ଶଗଡ଼ା ହାଇସ୍କୁଲର ବାର୍ଷିକ କ୍ରୀଡ଼ା ମହୋତ୍ସବ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲି ଖାଁ): ସରକାରୀ ଉଚ୍ଚ ବିଦ୍ୟାଳୟ, ଶଗଡ଼ାର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ବିଦ୍ୟାଳୟ ପରିସରରେ ଥିବା ଖେଳପଡ଼ିଆରେ ଉଦ୍‌ଯାପିତ ହୋଇଯାଇଛି। ଦୁଇଦିନ ଧରି ହୋଇଥିବା ଏହି କ୍ରୀଡ଼ା ମହୋତ୍ସବକୁ କଳାହାଣ୍ଡି ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ମହେନ୍ଦ୍ର କୁମାର ପଣ୍ଡା ଆନୁଷ୍ଠାନିକ ଭାବେ ଉଦ୍‌ଯାପିତ କରିଛନ୍ତି। ଗତ କାଲି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ସମାରୋହରେ ସ୍ଥାନୀୟ ସରପଂଚ ଗୋବିନ୍ଦ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ଉଦ୍‌ଯାପନୀ ସମାରୋହରେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଅଶାନ୍ତ ନାଏକ ଯୋଗଦେଇଥିଲେ। ଉଭୟ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁକାନ୍ତ କୁମାର ସାହୁ ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ବରିଷ୍ଠ ଶିକ୍ଷକ ଯୁଧିଷ୍ଠିର ମୁଦୁଲି। ଉଦ୍‌ଯାପନୀ ସମାରୋହର ମୁଖ୍ୟ ଅତିଥି ଶ୍ରୀ ପଣ୍ଡା କହିଥିଲେ ଯେ, ମନୁଷ୍ୟ ଜୀବନରେ ଅମୂଲ୍ୟ ସଂପଦ ହେଉଛି ସୁସ୍ୱାସ୍ଥ୍ୟ ଓ ତାହାର ସୁରକ୍ଷା କରିବା ପାଇଁ କ୍ରୀଡ଼ା ନିହାତି ଆବଶ୍ୟକ। ତେଣୁ କ୍ରୀଡ଼ାକୁ କେବଳ ପ୍ରତିଯୋଗିତା ମଧ୍ୟରେ ସୀମାବଦ୍ଧ ନ କରି ଜୀବନର ଏକ ଅଙ୍ଗ କରିନେବା ଉଚିତ। ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସୁନୀଲ କୁମାର ନାୟକ, କିଆପଦର ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଶୁଭମ୍ ଜ୍ୟୋତି ରାଉତ ଓ କାମଠଣା ଦୟାନିଧି ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଅନୁପ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନୁଷ୍ଠିତ ସମସ୍ତ କ୍ରୀଡ଼ାରେ ବାଳକ ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇଥିଲେ ଦଶମ ଶ୍ରେଣୀ ଜଗନ୍ନାଥ ଚଣ୍ଡି ଓ ବାଳିକା ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇଥିଲେ ଦଶମ ଶ୍ରେଣୀର ଧରିତ୍ରୀ ନାଏକ। ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ସହଯୋଗରେ ସବ୍ ଜୁନିୟର, ଜୁନିୟର ଓ ସିନୟର ବର୍ଗର ୧୨ଟି ବିଭାଗର କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡ଼ା ଉତ୍ସବରେ ବିଦ୍ୟାଳୟର ପ୍ରାୟ ୨୦୦ ଛାତ୍ରଛାତ୍ରୀ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.