ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଶୃପଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଯୁବ ରେଡ଼କ୍ରସ ତରଫରୁ ବିପର୍ଯ୍ୟୟ ପ୍ରାଧିକରଣ ତାଲିମ ଶିବିର ଆୟୋଜିତ ହୋଇଯାଇଛି । ଏନେଇ ଆୟୋଜିତ ବର୍ଣ୍ଣାଢ଼୍ୟ ସମାରୋହରେ ମୁଖ୍ୟ ଅତିଥି ଭାବରେ କେସିଙ୍ଗା ଷ୍ଟେଟ ବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ସୁରେନ୍ଦ୍ର କୁମାର ଜାଲ ଯୋଗଦେଇ ନୋବେଲ ପୁରସ୍କାର ବିଜେତା ବିଶିଷ୍ଟ ଡ଼ାକ୍ତର, ଦାର୍ଶନିକ ତଥା ରେଡକ୍ରସର ପ୍ରତିଷ୍ଠାତା ହେନେରି ଡୁନାଣ୍ଟଙ୍କ ତୈଳ ଚିତ୍ରରେ ପୁଷ୍ପ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । କଶୃପଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାଏକ ସଭାର ସଭାପତିତ୍ବ କରିଥିବା ବେଳେ ରେଡ଼କ୍ରସ ପରାମର୍ଶଦାତା ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା ମୁଖ୍ୟବକ୍ତା ଭାବରେ ଯୋଗଦେଇ ଆମ ଜୀବନରେ ରେଡ଼କ୍ରସର ଭୂମିକା ସହ ବିପର୍ଯ୍ୟୟ ପ୍ରଶମନ ସମ୍ପର୍କରେ ଆଲୋଚନା କରିଥିଲେ । ଅଧ୍ୟାପିକା ଡ. ମୋନାଲିସା ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଗୋପାଳ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ସ୍ବେଚ୍ଛାସେବୀମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।