ପୁଣିଥରେ ଆବାସ ଯୋଜନା ଅନିୟମିତତା ପ୍ରସଙ୍ଗ ଦୋହରାଇଲା ବିଜେପି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଡିସେମ୍ବର ୨୬ରେ ଦିଆଯାଇଥିଲା ଦାବିପତ୍ର, କାର୍ଯ୍ୟକାରି ନ ହେବାରୁ ପୁନଃ ପ୍ରଦାନ କରାଗଲା ସ୍ମାରକ ପତ୍ର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କେନ୍ଦ୍ର ହାତଖୋଳି ଦେଉଛି କିନ୍ତୁ ରାଜ୍ୟ ସରକାର ତାକୁ ଠିକ ଭାବରେ କାର୍ଯ୍ୟକାରୀ କରୁ ନାହାନ୍ତି। କେନ୍ଦ୍ରର ସବୁ ଯୋଜନାରେ ନିଜର ଛାପା ମାରିଦେଇ ବାହାବା ନେଉଛନ୍ତି ରାଜ୍ୟର ବିଜେଡି ସରକାର। ଟଙ୍କିକିଆ ଚାଉଳ ରାଜନୀତି ପରେ ଏବେ ଆବାସ ଗୃହକୁ ନେଇ ଓଡିଶାର ରାଜନୈତିକ ପାଣିପାଗ ସରଗରମ ରହିଛି। ପରସ୍ପର ମଧ୍ୟରେ ଆରୋପ ପ୍ରତ୍ୟାରୋପ ମଧ୍ୟରେ ବିଜେପି ପୁଣିଥରେ ଦୋହରାଇଛି ଆବାସ ଗୃହ ପ୍ରସଙ୍ଗ। ଗତ ଡିସେମ୍ବର ୨୬ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏନେଇ ଦାବିପତ୍ର ପ୍ରଦାନ କରିଥିଲା ବିଜେପି। କିନ୍ତୁ ଏହାର କୈାଣସି ସୁଫଳ ମିଳିନଥିବାରୁ ଆଜି ପୁନଃ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି କର୍ଲାମୁଣ୍ଡା ବିଜେପି। କର୍ଲାମୁଣ୍ଡା ମଣ୍ଡଳ ସଭାପତି ସଂଜୟ ଜୈନ, ଯୋରାଡବ୍ରା ମଣ୍ଡଳ ସଭାପତି ଦଶରଥ ସାହୁ ଓ ଭାରତୀୟ ଜନତା ପାର୍ଟି କଳାହାଣ୍ଡି ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ବରେ ଏହି ଦାବିପତ୍ର କର୍ଲାମୁଣ୍ଡା ବିଡିଓଙ୍କୁ ପ୍ରଦାନ କରାଯାଇଛି। ପ୍ରକାଶିତ ତାଲିକାରେ ଯୋଗ୍ୟ ହିତାଧିକାରୀ ସ୍ଥାନ ପାଇନଥିବା ବେଳେ ବହୁ ଅଯୋଗ୍ୟ ହିତାଧିକାରୀ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଏପରିକି ୨୦୨୦ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ତାଲିକାରେ ସ୍ଥାନ ପାଇବା ନାମଗୁଡିକ ନିକଟରେ ପ୍ରକାଶିତ ତାଲିକାରେ ବାଦ ପଡିଛି। ପ୍ରଶାସନ ପକ୍ଷରୁ ଅତିତରବରିଆ ଭାବରେ ଏହି ତାଲିକା ପ୍ରସ୍ତୁତ କରାଯାଉଛି। ଏହାର ପୁନଃବିଚାର କରିବା ସହ ତୃଟି ସଂଶୋଧନ କରାଯାଇ ଯୋଗ୍ୟହିତାଧିକାରୀ ନାମ ପ୍ରକାଶ କରିବାକୁ ଦାବି କରିଛି ବିଜେପି। କାର୍ଯ୍ୟକ୍ରମରେ ଯୋରାଡବରା ମଣ୍ଡଳ ପ୍ରଭାରୀ ପଦ୍ମ ଲୋଚନ ମିଶ୍ର, କର୍ଲାମୁଣ୍ଡା ମଣ୍ଡଳ ପ୍ରଭାରୀ ଘନ ଶ୍ୟାମ ଗହିର, ବିଜେପି ନେତା ବିଘ୍ନରାଜ ସାହୁ, ଗୋବିନ୍ଦ ସାହୁ, ଲିଙ୍ଗରାଜ ସାହୁ, ଶିଶିର ସାହୁ, ପ୍ରଭାତୀ ଭୋଇ, ଡୋଲାମଣୀ ସାହୁ, ଶୁଭ୍ରାଂଶୁ ସାହୁ, ଗୋପି ସାହୁ, ଦୈତରାମ ସୁନା, ସାଂସଦ ପ୍ରତିନିଧି ରାଜେନ୍ଦ୍ର ମିଶ୍ର, ପବିତ୍ର ଭୋଇ, ଡୋଲାମଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.