ବାତ୍ୟା ଆଶଙ୍କା, ନର୍ଲା ଚାଷୀ ଆତଙ୍କିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଅଞ୍ଚଳର ଲୋକଙ୍କ ମନରୁ ଏଯାଏଁ ଲିଭିନି ଫାଇଲିନ୍ ଓ ହୁଡହୁଡ୍ ବ୍ୟାତ୍ୟାର ଆତଙ୍କ । ଠିକ୍ ବିଜୟା ଦଶମୀ ବେଳେ ହୁଡହୁଡ୍ ଆସିଲା ଆଉ ନର୍ଲାରେ ତାଣ୍ଡବ ଲିଳା ରଚି ଚାଲିଗଲା । ବିଶେଷ କରି ଚାଷୀକୁଳର ଅନେକ କ୍ଷୟକ୍ଷତି ହେଲା । ତା’ ପରେ ପରେ ଆସିଲା ଫାଇଲିନ୍ ସେଥିରେ ମଧ୍ୟ ଅଞ୍ଚଳର ଚଷୀକୁଳର ମେରୁଦଣ୍ଡ ଦୋହଲିଗଲା । ଏତେ ପରିମାଣରେ ଚାଷର କ୍ଷୟକ୍ଷତି ହେଲା ତାହା ବର୍ଣ୍ଣନା କରିବା ମୁସ୍କିଲ । ଫାଇଲିନ୍ ଓ ହୁଡହୁଡ୍ ବାତ୍ୟାରେ ଘରଦ୍ୱାର ଧୁଳିସାତ୍ କରିଦେଇ ଚାଲିଗଲା । ଏଣୁ ନର୍ଲା ଅଞ୍ଚଳର ଜନସାଧାରଣ ବାତ୍ୟାର ନାଁ ଶୁଣିଲେ ଆତଙ୍କିତ ହୋଇପଡନ୍ତି । ଖବରକାଗଜ ଏବଂ ଟିଭିରେ “ସ-ତ୍ରାଙ୍ଗ” ନାମଧାରୀ ବାତ୍ୟା ଆସୁଥିବାର ଖବର ଶୁଣିବା ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ନର୍ଲା ଅଞ୍ଚଳର ଜସାଧାରଣ ଏହି ସମୟରେ ବର୍ଷା ହେବା କଥାକୁ ସାଧାରଣରେ ନେଉଥିବା ବେଳେ ବର୍ଷା ବଦଳରେ ବାତ୍ୟା ଖବରରେ ଏଇଠି ଆତଙ୍କ ଖେଳି ଯାଇଛି । ଖବର ଅନୁଯାୟୀ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ କ୍ରମଶଃ ଘନିଭୁତ ହୋଇ ଉତ୍ତର ଆଣ୍ଡାମାନ ସାଗରରେ ସକ୍ରୀୟ ରହିଛି । ଏହା ଆସନ୍ତା ୨୨ ତାରିଖ ମଧ୍ୟରେ ଲଘୁଚାପରେ ପରିଣତ ହେବା ସହ ଅବପାତରେ ପରିଣତ ହେବ । ଏହାପରେ ଏହା ବାତ୍ୟାର ରୁପ ନେବ ବୋଲି ପାଣିପାଗ ବିଭାଗ ଘୋଷଣା କରିଥିବା ଜଣାପଡିଛି ।ଏହାକୁ ନେଇ ସାରା ଓଡିଶାର ଚାଷୀକୂଳ ଆତଙ୍କିତ ରହିଛନ୍ତି । ନର୍ଲା ଏକ କୃଷି ପ୍ରଧାନ ଅଞ୍ଚଳ ହୋଇଥିବା ବେଳେ ନର୍ଲା ଅଞ୍ଚଳରେ ଜଳସେଚନର ସୁବିଧା ନଥିବାରୁ ଏଠାକାର ଚାଷୀ ଇନ୍ଦ୍ର ଦେବତାଙ୍କୁ ଭରଷା କରି ଚାଷ କରିଥାନ୍ତି । ଜଳସେଚନର ସୁବିଧା ନଥିବାରୁ ପ୍ରତିବର୍ଷ ହୀନ ବୃଷ୍ଟି ଯୋଗୁଁ ବାରମ୍ବାର ମରୁଡିର କଷାଘାତରେ ଏଠାକାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ପଡିଛି । ଅନ୍ୟପକ୍ଷେ ଚଳିତ ବର୍ଷ ଶେଷ ଭାଗରେ ଭଲ ବର୍ଷା ହୋଇ ଥିବାରୁ ଚାଷୀ ଆଶା ବାନ୍ଧି ବସିଥିଲେ ଏଥରକ ଭଲ ଫସଲ ହେବ ଓ ନର୍ଲା ଚାଷୀ ନିଜ କଷ୍ଟାର୍ଜିତ ଫସଲ ଗଣ୍ଡାକ ବିକି ଭଲ ଦୁଇ ପଇସା ପାଇବେ । ଯାହାତ ରୋଗ ପୋକ ଦାଉରୁ ଖର୍ଚ୍ଚାନ୍ତ ହୋଇ ଚାଷ ଗଣ୍ଡାକ ବଞ୍ଚାଇଛନ୍ତି । ଏହା ଉପରେ ପୁଣି ବାତ୍ୟାର ତାଡନା । ଏବେ କ୍ଷେତରେ ପାଚିଲା ଧାନ ଲହଡି ମାରୁଛି । ଅଳ୍ପ ସମୟ ଅବଧିର ଧାନ ସବୁ ପାଚି ସାରିଛି। କେତେକ ଚାଷୀ ଧାନ କାଟି ସାରିଥିବା ବେଳେ କେତେକ ଚାଷୀ ଧାନ କାଟିବା ଆରମ୍ଭ କରିବାକୁ ଯାଉଛନ୍ତି । ଆନ୍ଧ୍ର ଓ ପଶ୍ଚିମ ବଙ୍ଗକୁ ମୁହାଁଇବାକୁ ଯାଉଥିବା ବାତ୍ୟା “ସ-ତ୍ରାଙ୍ଗ” ଓଡିଶାରେ ଅବପାତ ହେବ ବୋଲି ପାଣିପାଗ ବିଭାଗ କହୁଛି । ଅନ୍ୟପକ୍ଷେ ଧାନଚାଷ ବହୁଳ କଳାହାଣ୍ଡିରେ ଅନ୍ୟତମ ଅର୍ଥକାରୀ ଫସଲ ହେଉଛି କପା । କପା ମଧ୍ୟ ଫୁଟିବାକୁ ବସିଲାଣି । ନର୍ଲାରେ ଧାନ ଚାଷ ସାଙ୍ଗକୁ ବହୁଳ ଭାବରେ କପାଚାଷ ହୋଇଛି । ସ-ତ୍ରାଙ୍ଗ ର ପ୍ରଭାବରେ ବାତ୍ୟା ହେଲେ ପ୍ରବଳ ପବନରେ ପାଚିଲା ଧାନ ଗଛ ଓ ଧାନ ପାଚିନଥିଲେ ମଧ୍ୟ ଧାନ କେଣ୍ଡା ଧରିଥିବା ଧାନଗଛ ସବୁ ବିଲରେ ଗଡିପଡି ବହୁଳ କ୍ଷତି ହେବାର ଆଶଙ୍କା ରହିଛି । ସେହିଭଳି ବର୍ଷା ଓ ପବନ ମାଡରେ ଅର୍ଥକାରୀ ଫସଲ କପାଚାଷ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ଆଶଙ୍କାରେ ଚାଷୀ ମୁଣ୍ଡରେ ହାତ ଦେଲେଣି । ବାତ୍ୟା ସ-ତ୍ରାଙ୍ଗ ର ପ୍ରଭାବ କଳାହାଣ୍ଡି ଓ ନର୍ଲାରେ କିଭଳି ରହୁଛି ତାହା ଦେଖିବାକୁ ବାକି ରହିଲା । ମହାଜନ ଓ ବ୍ୟାଙ୍କରୁ ଋଣ ଓ ଧାର କରଜ କରି ଚାଷ କରିଥିବା ଚାଷୀଙ୍କ ଅବସ୍ଥା ଯେ କଣ ହେବ ତାହା ସମୟ ହିଁ କହିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.