ମହାନ ସଂଗ୍ରାମୀ ପଣ୍ଡିତ ନେହରୁ

ପଣ୍ଡିତ ଜବାହରଲାଲ ନେହରୁ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଆହ୍ଲାବାଦଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟାବସ୍ଥାରେ ଗୃହଶିକ୍ଷକଙ୍କ ତତ୍ୱାବଧାନରେ ସେ ନିଜର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ । ତାଙ୍କୁ ପନ୍ଦର ବର୍ଷ ବୟସ ହୋଇଥିବା ବେଳେ ସେ ଇଂଲଣ୍ଡ ଯାଇ ସେଠାରେ ହାରୋ ସ୍କୁଲରେ ଦୁଇ ବର୍ଷ ଶିକ୍ଷା ଲାଭ କରିଥିଲେ ଓ ଏହା ପରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ପ୍ରାକୃତିକ ବିଜ୍ଞାନରେ ସ୍ନାତକ(ଅନର୍ସ) ଡିଗ୍ରୀ ସମାପ୍ତ କରିଥିଲେ । ଏହାପରେ ସେ ଇନର ଟେମ୍ପଲ ବାରରେ ଯୋଗ ଦେଇଥିଲେ । ୧୯୧୨ ମସିହାରେ ଭାରତକୁ ପ୍ରତ୍ୟାବର୍ତ୍ତନ କଲା ପରେ ସିଧା ରାଜନୀତିରେ ଯୋଗ ଦେଇଥିଲେ । ଏପରିକି ଛାତ୍ରାବସ୍ଥାରେ ସୁଦ୍ଧା କେଉଁ ଦେଶ ବିଦେଶୀ ଶାସନ ଅଧୀନରେ ଥିଲା ଓ ସେମାନଙ୍କ ସ୍ୱାଧୀନତା ସଂଗ୍ରାମ ବିଷୟରେ ଅଧିକରୁ ଅଧିକ ତଥ୍ୟ ଜାଣିବା ପାଇଁ ଆଗ୍ରହୀ ଥିଲେ । ଆୟର୍ଲାଣ୍ଡର “ସିନ୍ ଫେନ” ଆନ୍ଦୋଳନ ସମ୍ପର୍କରେ ସେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ । ତେଣୁ ଭାରତରେ ସ୍ୱାଧୀନତା ସଂଗ୍ରାମ ପ୍ରତି ଆକୃଷ୍ଟ ହେବା ତାଙ୍କ ପାଇଁ ସ୍ୱାଭାବିକ ଘଟଣା ଥିଲା ।

୧୯୧୨ ମସିହାରେ ବାଙ୍କିପୁର ଠାରେ ଆୟୋଜିତ କଂଗ୍ରେସ ଅଧିବେଶନରେ ଯୁବକ ଜବାହର ଲାଲ ନେହରୁ ଜଣେ ପ୍ରତିନିଧି ଭାବେ ଯୋଗ ଦେଇଥିଲେ ଓ ୧୯୧୯ ମସିହାରେ ଆହ୍ଲାବାଦଠାରେ ହୋମରୁଲ୍ ଲିଗ୍ ର ସମ୍ପାଦକ ଭାବେ ମନୋନୀତ ହୋଇଥିଲେ । ୧୯୧୬ ମସିହାରେ ତାଙ୍କର ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧୀଙ୍କ ସହ ସାକ୍ଷାତ ହୋଇଥିଲା ଓ ତାଙ୍କ ବ୍ୟକ୍ତିତ୍ୱରେ ସେ ଗଭୀର ଭାବେ ପ୍ରଭାବିତ ହୋଇଥିଲେ । ୧୯୨୦ ମସିହାରୋ ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ସେ ପ୍ରଥମ କିଷାନ ପଦଯାତ୍ରା ଆୟୋଜନ କଲେ । ୧୯୨୦-୨୨ ମସିହା ମଧ୍ୟରେ ଅସହଯୋଗ ଆନ୍ଦୋଳନ ସମୟରେ ତାଙ୍କୁ ଦୁଇ ଥର ଜେଲ ବରଣ କରିବାକୁ ପଡିଥିଲା ।

୧୯୨୩ ମସିହା ସେପ୍ଟେମ୍ବର ମାସରେ ପଣ୍ଡିତ ନେହରୁ ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପଦଭାର ଗ୍ରହଣ କରିଥିଲେ । ୧୯୨୬ ମସିହାରେ ସେ ଇଟାଲୀ, ସୁଇଜରଲାଣ୍ଡ, ଇଂଲଣ୍ଡ, ବେଲଜିୟମ, ଜର୍ମାନୀ ଓ ରୁଷିଆ ଆଦି ରାଷ୍ଟ୍ର ଗସ୍ତ କରିଥିଲେ । ବେଲଜିୟମର ବ୍ରସେଲ୍ସଠାରେ ସେତେବେଳେ ଆୟୋଜିତ ଦଳିତ ଜାତୀୟତାବାଦୀ ସମ୍ମିଳନୀରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବେ ଯୋଗ ଦେଇଥିଲେ । ସେହିଭଳି ୧୯୨୭ ମସିହାରେ ମସ୍କୋଠାରେ ଆୟୋଜିତ ମହାନ୍ ଅକ୍ଟୋବର ସମାଜବାଦୀ ବିପ୍ଳବର ଦଶମ ବାର୍ଷିକୀରେ ଯୋଗ ଦେବାର ସୌଭାଗ୍ୟ ତାଙ୍କୁ ମିଳିଥିଲା । ଏହା ପୂର୍ବରୁ ୧୯୨୬ ମସିହାରେ କଂଗ୍ରେସର ମାଡ୍ରାସ ଅଧିବେଶନରେ ସେ ସ୍ୱାଧୀନତା ପ୍ରାପ୍ତିକୁ କଂଗ୍ରେସର ଲକ୍ଷ୍ୟ ହେବା ଉଚିତ ବୋଲି ଦଳୀୟ ନେତୃବର୍ଗଙ୍କୁ ପ୍ରଭାବିତ କରିପାରିଥିଲେ । ସାଇମନ କମିଶନଙ୍କୁ ବିରୋଧ କରି ୧୯୨୮ ମସିହାରେ ଲକ୍ଷ୍ନୌଠାରେ ଏକ ଶୋଭାଯାତ୍ରାର ନେତୃତ୍ୱ ନେଉଥିବା ବେଳେ ପୁଲିସ ତାଙ୍କ ଉପରେ ନିର୍ମମ ଲାଠି ପ୍ରହାର କରିଥିଲା । ସେହିବର୍ଷ ଅଗଷ୍ଟ ୨୯ ତାରିଖ ଦିନ ପଣ୍ଡିତ ନେହରୁ ସର୍ବଦଳୀୟ କଂଗ୍ରେସରେ ଯୋଗ ଦେଇଥିଲେ ଓ ଭାରତୀୟ ସାମ୍ବିଧାନିକ ସଂସ୍କାର ସମ୍ପର୍କୀତ ନେହରୁ ରିପୋର୍ଟର ଅନ୍ୟତମ ସ୍ୱାକ୍ଷରକର୍ତ୍ତା ଥିଲେ । ଏହି ରିପୋର୍ଟ ତାଙ୍କ ପିତା ପଣ୍ଡିତ ମୋତିଲାଲ ନେହରୁଙ୍କ ନାମରେ ନାମିତ । ସେହି ୧୯୨୮ ମସିହାରେ ଜବାହରଲାଲ ନେହରୁ ଗଠନ କରିଥିଲେ “ଭାରତ ସ୍ୱାଧୀନତା ଲିଗ୍” ଯାହା ଭାରତରୁ ବ୍ରିଟିଶ ଶାସନର ସମ୍ପୂର୍ଣ୍ଣ ବିଲୋପ ପାଇଁ ଦାବି କରିଥିଲେ ଏବଂ ସେ ହୋଇଥିଲେ ଏହାର ସାଧାରଣ ସମ୍ପାଦକ ।

୧୯୨୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ଅଧିବେଶନ ଲାହୋରଠାରେ ଅନୁଷ୍ଠିତ ହେଲା । ଏହି ଅଧିବେଶନରେ ଜବାହରଲାଲ ନେହରୁ ଦଳର ସଭାପତି ଭାବେ ମନୋନୀତ ହେଲେ ଏବଂ ସେଠାରେ ପୂର୍ଣ୍ଣ ସ୍ୱାଧୀନତା ପ୍ରାପ୍ତିକୁ କଂଗ୍ରେସ ତାର ଲକ୍ଷ୍ୟ ଭାବେ ପ୍ରସ୍ତାବ ଗ୍ରହଣ କଲା । ୧୯୩୦ ଠାରୁ ୧୯୩୫ ମସିହା ମଧ୍ୟରେ ପଣ୍ଡିତ ନେହରୁ ଅନେକ ବାର ଜେଲ ବରଣ କରିଥିଲେ । କଂଗ୍ରେସ ଦ୍ୱାରା ଆରମ୍ଭ କରାଯାଇଥିବା ଲବଣ ସତ୍ୟାଗ୍ରହ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆନ୍ଦୋଳନରେ ଅଂଶଗ୍ରହଣ କରିବା ଥିଲା ତାଙ୍କ ବିରୋଧରେ ଅଭିଯୋଗ । ଲାଲମୋଡା ଜେଲରେ ବନ୍ଦୀ ଥିବା ଅବସ୍ଥାରେ ୧୯୩୫ ମସିହା ଫେବ୍ରୁଆରୀ ୧୪ ତାରିଖ ଦିନ ସେ ତାଙ୍କର ଚର୍ଚ୍ଚିତ “ଆତ୍ମଜୀବନୀ” ପୁସ୍ତକ ସମ୍ପୂର୍ଣ୍ଣ କରିଥିଲେ । ଜେଲରୁ ମୁକୁଳିବା ମାତ୍ରେ ପଣ୍ଡିତ ନେହରୁ ସିଧା ଯାତ୍ରା କରିଥିଲେ ସୁଇଜରଲାଣ୍ଡ, ନିଜ ଅସୁସ୍ଥ ପତ୍ନୀ କମଳା ନେହରୁଙ୍କୁ ଭେଟିବା ପାଇଁ । ସେଠାରୁ ୧୯୩୬ ମସିହା ଫେବ୍ରୁଆରୀ ମାର୍ଚ୍ଚ ମାସରେ ସେ ଲଣ୍ଡନ ଯାଇଥିଲେ । ୧୯୩୮ ମସିହା ଜୁଲାଇ ମାସରେ ସେ ସ୍ପେନ ଗସ୍ତ କରିଥିଲେ । ସେତେବେଳେ ସ୍ପେନ ଗଣବିପ୍ଳବର ଦ୍ୱାର ଦେଶରେ ପହଂଚି ଯାଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ପୂର୍ବରୁ ସେ ଚୀନ ଗସ୍ତ କରିଥିଲେ ।

ଭାରତକୁ ବାଧ୍ୟବାଧକତାରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାମିଲ କରାଯାଇଥିବାରୁ କଂଗ୍ରେସ ଏହାର ଘୋର ପ୍ରତିବାଦ କଲା । ପଣ୍ଡିତ ନେହରୁ ବ୍ରିଟିଶ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ସତ୍ୟାଗ୍ରହ ଚଳାଇଥିବା ବେଳେ ୧୯୪୦ ମସିହା ଅକ୍ଟୋବର ୩୧ ତାରିଖ ଦିନ ତାଙ୍କୁ ଗିରଫ କରାଗଲା । ୧୯୪୧ ମସିହା ଡିସେମ୍ବର ମାସରେ ସେ ଓ ଅନ୍ୟ ନେତାମାନେ ଜେଲରୁ ମୁକ୍ତ ହେଲେ । ୧୯୪୨ ମସିହା ଅଗଷ୍ଟ ୭ ତାରିଖ ଦିନ ବମ୍ବେ ଠାରେ ଏଆଇସିସିର ଅଧିବେଶନ ବସିଲା ଓ ଏହି ଅଧିବେଶନରେ ପଣ୍ଡିତ ନେହରୁ “ଭାରତ ଛାଡ” ପ୍ରସ୍ତାବ ଆଗତ କଲେ । ୧୯୪୨ ଅଗଷ୍ଟ ୮ ତାରିଖ ଦିନ ପଣ୍ଡିତ ନେହରୁ ଓ ଅନ୍ୟ ନେତାମାନଙ୍କୁ ପୁଲିସ ଗିରଫ କରି ଅହମ୍ମଦନଗର ଦୁର୍ଗକୁ ନେଇଯାଇଥିଲା । ଏହା ଥିଲା ତାଙ୍କର ଶେଷ ଓ ଦୀର୍ଘତମ ଜେଲ ଅବସ୍ଥାନ । ସର୍ବମୋଟ୍ ସେ ୯ ବର୍ଷ ଜେଲ ଦଣ୍ଡ ଭୋଗ କରିଥିଲେ । ୧୯୪୫ ମସିହା ଜାନୁଆରୀ ମାସରେ ଜେଲରୁ ମୁକୁଳିବା ପରେ ଆଇଏନ୍ଏର ଯେଉଁ ଅଫିସର ଏବଂ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଆସିଥିଲା ସେମାନଙ୍କୁ ମୁକୁଳାଇବା ଲାଗି ଆଇନଜ୍ଞ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ମାର୍ଚ୍ଚ, ୧୯୪୬ ମସିହାରେ ପଣ୍ଡିତ ନେହରୁ ସମଗ୍ର ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ଗସ୍ତ କରିଥିଲେ । ୧୯୪୬ ମସିହା ଜୁଲାଇ ୬ ତାରିଖ ଦିନ ଚତୁର୍ଥ ଥର ପାଇଁ ସେ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ଓ ୧୯୫୧ ଠାରୁ ୧୯୫୪ ପର୍ଯ୍ୟନ୍ତ ଆଉ ତିନି ପର୍ଯ୍ୟାୟ ଏହି ଗୁରୁଦାୟିତ୍ୱ ତାଙ୍କ କାନ୍ଧରେ ନ୍ୟସ୍ତ କରାଯାଇଥିଲା ।

(ସୌଜନ୍ୟ: ପିଏମ୍ଇଣ୍ଡିଆ ପୋର୍ଟାଲ୍)
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.