ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ଓ ମୋଟେର ଫାଣ୍ଡିର ମିଳିତ ଆନୁକୂଲ୍ୟରେ ଆଜି ଚାରବାହାଳ କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବୀର ଯବାନଙ୍କ ସ୍ମୁତି ଉଦେଶ୍ୟରେ ସହୀଦ ଦିବସ ପାଳିତ ହୋଇଯାଇଛି । ଚାରବାହାଳ ଗ୍ରାମର ମହେଶ୍ୱର ଓ ମାଣିକ୍ୟ ମହାନନ୍ଦଙ୍କ ସୁପୁତ୍ର ବିଭୁତି ଭୂଷଣ ମହାନନ୍ଦ ୧୦.୦୪.୧୯୭୪ ମସିହାରେ ଜନ୍ମଗ୍ରହଣ କରିଥିଲେ । ନିଜ ଗ୍ରାମର ବିଦ୍ୟାଳୟରେ ଅଧ୍ୟୟନ କରି କୃପାସିନ୍ଧୁ ଉଚ୍ଚବିଦ୍ୟାଳୟରେ ଦଶମ ପାସ କରିଥିଲେ । ପିଲାଟି ଦିନରୁ ଦେଶ ମାତୃକାର ସେବା କରିବା ତାଙ୍କର ଲକ୍ଷ୍ୟ ଥିବା ପରିବାର ଲୋକେ କୁହନ୍ତି ।
ଯୁବକ ଅବସ୍ଥାରେ ଓଏସଏପି ଥାର୍ଡ଼ ବାଟାଲିୟନ କୋରାପୁଟ ରେ ନିଯୁକ୍ତି ପାଇ ଦେଶ ସେବା କରିବାର ସୁଯୋଗ ପାଇଥିଲେ । ତେବେ ୦୯.୦୮.୨୦୦୧ ମସିହାରେ ମୋଟୁ ଥାନାରେ କାର୍ଯ୍ୟରତ ଥାଇ ନକ୍ସଲ ମାନଙ୍କୁ ସାମ୍ନା କରି ଦେଶ ପାଇଁ ସହୀଦ ହୋଇ ଯାଇଥିଲେ । ଏହି ବୀର ସହୀଦଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଗଭିର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା ।
କୋକସରା ଥାନାଧିକାରୀ ପ୍ରସନ୍ନ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଚାରବାହାଳ ସରପଞ୍ଚ ସତ୍ୟଭାମା ପଣ୍ଡା, ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବରାଜ ଗହୀର, ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ, ବୀର ସହୀଦଙ୍କ ବଡ଼ଭାଇ ସତ୍ୟବାନ ମହାନନ୍ଦ ପ୍ରମୁଖ ମଞ୍ଚାସିନ ରହି ସହୀଦଙ୍କ ବୀରତ୍ୱକୁ ମନେପକେଇ ସ୍ମୁତିଚାରଣ କରିଥିଲେ ।
ସହୀଦ ପରିବାରର ବଡ଼ଭାଇ ସତ୍ୟବାନ ମହାନନ୍ଦଙ୍କୁ କୋକସରା ଥାନାଧିକାରୀ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଜଗଦୀଶ ସାହୁ । ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ପଞ୍ଚାୟତର ଜନପ୍ରତିନିଧି, ବୁଦ୍ଧିଜୀବୀ, ସମାଜସେବୀ, ମୋଟେର ଫାଣ୍ଡି ଓ କୋକସରା ଥାନା କର୍ମଚାରୀମାନେ ଉପସ୍ଥିତ ଥିଲେ ।