୧୮ ଲକ୍ଷ ବ୍ୟୟରେ ମଣିଷ ନେଲା ଗଧିଆ ରୂପ

ଓଡ଼ିଆ ବାର୍ତ୍ତା/ ଟୋକିଓ: ସୁନ୍ଦର ଦିଶିବା ପାଇଁ ଲୋକେ ପଇସା ଖର୍ଚ୍ଚ କରନ୍ତି । ଖାଲି ଖର୍ଚ୍ଚ କରନ୍ତିନି, ଟଙ୍କାକୁ ପାଣି ପରି ବୁହାଇ ଦିଅନ୍ତି। ମହିଳାମାନେ ଶୃଙ୍ଗାର ପ୍ରିୟ ବୋଲି ସମସ୍ତେ ଜାଣନ୍ତି । ହେଲେ ଏବେ ପୁରୁଷ ବି ଶୃଙ୍ଗାରରେ ପଛରେ ପଡି ନାହାନ୍ତି   । ଥରେ ପାର୍ଲର ଗଲେ ପୁରୁଷ ହୁଅନ୍ତୁ ବା ମହିଳା..ଟଙ୍କାକୁ ପାଣି ପରି ବୁହାଇ ଦେଇଥାନ୍ତି ।  ତେବେ ଗଧିଆ ପରି ଦିଶିବା ପାଇଁ  ଜଣେ ଟଙ୍କା ଉଡାଇବ ? ଏକଥା ଶୁଣିଲେ ବି କିଏ ବିଶ୍ୱାସ କରିବେ କି ? ହେଲେ ଏହି ବ୍ୟକ୍ତି ଜଣକ ନିଜ ଚେହେରାକୁ ଗଧିଆ ପରି କରିବା ପାଇଁ ଖର୍ଚ୍ଚ କରିଛନ୍ତି ୧୮ ଲକ୍ଷ ଟଙ୍କା  ।ଜାପାନର ଏହି ବ୍ୟକ୍ତି ଜଣକ ଗଧିଆ ପରି ଦିଶିବା ପାଇଁ , ୩, ୦୦୦,୦୦୦ ୟାନ ଅର୍ଥାତ ୧୮.୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏପରିକି ସେ ଗଧିଆ ପରି ଚାଲୁଛନ୍ତି ମଧ୍ୟ । ଜେପେଟ ନାମକ ଏକ କମ୍ପାନୀ ଏଥିପାଇଁ ସବୁ କଷ୍ଟ୍ୟମ ଡିଜାଇନ କରିଛି । ଏପରିକି କମ୍ପାନୀ ପକ୍ଷରୁ ଇନଷ୍ଟାଗ୍ରାମରେ ଏହାର ଫଟୋ ମଧ୍ୟ ସେୟାର କରାଯାଇଛି । ଏପରି ବେଶ ଧାରଣ କରିଥିବା ବ୍ୟକ୍ତି ଜଣ ନିଜ ନାଁ ଲୁଚାଇବା ସର୍ତ୍ତରେ କହିଛନ୍ତି, ପିଲାବେଳୁ ସେ ଜୀବଜନ୍ତୁ ପ୍ରିୟ ଥିଲେ । ଟିଭିରେ ଦେଖୁଥିବା ଜୀବଜନ୍ତୁଙ୍କ  ସୁଟିଂକୁ ମଧ୍ୟ ଦେଖିବାକୁ ଭଲ ପାଆାନ୍ତି । ଏମାନଙ୍କ ପରି ଦିଶିବା ଲାଗି ତାଙ୍କର ପିଲାବେଳର ଏକ ସ୍ୱପ୍ନ ଥିଲା । କମ୍ପାନୀ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ପୁରା ଆଉଟଫିଟ ତିଆରି କରିବା ପାଇଁ ପୁରା ୫୦ ଦିନ ଲାଗିଥିଲା । ଏଥିପାଇଁ ସେମାନଙ୍କୁ ଗଧିଆ ବିଷୟରେ ଟିକିନିଖି ତଥ୍ୟ  ସଂଗ୍ରହ କରିବାକୁ ପଡ଼ିଥିଲା । ପ୍ରସ୍ତୁତି ଶେଷ ହେବା ପରେ ଉକ୍ତ ବ୍ୟକ୍ତି ଜଣକ ବି ବେଶ ଖୁସି ଜଣାପଡୁଥିଲେ । ସେ କହିଥିଲେ, ‘ଫାଇନାଲ ଫିଟିଂ ପରେ ଯେତେବେଳେ ନିଜକୁ ଦର୍ପଣରେ ଦେଖିଲି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ଏହା ଏକ ସ୍ମରଣୀୟ ମୁହୂର୍ତ୍ତ ଥିଲା  । କାରଣ ଏହି ମୁହୂର୍ତ୍ତରେ ହିଁ ମୋର ବହୁଦିନର ସ୍ୱପ୍ନ ସତ ହୋଇଥିଲା । ତେବେ ଗଧିଆ ପରି ଦିଶିବା ଏବଂ ଗଧିଆ ଗୋଡ କରିବା ପ୍ରକୃତରେ କଷ୍ଟକର ଥିଲା । କିନ୍ତୁ ପୁରା ଆଉଟଫିଟ ମୁଁ ଯେମିତି ଭାବୁଥିଲି ଠିକ ସେମିତି ହିଁ ହୋଇଛି । ଏହି ଆଉଟଫିଟ ଖାଲି ଦେଖିବାକୁ ଗଧିଆ ପରି ନୁହେଁ, ବରଂ ଏଥିରେ ଭେଣ୍ଟିଲେସନ ବ୍ୟବସ୍ଥା ବି ଭଲ ଭାବେ କରାଯାଇଛି ଯାହାକି ଆରାମ ଦେଉଛି ।ଏହି ଜେପେଟ କମ୍ପାନୀ ଏପରି ଅଦ୍ଭୁତ ପୋଷାକ ତିଆରି କରିବାରେ ବେଶ ଲେକପ୍ରିୟ । ଏହା ପୂର୍ବରୁ ଟେକୋ ନାମକ ବ୍ୟକ୍ତିଙ୍କ ପାଇଁ କୁକୁର ପୋଷାକ ତିଆାରି  କରିଥିଲେ ଏବଂ ଏହାର ଆଉଟଫିଟ ପାଇଁ ୧୨ ଲକ୍ଷ ଟଙ୍କା ତାଙ୍କୁ ଖର୍ଚ୍ଚ କରିବାକୁ ପଡିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.