ଏଥରର ବିଶ୍ବକପ୍ ଫୁଟବଲ ଆୟୋଜକ କତାର ଦେଶ ବିଷୟରେ ଜାଣନ୍ତୁ ଅନେକ ଅଜଣା ତଥ୍ୟ

ଓଡ଼ିଆ ବାର୍ତ୍ତା/ କତାର: ବିଶ୍ବକପ୍ ଫୁଟବଲ ମହାସମର ଏବେ କତାରରେ ଚାଲିଛି । ବିଶ୍ବର କୋଣଅନୁକୋଣରୁ ଫୁଟବଲ ପ୍ରେମୀମାନେ କତାରରେ ଡେରା ପକାଇଛନ୍ତି । କତାର ଭଳି ଛୋଟିଆ ଦେଶ ଯାହାର ଲୋକସଂଖ୍ୟା ୨୮ ଲକ୍ଷ । କିପରି ଫୁଟବଲ ବିଶ୍ବକପ୍ ଆୟୋଜନ କରିବାକୁ ଅନୁମତି ପାଇଲା ଏବଂ ତାହା ସଫଳ ଆୟୋଜନ କରିବାରେ ସମର୍ଥ ହୋଇପାରିଲା  ତାହାକୁ ନେଇ ଏବେ ସାରା ବିଶ୍ବରେ ଆଲୋଚନା ଚାଲିଛି । ତେବେ କତାରର ଏହି ଅଭ୍ୟୁଦୟ ଆଜିର ନୁହେଁ ଗତ ୬୦ ବର୍ଷ ଧରି କତାର ନିଜର ବିକାଶ ଧାରାକୁ ବଜାୟ ରଖିଛି । କମ ଜନସଂଖ୍ୟା ଏବଂ ପ୍ରାକୃତିକ ଗ୍ୟାସ କତାରକୁ ବିଶ୍ବରେ ଧନୀଶାଳୀ ଦେଶରେ ପରିଣତ କରାଇଛି ।

ଏତେସବୁ ଭିତରେ ୨୦୧୦ରେ ଫିଫା ବିଶ୍ପକପ ଆୟୋଜନ ପାଇଁ ଅନୁମତି ପାଇଥିଲା କତାର । ଏହି ସମୟ ମଧ୍ୟରେ ୨୦୧୫ରେ  ୮ଟି  ନୂଆ ଷ୍ଟାଡିୟମ ନିର୍ମାଣ କରିଥିଲା କତାର । ୪୦ ହଜାରୁ ୮୦ ହଜାର କ୍ଷମତା ବିଶିଷ୍ଟ ଷ୍ଟାଡିୟମ ନିର୍ମାଣ କରିବା ପରେ , ଗୋଟିଏ ନୂତନ ବିମାନବନ୍ଦର ନିର୍ମାଣ କରିଥିଲା କତାର । ଏପରିକି ୨୦୧୯ ଭିତରେ  ନୂତନ ମେଟ୍ରୋ ଲାଇନ ନିର୍ମାଣ ସରିଥିଲା । ଏସବୁ ପାଇଁ ସମୁଦାୟ ୨ ଲକ୍ଷ ମିଲିୟନ ଡଲାର ଖର୍ଚ୍ଚ କରିଛି କତାର। ଏତେ ଟଙ୍କା ଖର୍ଚ କରିଥିଲେ ମଧ୍ୟ କତାରବାସୀ କେବେ ଅନୁତାପ କରିନାହାଁନ୍ତି କି ବିରୋଧ ହୋଇନାହିଁ । ନିଜ ଦେଶର ସମ୍ମାନ ପାଇଁ କତାର ଏଭଳି ବିଶ୍ପକପ୍ ଫୁଟବଳ ଆୟୋଜନ କରିଛି ।

ଦିନେ କତାରକୁ ପଶ୍ଚିମ ଏସିଆର ମରୁଭୂମି ଦେଶ କୁହାଯାଉଥିଲା । ଏଠାକାର ଲୋକଙ୍କ ଜୀବନ ଜୀବିକା ଥିଲା ମାଛଧରି ବିକିବା । ଯାଯାବର ଜୀବନ ଜାପନ କରୁଥିଲେ ଅଧିକାଂଶ କତାରବାସୀ । ଉପସାଗର କୂଳିଆ ଛୋଟ ମରୁଭୂମି ଦେଶ ଥିଲା କତାର । ତେବେ କିପରି ଏହି ଛୋଟ ଦେଶ ହେଲା ଶକ୍ତିଶାଳୀ? ଏହାର କାରଣକୁ ଦେଖିଲେ କତାରବାସୀଙ୍କ ପରିଶ୍ରମ ଏବଂ ନିଜ ଦେଶକୁ ଆଗେଇ ନେବାର ଲକ୍ଷ୍ୟ, ଉଦାରବାଦୀ ଅର୍ଥନୀତି ଏହି ଦେଶକୁ ଏତେ ସମୃଦ୍ଧ କରିଛି ।  ଏବେ କତାରର ସମୃଦ୍ଧି ବିଶ୍ୱରେ ଆଲୋଚନା ହେଉଛି। ଏହାର କାରଣ ହେଉଛି ଏତେ ଛୋଟ ଦେଶ ୨୨ ତମ ଫିଫା ବିଶ୍ବକପ ଆୟୋଜନ କରୁଛି  । ଏଥିରେ ବିଶ୍ବର  ୩୨ ଟି ଦେଶର ଖେଳାଳି ଅଂଶଗ୍ରହଣ କରୁଛନ୍ତି ।  ସାରା ବିଶ୍ୱରୁ ହଜାର ହଜାର ଫୁଟବଲ ପ୍ରେମୀ ଏହି ଛୋଟ ଦେଶରେ ପହଁଚି ଖେଳର ମଜା ଉଠାଉଛନ୍ତି ।

କତାରର ଭୈାଗୋଳିକ ଅବସ୍ଥାନକୁ ଦେଖିଲେ ଏହାର ଦକ୍ଷିଣ ଭାଗରେ ରହିଛି ସାଉଦି ଆରବ ।  ପାରସ୍ୟ ଉପସାଗର ଅନ୍ୟ ତିନି ପାର୍ଶ୍ୱରେ ଅଛି  । ଏହି ଦେଶର ସମୁଦାୟ କ୍ଷେତ୍ରଫଳ ହେଉଛି ୧୧,୫୭୧ ବର୍ଗ କିଲୋମିଟର ଏବଂ ଜନସଂଖ୍ୟା ପ୍ରାୟ ୨୮ ଲକ୍ଷ  । ଯାହା କି ଆମ ଦେଶର ସବୁଠାରୁ କ୍ଷୁଦ୍ର ରାଜ୍ୟ ମଣିପୁରର ଅଧା କ୍ଷେତ୍ରଫଳ ସହ ସମାନ । ମାନେ ଆମ ରାଜ୍ୟର ସବୁଠୁ ବଡ଼ ଜିଲ୍ଲା ମୟୂରଭଂଜ ଏବଂ ସବୁଠୁ ସାନ ଜିଲ୍ଲା ଜଗତସିଂହପୁରର କ୍ଷେତ୍ରଫଳଠୁ ବି କମ୍ ।

ଶହେ ବର୍ଷ ପୂର୍ବେ କତାର ର ଲୋକେ ଖାଦ୍ୟ ଏବଂ ଜଳ ସନ୍ଧାନରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୁଲୁଥିଲେ। ୧୯୩୯ ମସିହାରେ, ବ୍ରିଟିଶ କମ୍ପାନୀ କତାରରେ ଅନେକ ତୈଳ କୂଅ ଆବିଷ୍କାର କରି ସେଗୁଡିକର ତୈଳ ଉତ୍ପାଦନ ଆରମ୍ଭ କଲା । ତୈଳ ଉତ୍ପାଦନ ଫଳରେ କାତାରରେ ବ୍ୟବସାୟର ବୃଦ୍ଧି ଘଟିଥିଲା, ଯେଉଁ କାରଣରୁ ବାହାରକୁ ଯାଇଥିବା କତାରବାସୀ ପୁଣି ନିଜ ଦେଶକୁ ଫେରିବା ଆରମ୍ଭ କରିଥିଲେ। ପରିସ୍ଥିତି ଏପରି ହେଲା ଯେ ୧୯୫୦ ମସିହାରେ କତାରର ଜନସଂଖ୍ୟା ୨୫ ହଜାରରୁ ୧୯୭୦ ରେ ତାହା  ୧ ଲକ୍ଷକୁ ବୃଦ୍ଧି ପାଇଲା। ବାହାର ଦେଶର ବିଭିନ୍ନ କଂପାନି କତାର ଆସିଲେ ।  ଦେଶର ଅର୍ଥନୀତି ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା ।   ଯେତେବେଳେ ବ୍ରିଟିଶମାନେ କତାର ଛାଡିଥିଲେ, ସେତେବେଳକୁ କତାର ବିକଶିତ ଦେଶର ପରିଚୟ ପାଇସାରିଥିଲା । ଏହାର ମୁଖ୍ୟ କାରଣ ହେଉଛି କମ ଲୋକସଂଖ୍ୟା ଏବଂ ଉଦାରବାଦୀ ଅର୍ଥୀନୀତି ।

୧୮୮୩ରେ କୁଏତର ଅଲ ଖଲିଫା ରାଜବଂଶ ଏହି ଛୋଟ ଦେଶ ଉପରେ ଶାସନ କରୁଥିଲା ।  ଏହା ପରେ ତୁର୍କୀ କତାର ଦଖଲ କଲା। ୧୯୧୪ ରେ ଯେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ବ୍ରିଟେନ ଏହାକୁ ଶାସନ କଲା  । ୧୯୭୧ ମସିହାରେ ବ୍ରିଟେନ କତାରକୁ ମୁକ୍ତ କରି ସାଉଦି ଆରବକୁ ଏହାର ଅଧିକାର ହସ୍ତାନ୍ତର କଲା, ପରେ ସେହିବର୍ଷ ଖଲିଫା ବିନ୍ ହେମାଦ କାତାରକୁ ସ୍ବାଧୀନ ଦେଶ ଘୋଷଣା କଲେ । ସ୍ବାଧୀନତାର ୫୦ ବର୍ଷ ପରେ କତାର ଏବେ ବିଶ୍ବରେ ସମୃଦ୍ଧି ଦେଶ ଭାବେ ନିଜକୁ ଗଢ଼ି ତୋଳିଛି ।  ମୁଣ୍ଡପିଛା ଜିଡିପି ଦୃଷ୍ଟିରୁ କତାର ବିଶ୍ୱର ଦ୍ୱିତୀୟ ଧନୀ ଦେଶ ହୋଇପାରିଛି । ମୁସଲିମ ଦେଶ ହୋଇଥିଲେ ମଧ୍ୟ ଏହି ଦେଶରେ ଉଦାରବାଦୀ ଅର୍ଥୀନୀତି ଏବଂ ବିକାଶକୁ ପ୍ରାଧାନ୍ୟ ଦେଇଛି । ଯାହାର ଫଳ ଏବେ ଦେଖିବାକୁ ମିଳୁଛି ।

ଏହି ଫୁଟବଲ ବିଶ୍ୱକପକୁ ଇତିହାସର ସବୁଠାରୁ ମହଙ୍ଗା ବିଶ୍ୱକପ କୁହାଯାଉଛି।   କତାରର ମୋଟ ଲୋକସଂଖ୍ୟାର ୪୦ ପ୍ରତିଶତ ହେଉଛନ୍ତି ଆରବୀୟ । ୩୬ ପ୍ରତିଶତ ଲୋକ ସାଉଥ ଏସିଆନ, ବାକି ୨୧ ପ୍ରତିଶତ ଭାରତୀୟ । ୧୨ ପ୍ରତିଶତ ବାଂଲାେଦେଶୀ ଏବଂ ୪ ପ୍ରତିଶତ ପାକିସ୍ତାନୀ  ।  ସମସ୍ତଙ୍କୁ ନେଇ କତାର ବିକାଶ ଦିଗରେ ଆଗେଇଚାଲିଛି । ପ୍ରାକୃତିକ ଗ୍ୟାସ ଏବେ କତାରର ଅର୍ଥନୀତିକୁ ବହୁଗୁଣିତ କରୁଛି । ଦେଶର ତୈଳ ଭଣ୍ଡାର ଏବଂ ପ୍ରାକୃତିକ ଗ୍ୟାସକୁ ଠିକ୍ ଭାବେ ଉପଯୋଗ କରି ସେହି ଅର୍ଥରେ କତାର ଏତେ ବଡ଼ ଫୁଟବଲ ମହାକୂମ୍ଭ ଆୟୋଜନ କରିପାରିଛି । ଏପରିକି  ବିଶ୍ବକପ ଭିତ୍ତିଭୂମି ନିର୍ମାଣରେ ଭାରତୀୟ ଇଂଜିନିୟରଙ୍କ ଭୂମିକାକୁ ନେଇ ମଧ୍ୟ  ଚର୍ଚା ହେଉଛି । ତେବେ ଗତ ଦଶ ବର୍ଷ ମଧ୍ୟରେ ଭିତ୍ତିଭୂମି ନିର୍ମାଣରେ ୬ ହଜାରରୁ ଅଧିକ ଭାରତୀୟ, ପାକିସ୍ତାନୀ, ବାଲାଂଦେଶୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ମଧ୍ୟ କୁହାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.