ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ବାଲିଯାତ୍ରାର ଅନ୍ତିମ ଦିବସରେ ଉଦାସ ଆଶ୍ରମର ସନ୍ଥ ଶ୍ରୀ ଶ୍ରୀ ଠାକୁର ଯଜ୍ଞେଶ୍ୱର ନନ୍ଦ ନିଖିଳ ଉତ୍କଳ ବିଶ୍ଵଶାନ୍ତି ସାହିତ୍ୟ ପ୍ରତିଷ୍ଠାନ କଟକର ସମସ୍ତ କର୍ମକର୍ତ୍ତାଙ୍କୁ ନିମନ୍ତ୍ରଣ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ, ଉପଦେଷ୍ଟା ଡ଼କ୍ଟର ନିଳକଣ୍ଠ ରାଉତ, ବିରେନ୍ଦ୍ର କୁମାର ଜେନା, ଚିତ୍ତରଞ୍ଜନ ମହାନ୍ତି, ସଞ୍ଜୟ କୁମାର ମହାରଣା ପ୍ରମୁଖ ଉପସ୍ଥିତ ହୋଇ ମହାନଦୀ ଆଳତୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଏହି ଅବସରରେ ମହାମହିମ ରାଜ୍ୟପାଳ, ଡଃ ପ୍ରସନ୍ନ ପାଟ୍ଟଶାଣୀ, ମେୟର ସୁବାସ ସିଂହ, ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ଡିସିପି ପ୍ରମୁଖ ଅତିଥି ମାନଙ୍କ ସହିତ ନିଖିଳ ଉତ୍କଳ ବିଶ୍ଵଶାନ୍ତି ସାହିତ୍ୟ ପ୍ରତିଷ୍ଠାନର କର୍ମକର୍ତ୍ତା ମହାନଦୀ ଆଳତୀରେ ଭାଗ ନେଇ ଦିବ୍ୟ ଚେତନାକୁ ଅନୁଭବ କରିଥିଲେ । ଆନୁଷ୍ଠାନିକ ଭାବେ ସନ୍ଧ୍ୟା ଆଳତି, ଗୁରୁ ପୂଜନ ଏବଂ ଧ୍ୟାନ ମୁଦ୍ରଯୋଗରେ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ମହାନଦୀ ଆଳତୀ ମଞ୍ଚରେ ଉଦାସ ଆଶ୍ରମର ସନ୍ଥ ଠାକୁର ଯଜ୍ଞେଶ୍ଵର ନନ୍ଦ ମହାନଦୀ ସୃଷ୍ଟିର ଆଧ୍ୟାତ୍ମିକ ତତ୍ତ୍ଵ ଭକ୍ତି ରସରେ ପ୍ଲାବିତ କରିଥିଲେ । ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ବାର୍ତ୍ତା ପ୍ରଦାନ କରିଥିଲେ । ଡଃ ପ୍ରସନ୍ନ ପାଟ୍ଟଶାଣୀ ବାଲିଯାତ୍ରାର ତାତ୍ପର୍ଯ୍ୟ ଏବଂ ଓଡ଼ିଆ ସଂସ୍କୃତିର ପୃଷ୍ଠଭୂମି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ଉକ୍ତ ଅବସରରେ ସନ୍ଥ ଶ୍ରୀ ଶ୍ରୀ ଠାକୁର ଜଗେଶ୍ୱର ନନ୍ଦ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ପୁଷ୍ପମାଲ୍ୟ ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ପଣ୍ଡିତ ନୀଳକଣ୍ଠ ରାଉତଙ୍କୁ ମଧ୍ୟ ପୃଥକ ଭାବେ ସମ୍ବର୍ଦ୍ଧିତ କରିଥିଲେ ।





