ନର୍ଲାରେ ପ୍ରହସନ ପାଲଟିଛି ଆମ ପୋଲିସ ସମିତି ବୈଠକ !

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ଅଧିନସ୍ଥ ଗ୍ରାମ ଗୁଡିକର ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷାବିତ୍ ଏବଂ ବୁଦ୍ଧିଜୀବି ମାନଙ୍କୁ ନେଇ ଅପ୍ରେଲ ୨୦୧୫ ରେ ତତ୍କାଳୀନ ଆଇଆଇସି ସମୀର ରାଉତଙ୍କ ନେତୃତ୍ୱତ୍ୱରେ ପୋଲିସ ସମିତି ଗଠନ କରାଗଲା । ଯାହାର ଉଦ୍ଦେଶ୍ୟ ହେଲା ଅଞ୍ଚଳରେ ସଂଘଟିତ ହେଉଥିବା ଅପରାଧ, ନିଶା କାରବାରକୁ ରୋକିବା । ଅଞ୍ଚଳରେ ଘଟିଯାଉଥିବା ଧର୍ଷଣ, ନାରୀ ନିର୍ଯ୍ୟାତନା ଓ ଚୋରୀ, ଡକାୟତ ଭଳି କାର୍ଯ୍ୟ କଳାପ ଉପରେ ଜନସଚେତନତା ସୃଷ୍ଟି କରିବା । ଏ ନେଇ ସାରା ରାଜ୍ୟରେ ଏହି ଧାରାରେ ବିଭାଗ ତରଫରୁ ନିର୍ଦ୍ଦେଶ ମଧ୍ୟ ରହିଛି । ଏହି ପର୍ଯ୍ୟାୟରେ ନର୍ଲା ପୋଲିସ୍ ସମିତିର ପ୍ରଥମ ବୈଠକ ତତ୍କାଳୀନ ଆଇଆଇସି ଉହ୍ଲାସ ମାଝୀଙ୍କ ଅଧ୍ୟକ୍ଷତାରେ ନର୍ଲା ଥାନା ପରିସରରେ ଆରମ୍ଭ ହୋଇଥିଲା ତା.୧୯/୦୧/୨୦୧୬ ରେ । ଏହାପରେ ଚାରିମାସ ଧରି ଠିକ ଚାଲିବା ପରେ ଧୀରେ ଧୀରେ ଶିଥିଳ ହୋଇ ବନ୍ଦ ହୋଇଗଲା । ତାପରେ ନର୍ଲା ଆଇଆଇସି ଭାବରେ ଆସିଲେ ରମଣୀ ରଞ୍ଜନ ଦଳେଇ । ତାଙ୍କ ୪ ବର୍ଷ କାର୍ଯ୍ୟକାଳ ସମୟରେ ମଧ୍ୟ ମାତ୍ର କେତେଥର ପୋଲିସ ସମିତି ମିଟିଂ ହୋଇ ତା’ପରେ ଠପ ହୋଇ ପଡ଼ିଥିଲା । ନୂଆ ଭାବରେ ନିଯୁକ୍ତି ପାଇଥିବା ଡ଼ିଏସପି ମାନଙ୍କ ତାଲିମ କ୍ୟାମ୍ପ ଭାବରେ ରହିଛି ନର୍ଲା ଥାନା । ଏଣୁ ତତ୍କାଳୀନ ଆଇଆଇସି ରମଣୀ ରଞ୍ଜନ ଦଳେଇଙ୍କ ଦୁଇବର୍ଷ ପୂର୍ବରୁ ଓ ବର୍ଷେ ପରେ ନର୍ଲା ଥାନାକୁ ଦୁଇ ଦୁଇ ଜଣ ଡ଼ିଏସପି ଆସି ତାଲିମ ନେବା ସମୟରେ ଆମ ପୋଲିସ ସମିତି ବୈଠକ ଠିକ୍ ଭାବରେ ହେଲା ନାହିଁ । ଏବେ ରାଉରକେଲାର ସବ ଇନ୍ସପେକ୍ଟରରୁ ପଦୋନ୍ନତି ପାଇ ନର୍ଲା ଆଇଆଇସି ଭାବରେ ଦାଇତ୍ୱ ଭାର ଗ୍ରହଣ କରିଛନ୍ତି ଗଙ୍ଗାଧର ମେହେର । ସେ ଆସିବା ପରେ ପୁଣି ଆରମ୍ଭ କରିଛନ୍ତି ଆମ ପୋଲିସ ସମିତି ମିଟିଙ୍ଗ । ହେଲେ ଶ୍ରୀ ମେହେରଙ୍କ ୬ ମାସ ସମୟ ଅବଧି ମଧ୍ୟରେ ମାତ୍ର ଦୁଇ/ତିନି ଥର ହୋଇଛି ଆମ ପୋଲିସ ସମିତି ବୈଠକ । ହେଲେ ଏଥିରେ ଆଲୋଚ୍ୟ ବିଷୟ ଓ ଲିପିବଦ୍ଧ ବିବରଣୀ କୌଣସୀ ଫଳପ୍ରସୂ ହୋଇ ପାରିନଥିବା ନର୍ଲା ପୋଲିସ ସମିତିର ସଦସ୍ୟ ବୃନ୍ଦ ଓ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ଆଲୋଚନା ହେଉଛି ।

ନର୍ଲା ଥାନା ଅଞ୍ଚଳରେ ମହୁଲି ମଦ ଆଗରୁ ଘରେ ଘରେ ପ୍ରସ୍ତୁତ ହେଉଥିବା ନଜୀର ରହିଥିଲା । ଅବକାରୀ ବିଭାଗର ଧରପଗଡ ପରେ ମଦ ରାନ୍ଧିବା ସିନା କିଛି କାଂଶରେ ବନ୍ଦ ହୋଇଯାଇଛି । ହେଲେ ମଦ୍ୟପଙ୍କ ସଂଖ୍ୟା ଚାରିଗୁଣା ବୃଦ୍ଧିପାଇଛି । ଏଥିରେ ଯୁବପିଢୀ ଅଧିକ ସଂଖ୍ୟାରେ ସାମିଲ ହେଉଥିବା ବେଳେ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଯୁବପିଢୀଙ୍କୁ ପଙ୍ଗୁ କରି ସାରିଲାଣି । ସରକାରଙ୍କ ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟି ଓ ବିଦେଶୀ ମଦ ଦୋକାନ ବ୍ୟତୀତ ଗାଁ ଗାଁରେ ଦେଶୀ ମହୁଲି ମଦକୁଠୀ ଏବଂ ଜଳଖିଆ ଓ ଚା ପାନ ଦୋକାନରେ ମଧ୍ୟ ବେଆଇନ ମଦ କାରବାର ଚାଲିଛି । ଯାହା ସମ୍ପୂର୍ଣ୍ଣ ଭାବରେ ପୋଲିସର ଜ୍ଞାତସାରରେ ହେଉଛି ବୋଲି ଜନସାଧାରଣ ପୋଲିସ୍ ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି । ପରିତାପର ବିଷୟ ପ୍ରଥମ ପୋଲିସ୍ ସମିତି ବୈଠକରେ ସମସ୍ତ ସଦସ୍ୟ ନର୍ଲା ଅଞ୍ଚଳରେ ଚାଲିଥିବା ବେଆଇନ ମଦକୁଠୀ ଓ ଅବୈଧ ବିଦେଶୀ ମଦର   କାରବାରକୁ ବନ୍ଦ କରିବା ପାଇଁ ପ୍ରସ୍ତାବ ଆଣିଥିଲେ । ଏବଂ ନର୍ଲା ପୋଲିସ୍ ମାସକ ମଧ୍ୟରେ ଏସବୁ ବନ୍ଦ କରାଯିବ ବୋଲି ସମିତିରେ ଦୃଢ ପ୍ରତିଶୃତି ମଧ୍ୟ ଦେଇଥିଲା । ହେଲେ ଅବୈଧ ଓ ବେଆଇନ ମଦ କାରାବାର ବନ୍ଦ କରାଯିବ କ’ଣ ଓଲଟା ନର୍ଲା ପୋଲିସର ବରିଷ୍ଠ ଅଧିକାରୀ ମାନେ ବିଦେଶୀ ମଦ ଦୋକାନ ତଥା ବିଭିନ୍ନ ଦେଶୀ ମଦକୁଠୀରୁ ମାଗଣାରେ ମଦ ଆଣି ପିଉଥିବା ଆଲୋଚନା ହେଉଛି । ଏହାବାଦ୍ ରହିଲା ଜୁଆ, ସଟ୍ଟା କଥା । ଏସବୁ ସହ ମଧ୍ୟ ପୋଲିସ୍ ଅଙ୍ଗାଙ୍କୀ ଭାବରେ ଜଡିତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।  ଆଉ ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ନର୍ଲା ଥାନାକୁ ଆସୁଥିବା ୯୦ ପ୍ରତିଶତ କେସ୍ ନାରୀ ନିର୍ଯ୍ୟାତନା, ଯୌତୁକ ନିର୍ଯ୍ୟାତନା ଓ ଧର୍ଷଣ ଜନିତ । ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ଏକ ତଥ୍ୟରୁ ଜଣାପଡିଛି ୨୦୧୪ ମସିହାରେ ନର୍ଲା ଥାନା ଧର୍ଷଣ ଜନିତ ମାମଲା ରୁଜ୍ଜୁ କରିବାରେ ଓଡିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଆଉ ବୋଧେ ଏହିଭଳି ଅପରାଧିକ ମାମଲା, ନାରୀ ନିର୍ଯାତନା ଉପରେ ଜନସଚେତନତା ସୃଷ୍ଟି ପାଇଁ ବିଭାଗ ଆମ ପୋଲିସ ସମିତି ଗଠନ ଭଳି ଏକ ମହନୀୟ ପଦକ୍ଷେପ ଗ୍ରହଣ କରି ପ୍ରତି ମାସରେ ଥରେ ମିଟିଂ ପାଇଁ ନିୟମ ପ୍ରଣୟନ କରିଛି । ନର୍ଲା ଥାନା ଅଧିନସ୍ଥ ମଧୁପୁର ଠାରେ ନାବାଳିକା ପୋଡି ଘଟଣା, ରାକ୍ସି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାଇଚୁଆଁ ଠାରେ ନାବାଳିକା ଦୁସ୍କର୍ମ ଓ ହତ୍ୟା ଘଟଣା,   ପିପଲପଦର ମହିଳାଙ୍କୁ ଜମିରେ ହତ୍ୟା ଘଟଣା ଓ ଶ୍ରୀକିଶନ ଅଗ୍ରୱାଲଙ୍କ ମର୍ଡର ଘଟଣାକୁ ଲୋକେ ଭୁଲିଯିବାକୁ ବସିଲେଣି ହେଲେ ଏଯାଏଁ ଧରାପଡିଲେନି ଖୁନି ଆସାମୀ । ସେହିଭଳି ନର୍ଲାରେ ଦିନକୁ ଦିନ ବଢି ଚାଲିଛି ଡିକି ଭାଙ୍ଗି ଟଙ୍କା ଲୁଟ ଘଟଣା । ଅହେତୁକ ଭାବରେ ବଢି ଚାଲିଛି ତାଲା ଭାଙ୍ଗି ଘର ଲୁଟପାଟ ଓ ବାଇକ ଚୋରୀ ଘଟଣା । ବଢି ଚାଲିଛି ଗୋରୁପଲ ଜନିତ ଟ୍ରାଫିକ ସମସ୍ୟା । ଏସବୁ ଘଟଣା ନର୍ଲା ପୋଲିସର ନିସ୍କ୍ରୀୟତା  ଜ୍ୱଳନ୍ତ ପ୍ରମାଣ ଦିଏ । ନର୍ଲା ପୋଲିସ୍ ତରଫରୁ ନୂଆ ଆଇଆଇସୀଙ୍କ ନେତୃତ୍ବରେ ଆଜକୁ ଦୁଇ ଦୁଇ ଥର ପୋଲିସ୍ ସମିତି ମିଟିଂ ଅନୁଷ୍ଠିତ ହୋଇ ସାରିଛି ।  ଆଉ ପ୍ରତ୍ୟେକ ଥର ବେଆଇନ ମଦ କାରବାର, ବାଲିପଡାରୁ ନର୍ଲା ଗୋରୁ ପଲ ଜନିତ ଟ୍ରାଫିକ ସମସ୍ୟା ପ୍ରତି ଦୃଢ ପଦକ୍ଷେପ ନିଆଯିବ ବୋଲି କେବଳ ଖାତାରେ ବିବରଣୀ ଲେଖି ଦାଇତ୍ୱ ସାରି ଦେଉଛନ୍ତି ନର୍ଲା ଆଇଆଇସି ଗଙ୍ଗାଧର ମେହେର  । ଆଉ ପଦକ୍ଷେପ ଶୂନ୍ । ଶେଷ ମିଟିଂ ଦୁଇ ମାସ ତଳେ ହୋଇଥିଲା ସେବଠୁ ଆଉ ମିଟିଂର ମଧ୍ୟ ନାଁ ଗନ୍ଧ ନାହିଁ । ଦିନକୁ ଦିନ ନର୍ଲା ଅଞ୍ଚଳରେ ବେଲଗାମ୍ ଭାବରେ ବେଆଇନ ମଦ କାରବାର, ଜୁଆ, ସଟ୍ଟା ଓ ଧର୍ଷଣ ଭଳି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ କାଗଜ ପତ୍ର କାମ ବହୁତ ବଢିଯାଇଛି କହି ନର୍ଲା ଥାନାର ମୁରବୀ ମାନେ କମ୍ପ୍ୟୁଟର ଧରି ଦିନରାତି ବସି ରହୁଛନ୍ତି ଥାନା ଭିତରେ । ଗୋଟିଏ ପଟେ ଧର୍ଷଣ କେସ୍ ଦାଏରରେ ନର୍ଲା ଥାନା ଶିର୍ଷରେ ରହି ସାରିଥିବା ବେଳେ ଆଉ ଅନ୍ୟପକ୍ଷେ ରାଜ୍ୟ ସରକାର ନାରୀ ସଶକ୍ତି କରଣ ଉପରେ ଡିଣ୍ଡିମ ପିଟୁଛନ୍ତି । ମାଆକୁ ସମ୍ମାନ ଗାଁକୁ କାମ ର ନାରାବାଜି କରୁଛନ୍ତି । ସରକାର ଓ ପୋଲିସ୍ ଉପରୁ ଜନସାଧାରଣଙ୍କ ଆସ୍ଥା କ୍ରମଶଃ ତୁଟି ତୁଟି ଯାଉଛି । ଆମ ପୋଲିସ୍ ସମିତି ଗଠନ ହେବା ପରେ ଏଥରକ ଯାହାହେଉ ଅଞ୍ଚଳରେ କିଛି ପରିବର୍ତ୍ତନ ଆସିବ ବୋଲି ଲୋକେ ଭାବୁଥିଲେ ହେଲେ ଯଥା ପୂବଂ ତଥା ପରଂ । ଏବେ ଜନସାଧାରଣ କହୁଛନ୍ତି ପ୍ରହସନ ପାଲଟିଛି ଆମ ପୋଲିସ୍ ସମିତି ବୈଠକ ବୋଲି । ଏଇଠି ଖୁଲମ ଖୁଲା ଚାଲିଛି ଜୁଆ, ମଦ କାରବାର, ଗୋରୁ ଟ୍ରାଫିକ ସମସ୍ୟା। ନିସ୍କ୍ରୀୟ ନର୍ଲା ପୋଲିସ୍ର ସ୍ଥାଣୁତା ପ୍ରତି କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ତୁରନ୍ତ ଦୃଷ୍ଟି ଦିଅନ୍ତୁ ନ ହେଲେ ନର୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିବ ବୋଲି ବୁଦ୍ଧିଜୀବି ମାନେ ମତବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.