତିରେ ପାକିସ୍ତାନକୁ କୈାଣସି ଦେଶ ଆର୍ଥିକ ସହଯୋଗ ପାଇଁ ହାତ ବଢ଼ାଉନଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ପାକିସ୍ତାନ ଏବେ ଋଷଠାରୁ ତୈଳ କିଣିବ । ଏପରିକି ଋଷ ଠାରୁ ଗହମ କିଣିବାକୁ ମଧ୍ୟ ସେ କହିଛନ୍ତି । ଏଭଳି କହି ସେ ଆମେରିକାକୁ କଟାକ୍ଷ କରିଥିବା କୁହାଯାଉଛି ।
ବନ୍ୟା ପାକିସ୍ତାନ ଅର୍ଥନୀତି ଦୋହଲାଇ ଦେଇଛି
ସେ ଆହୁରି କହିଛନ୍ତି ଯେ ବନ୍ୟା ପରେ ପାକିସ୍ତାନର ଭିତ୍ତିଭୂମି ଠିକ୍ କରିବା ପାଇଁ 16 ଆରବ ଡଲାର ଆବଶ୍ୟକ ରହିଛି । ବନ୍ୟା ପରିସ୍ଥିତିକୁ ନେଇ ସେ ବିଭିନ୍ନ ଦେଶର ନେତା ଏବଂ ଅଧିକାରୀଙ୍କ ସହ 58 ଟି ବୈଠକ କରିଛନ୍ତି । ପାକିସ୍ତାନର ସମସ୍ୟା ଉପରେ ଚର୍ଚା କରିଥିବା କହିଛନ୍ତି ଅର୍ଥମନ୍ତ୍ରୀ ଇଶାକ ଡାର ।
ବାଇଡେନଙ୍କ ମନ୍ତବ୍ୟ କୁ ନେଇ ପାକିସ୍ତାନ ରାଜନୀତି ସରଗରମ
ତେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ତାଙ୍କ ଦଳ ଡେମୋକ୍ରାଟିକ ପାର୍ଟିର ଏକ କାର୍ଯ୍ୟକ୍ରମରେ ଖୋଲାଖୋଲି ପାକିସ୍ତାନକୁ ବିଶ୍ବର ସବୁଠାରୁ ବିପଦପୂର୍ଣ୍ଣ ଦେଶ କହିବା ପରେ ପାକିସ୍ତାନ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି । ବାଇଡେନଙ୍କ ଏଭଳି ଘୋଷଣାକୁ ନେଇ ପାକିସ୍ତାନରେ ରାଜନୀତି ସରଗରମ ହୋଇଛି । ଅବଶ୍ୟ ଆମେରିକା ପକ୍ଷରୁ ପରେ ଡ୍ୟାମେଜ କଂଟ୍ରୋଲ ପାଇଁ ପାକିସ୍ତାନକୁ ସହଯୋଗୀ ରାଷ୍ଟ୍ର ଭାବେ କୁହାଯାଇଛି । ତେବେ ବାଇଡେନଙ୍କ ବକ୍ତବ୍ୟକୁ ହଜମ କରିବା ପାକିସ୍ତାନ ପାଇଁ କଷ୍ଟକର ହୋଇଛି ।





