ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ବୁଢିପଦର ସାପ୍ତାହିକ ବଜାରରେ ଛେଳିମେଣ୍ଢା ଦର ଆକାଶଛୁଆଁ ରହିଛି। ଦର ଅଧିକ ରହିଥିଲେ ମଧ୍ୟ ବିକ୍ରୀ ବଟା ଭଲ ରହିଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଠାରେ ସପ୍ତାହର ଶନିବାର ଦିନ ଛେଳିମେଣ୍ଢା ବିକ୍ରୀ ହୋଇଥାଏ। ଏହି ବଜାର ଉପରେ ନର୍ଲା, କେସିଙ୍ଗା, ଭବାନୀପାଟଣା ବ୍ଲକ ସମେତ ପଡୋଶୀ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଅଞ୍ଚଳର ଲୋକେ ନିର୍ଭର କରିଥାନ୍ତି। ହାଟରେ ପନିପରିବା, କୁକୁଡ଼ା, ବତକ, ଛେଳିମେଣ୍ଢା ଆଦି କ୍ରୟ ବିକ୍ରୟ ହୋଇଥାଏ। ବର୍ତ୍ତମାନ ବିବାହ ଋତୁ ଚାଲିଥିବା ଯୋଗୁଁ ଛେଳିର ଯଥେଷ୍ଟ ଚାହିଦା ରହିଛି। ତେବେ ମାସକ ତଳେ ୧୨/୧୨ ହଜାରରେ ମିଳୁଥିବା ଛେଳି ଏବେ ୧୫/୧୭ ହଜାରରେ ବିକ୍ରୀ ହେଉଛି। ମୋଟାମୋଟି ଭାବରେ କହିବାକୁ ଗଲେ ଗୋଟା ଛେଳିକୁ ହିସାବକୁ ନେଲେ କିଲୋ ପ୍ରତି ଦର ୧୦୦୦ ରୁ ୧୨୦୦ ପଡିଯାଉଛି। ଅତି ଆବଶ୍ୟକ ଥିବାହେତୁ ଲୋକେ ବାଧ୍ୟ ହୋଇ ଛେଳିମେଣ୍ଢା କିଣୁଛନ୍ତି।