ବିଶ୍ବରେ ନ୍ୟାୟ ପାଇଁ ରାଷ୍ଟ୍ରମାନେ ସହଯୋଗ କରିବା ଆବଶ୍ୟକ -PM ମୋଦୀ

୯୦ତମ ଇଣ୍ଟରପୋଲ ମହାସଭାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ୯୦ତମ ଇଣ୍ଟରପୋଲ ବୈଠକକୁ ସଂବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ବିଶ୍ବବାସୀ ଏକ ନିରାପଦ, ସୁରକ୍ଷିତ ବିଶ୍ବ ଚାହୁଁଛନ୍ତି । ଇଂଣ୍ଟରପୋଲ ଏଦିଗରେ ସମସ୍ତଙ୍କ ପାଇଁ ଉଦାହରଣ ହୋଇ କାର୍ଯ୍ୟ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବା ଉଚିତ । ସୁରକ୍ଷିତ ବିଶ୍ବ ପାଇଁ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କର ଦାୟିତ୍ବ ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ  । ଭାରତୀୟ ଗଣତନ୍ତ୍ର ବର୍ଷ ବର୍ଷ ଧରି ବିଶ୍ବକୁ ସହଯୋଗର ବାର୍ତ୍ତା ପ୍ରଦାନ କରିଆସୁଛି । ନ୍ୟାୟ ପାଇଁ ସଦସ୍ୟ ରାଷ୍ଟ୍ର ମଧ୍ୟରେ ଇଣ୍ଟରପୋଲର ଗୁରୁ ଦାୟିତ୍ବ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।  ୧୯୫ ଦେଶର ନ୍ୟାୟ ପାଇଁ ଏହି ସଂସ୍ଥା କାର୍ଯ୍ୟ କରୁଥିବା କହିଥିଲେ ମୋଦି । ୨୦୨୩ରେ ଇଣ୍ଟରପୋଲ ୧୦୦ ବର୍ଷ ପାଳନ କରିବାକୁ ଯାଉଥିବାରୁ ଏହାର କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ବିଶ୍ବରେ ନ୍ୟାୟ ପାଇଁ ସଦସ୍ୟ ରାଷ୍ଟ୍ରମାନେ ସହଯୋଗ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ସବୁ ଦେଶର ପ୍ରତିନିଧିଙ୍କୁ ଆହ୍ବାନ ଦେଇଛନ୍ତି । ସାମାଜିକ ମଙ୍ଗଳ କାର୍ଯ୍ୟରେ ଭାରତ ସମସ୍ତଙ୍କୁ ଭିନ୍ନ ଭିନ୍ନ ସମୟରେ ସାହାଯ୍ୟ କରିଆସିଛି । ଭବିଷ୍ୟତରେ ମଧ୍ୟ ବିଶ୍ବର ମଂଗଳ ପାଇଁ ଯାହା ଆବଶ୍ୟକ ପଡିବ ଭାରତ ତାହା କରିବାକୁ ପ୍ରସ୍ତୁତ ଥିବା ମୋଦି କହିଛନ୍ତି ।

ଭାରତରେ ପୋଲିସ ବ୍ୟବସ୍ଥା ସାଧାରଣ ଜନତାଙ୍କୁ କିଭଳି ନ୍ୟାୟ ପ୍ରଦାନ କରିବାରେ ବଡ଼ ଭୂମିକା ଗ୍ରହଣ କରୁଛି ତାହାର ମଧ୍ୟ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତ ଏହି ବର୍ଷ ୭୫ତମ ସ୍ବାଧୀନତା ଦିବସ ପାଳନ କରୁଥିବା ଅବସରରେ ଇଣ୍ଟରପୋଲର ବୈଠକ କରାଯାଉଥିବାରୁ ସେ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।  ସଦସ୍ୟ ଦେଶର ନେତା, ପୁଲିସ ମୁଖ୍ୟ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ପ୍ରମୁଖ ମାନେ ମଧ୍ୟ ଏଥିରେ ଭାଗ ନେଇଛନ୍ତି । ଇଣ୍ଟରପୋଲର ବୈଠକ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୫ ବର୍ଷ ପରେ ଏହି ବୈଠକ ଭାରତରେ ହେଉଛି । ପ୍ରତି ବର୍ଷ ଏହାର ବୈଠକ ଅନୁଷ୍ଠିତ ହୋଇଥାଏ । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଇଣ୍ଟରପୋଲର ଅଧ୍ୟକ୍ଷ ଅହମଦ ନାସର ଅଲ ରଇସ, ମହାସଚିବ ଜୁର୍ଗନ ଷ୍ଟାକ ମଧ୍ୟ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.