ଭୁବନେଶ୍ୱର : ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ା ଆଉ ନାହାନ୍ତି। କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ସେ ୨୦୧୦ରୁ ୨୦୧୬ ଯାଏଁ ରାଜ୍ୟସଭା ସାଂସଦ ଥିଲେ । ୧୯୪୧ ମସିହା ଫେବୃଆରୀ ୧୫ରେ ଯାଜପୁର ମଙ୍ଗଳପୁରର ଶ୍ରୀରାମପୁର ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମୃତ୍ୟୁରେ ରାଜନୈତିକ ଓ ବୁଦ୍ଧିଜୀବୀ ମହଲରେ ଶୋକ ପ୍ରକାଶ ପାଇଛି। ମଙ୍ଗଳପୁର ପ୍ରାଥମିକ ବିଦ୍ୟାଳୟରେ ସେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ପରେ ମହତାବ ହାଇସ୍କୁଲରେ ମଧ୍ୟ ପାଠ ପଢ଼ିଥିଲେ। ମାଟ୍ରିକ ସରିବା ପରେ ସ୍ୱର୍ଗତ ପରିଡ଼ା ଉଚ୍ଚଶିକ୍ଷା ପାଇଁ କୋଲକାତା ଯାଇଥିଲେ।କୋଲକାତା ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଏମଏ କରିଥିଲେ। ପରେ ସେ ମସ୍କୋ ବିଶ୍ୱବିଦ୍ୟାଳୟରେ ଏମଫିଲ କରିଥିଲେ। ସ୍ୱର୍ଗତ ପରିଡ଼ା ଏକାଧାରରେ ଜଣେ ରାଜନେତା, ସାହିତ୍ୟିକ ଓ ସମାଜସେବୀ ଭାବେ ପରିଚିତ ଥିଲେ। ଏଥିସହିତ ଭାଷା ଆନ୍ଦୋଳନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଜଣେ ଲେଖକ ଭାବେ ମଧ୍ୟ ବେଶ ପରିଚିତ ଥିଲେ।