ପ୍ରଦୂଷଣ ପାଇଁ ନିର୍ମାଣ ବନ୍ଦ: କାମ ନକରି ଶ୍ରମିକ ପାଇବେ ମାସିକ ୫ ହଜାର ଟଙ୍କାର ସହାୟତା ରାଶି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ିଛି ପ୍ରଦୂଷଣ । ଘରୁ ପଦାକୁ ବାହାରିବା ମାତ୍ରେ ରୁନ୍ଧି ହୋଇ ଯାଉଛି ନିଶ୍ୱାସ । ଫଳରେ ସରକାର ଦିଲ୍ଲୀ-ଏନସିଆରରେ ସମସ୍ତ ନିର୍ମାଣ ଓ ଉଚ୍ଛେଦ କାମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ନିର୍ମାଣ କାର୍ଯ୍ୟ ବନ୍ଦ ଯୋଗୁଁ ଘରେ ହାତ ବାନ୍ଧି ବସିଛନ୍ତି ହଜାର ହଜାର ଶ୍ରମିକ । ବାୟୁ ପ୍ରଦୂଷଣକୁ ନେଇ କୋଠର ଆଭିମୁଖ୍ୟ ଗ୍ରହଣ କରିଥିବା କେଜ୍ରିୱାଲ୍ ସରକାର ଶ୍ରମିକଙ୍କୁ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଟ୍ୱିଟ୍ କରି ଘୋଷଣା କରିଛନ୍ତି, ନିର୍ମାଣ କାର୍ଯ୍ୟ ବନ୍ଦ ଥିବାରୁ ସରକାର ଶ୍ରମିକଙ୍କୁ ସହାୟତା ଦେବେ । ନିର୍ମାଣ ଶ୍ରମିକଙ୍କୁ ମାସିକ ୫ ହଜାର ଟଙ୍କା ଲେଖାଏ ପ୍ରଦାନ ପାଇଁ କେଜ୍ରିୱାଲ, ଶ୍ରମ ମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଥିବା ପର୍ଯ୍ୟନ୍ତ ମାସିକ ୫ ହଜା ଟଙ୍କା ସହାୟତା ପାଇବେ ଶ୍ରମିକ ।

ପଡ଼ୋଶୀ ପଞ୍ଜାବ, ହରିୟାଣାରେ ପ୍ରତିବର୍ଷ ଏହି ସମୟରେ ଚାଷୀ ନଡ଼ା ପୋଡ଼ିଥାନ୍ତି । ଯାହାକି ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ବୃଦ୍ଧି କରୁଛି । ଯାହାକୁ ନେଇ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଲ ରାୟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । କହିଛନ୍ତି, କେନ୍ଦ୍ର ସରକାର ଚାଷୀଙ୍କୁ ଧୋକା ଦେଇଛି, ଘୃଣା କରୁଛି । ଯଦି କେନ୍ଦ୍ର ଚାଷୀଙ୍କୁ ଇନସେଣ୍ଟିଭ୍ ଦେଇଥାନ୍ତା ତ କୃଷକ ନଡ଼ା ଜାଳି ନଥାନ୍ତେ । ଦିଲ୍ଲୀ ଓ ପଞ୍ଜାବ ସରକାର ଇନସେଣ୍ଟିଭ୍ ଦେବାକୁ ପ୍ରସ୍ତୁତ ଥିବାବେଳେ କେନ୍ଦ୍ର ସରକାର ସହଯୋଗ ବଳରେ ମନା କରିଥିବା କହି ତୀର ମାରିଛନ୍ତି ଗୋପାଲ ରାୟ । ବିଜେପିର ଏଭଳି କାମ ପାଇଁ ପ୍ରଦୂଷଣ ବଢ଼ୁଥିବା ସେ କହିଛନ୍ତି । ଆଜି ମଧ୍ୟ ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ସ୍ତର ଉଦବେଗଜନକ ରହିଛି । ଏୟାର ଇଣ୍ଡେକ୍ସ କ୍ୱାଲିଟି ୪ ଶହ ଉପରେ ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.