ନର୍ଲାର ୧୩ ଗୋଟି କେନ୍ଦ୍ରରେ ୧୯୭୬ ଜଣ ପରୀକ୍ଷାର୍ଥୀ ଦେଇଥିଲେ ପରୀକ୍ଷା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗତ ଦୁଇ ବର୍ଷ ଧରି ମହାମାରୀ କରୋନା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ପିଲାଏ ପାଠ ପଢି ପାରିଲେ ନାହିଁ । ପରୀକ୍ଷା ମଧ୍ୟ ଦେଇ ପାରିଲେ ନାହିଁ । ଫଳ ସ୍ୱରୁପ ମ୍ୟାଟ୍ରିକ ଓ ଯୁକ୍ତ ଦୁଇ ଭଳି ପରୀକ୍ଷା ମଧ୍ୟ ହୋଇ ପାରିଲା ନାହିଁ । ବୋର୍ଡ କତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ପୂର୍ବ ପରୀକ୍ଷା ଗୁଡିକର ମାର୍କ ସହ ସାମଞ୍ଜସ୍ୟ ରହିବା ଭଳି ମାର୍କ ଦେଇ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏଣୁ ଆଗାମୀ ଦିନରେ ମହାମାରୀ କରୋନା ଭଳି ସ୍ଥିତିକୁ ଲକ୍ଷ୍ୟ ରଖି ବୋର୍ଡ କତ୍ତୃପକ୍ଷ ଗତ ବର୍ଷରୁ ମ୍ୟାଟ୍ରୀକ ପରୀକ୍ଷାକୁ ନୂଆ ପ୍ରଣାଳୀରେ କରୁଥିବା ଦେଖିବାକୁ ମିଳିଛି । ମ୍ୟାଟ୍ରିକ (୧୦ମ) ଶ୍ରେଣୀ ଛାତ୍ରଛାତ୍ରୀ ଚଳିତ ବର୍ଷ ଦ୍ୱିତୀୟ ଥର ଭାବରେ ଏବେ ସମେଟିଭ୍-୧ ପରୀକ୍ଷା ଦେଇଥିଲେ। ଆସାନ୍ତା ଫେବୃୟାରୀରେ ସମେଟିଭ୍- ୨ ପରୀକ୍ଷା ହେବ । ଦୁଇ ଗୋଟି ପରୀକ୍ଷାର ଫଳାଫଳକୁ ପାଥେୟ କରି ଛାତ୍ରଛାତ୍ରଙ୍କ ମୋଟ ମୂଲ୍ୟାୟନ ହେବ ବୋଲି ସୂଚନା ମିଳିଛି । ଗତ ବର୍ଷ ପରୀକ୍ଷା ମୂଳକ ଭାବରେ ବୋର୍ଡ କତ୍ତୃପକ୍ଷ ମ୍ୟାଟ୍ରିକ ଛାତ୍ରଛାତ୍ରୀଙ୍କୁ ଏହି ପଦ୍ଧତିରେ ପରୀକ୍ଷା କରେଇଥିଲେ । ଏହା ସଫଳତାର ସହିତ ହୋଇଥିବାରୁ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ପାଇଁ ସମେଟିଭ୍- ୧ ପରୀକ୍ଷା ହୋଇଥିଲା । ଗତ ୨୩/୧୧ ରୁ ମ୍ୟାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ସମେଟିଭ୍-୧ ପରୀକ୍ଷା ଆରମ୍ଭ ହେଲା । ଏହା ବୁଧବାର ନଭେମ୍ବର ୩୦ ଦିବା ୧୨ ଘଣ୍ଟା ସମୟରେ ସମାପନ ହୋଇଥିଲା । ନର୍ଲା ବ୍ଲକ୍ ଅଞ୍ଚଳରେ ରହିଥିବା ୧୪ ଗୋଟି ସରକାରୀ ଓ ୧୫ ଗୋଟି ଅନୁଦାନପ୍ରାପ୍ତ ହାଇସ୍କୁଲ ଏଭଳି ୨୯ ଗୋଟି ଉଚ୍ଚ ବିଦ୍ୟାଳୟର ମୋଟ ୧୯୭୬ ଜଣ ଛାତ୍ରଛାତ୍ରୀ ୧୩ ଗୋଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିବା ବେଳେ ପରୀକ୍ଷା କେନ୍ଦ୍ରର ପ୍ରଧାନ ଶିକ୍ଷକ ସୁପରିଟେଣ୍ଡେଣ୍ଟ ଭାବରେ ଦାଇତ୍ୱ ନିର୍ବାହନ କରିଥିଲେ । ୧୩ ଗୋଟି ପରୀକ୍ଷା କେନ୍ଦ୍ର ଡିୟୁଭିପି ତୁଳାପଡା ରେ ୧୩୨ ଜଣ, ଘୋଡାବନ୍ଧ ହାଇସ୍କୁଲରେ ୧୩୯, ମିଳିତ ପଞ୍ଚାୟତ ମୁସ୍କୁଟି ହାଇସ୍କୁଲରେ ୧୩୯, ପଞ୍ଚାୟତ ସମିତି ହାଇସ୍କୁଲ ନର୍ଲାରେ ୨୨୮, ରାଧାକୃଷ୍ଣ ହାଇସ୍କୁଲ ଶାନ୍ତପୁରରେ ୧୮୯, ରୁପ୍ରାରୋଡ ହାଇସ୍କୁଲ ରେ ୨୧୩, ଭାନ୍ପୁର ହାଇସ୍କୁଲରେ ୧୪୧, ନିଶାଣପୁର ହାଇସ୍କୁଲରେ ୧୪୭, ସେରଗଡ ବିଦ୍ୟାପୀଠରେ ୭୦, ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡ ରେ ୧୧୭, ପଲମ ଉଚ୍ଚ ବିଦ୍ୟାପୀଠରେ ୧୬୩, ପଞ୍ଚାୟତ ହାଇସ୍କୁଲ ସରିଆଁରେ ୧୫୦, ଉଲିକୁପା ସରକାରୀ ହାଇସ୍କୁଲରେ ୧୪୮ ଜଣ ଏଭଳି ମୋଟ ୧୯୭୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୪୧ ଜଣ ଅନୁପସ୍ଥିତ ରହିଥିବା ଜଣାପଡିଛି । କେବଳ ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡ କେନ୍ଦ୍ର ଓ ନିଶାଣପୁର ପରୀକ୍ଷା କେନ୍ଦ୍ରକୁ ଛାଡି ଅନ୍ୟ ପରୀକ୍ଷା କେନ୍ଦ୍ର ଗୁଡିକରେ କେତେକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହୁଥିବା ସୂଚନା ମିଳିଛି । ୨୦୧୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ରହିଥିବା ବେଳେ ସମସ୍ତ ୧୩ ଗୋଟି କେନ୍ଦ୍ରରେ ୧୯୭୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଏବଂ ୪୧ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ଜଣାପଡିଛି । ୧୩ ଗୋଟି ପରୀକ୍ଷା କେନ୍ଦ୍ର ରେ ୧୫୬ ଜଣ ହାଇସ୍କୁଲ ଓ ପ୍ରାଇମେରୀ ଶିକ୍ଷକ ପରୀକ୍ଷା ଡ୍ୟୁଟି କରିଥିବା ଜଣାପଡ଼ିଛି । ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଭାବରେ ପଞ୍ଚାୟତ ସମିତି ହାଇସ୍କୁଲ ନର୍ଲା, ଡିୟୁଭିପି ତୁଳାପଡା, ଘୋଡାବନ୍ଧ ଓ ନିଶାଣପୁର ଏଭଳି ୪ ଗୋଟି କେନ୍ଦ୍ର ରହିଥିବାରୁ ଏହି କେନ୍ଦ୍ର ଗୁଡିକରେ ଶିକ୍ଷା ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ପରୀକ୍ଷା ପରିଚାଳନା କରୁଥିଲେ । ଏହି କ୍ରମରେ ନର୍ଲା ହାଇସ୍କୁଲରେ ବ୍ଲକ୍ ଶିକ୍ଷାଧିକାରୀ ତପିମଣି ଜାନୀ, ତୁଳାପଡା ରେ ସହକାରୀ ବ୍ଲକ୍ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ, ନିଶାଣପୁର କେନ୍ଦ୍ରରେ ମିଲିତ ପଞ୍ଚାୟତ ହାଇସ୍କୁଲ ମୁସ୍କୁଟିର ପ୍ରଧାନ ଶିକ୍ଷକ ଅରୁଣ ନାଏକ ଓ ଘୋଡାବନ୍ଧ ପରୀକ୍ଷା କେନ୍ଦ୍ରରେ ସହକାରୀ ବ୍ଲକ୍ ଶିକ୍ଷାଧିକାରୀ ସୂର୍ଯ୍ୟଦେବ ବାଗ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିବା ବ୍ଲକ୍ ଶିକ୍ଷା ଧିକାରୀ ଶ୍ରୀ ଜାନୀ ସୂଚନା ପ୍ରଦାନ କରିବା ସହ ନର୍ଲାର ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକରେ ଅତି ସୁନ୍ଦର ଓ ଶାନ୍ତି ଶୃଙ୍ଖଳାର ସହିତ ପରୀକ୍ଷା ପରିଚାଳିତ ହୋଇଥିଲା ବୋଲି ମତବ୍ୟକ୍ତ କରିଛନ୍ତି ।