କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳାର ତୃତୀୟ ଦିନ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସମାଜ ଏବଂ ସଭ୍ୟତାର ବିକାଶରେ ଚାଷୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦେଶବାସୀଙ୍କ ଖାଦ୍ୟ ସୁରକ୍ଷା ପାଇଁ କୃଷକମାନଙ୍କ ଅବଦାନ ଅତୁଳନୀୟ । ରାଜ୍ୟରେ ଚାଷୀ ଓ ଚାଷକୁ ସମୃଦ୍ଧ ତଥା ବିକାଶ କରିବା ଏବଂ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ପାଇଁ ସବୁବେଳେ ତତ୍ପରତା ଦେଖାଇ ଆସୁଛନ୍ତି । ଚାଷୀଙ୍କ କ୍ଷେତ୍ରରେ ଅନେକ ଯୋଜନା ପ୍ରଣୟନ କରିବା ସହ ଚାଷୀଙ୍କୁ ଆବଶ୍ୟକ ପଡୁଥିବା ଯନ୍ତ୍ରପାତି ତଥା ଅନ୍ୟ ଉପକରଣଗୁଡିକ ସରକାରୀ ରିହାତି ମୂଲ୍ୟରେ ଯୋଗାଇ ଦେବା ପାଇଁ ଅନେକ ସୁବିଧାସୁଯୋଗ ସୃଷ୍ଟି କରିପାରିଥିବାରୁ ଆଜି ରାଜ୍ୟ ସରକାର ଲଗାତାର ଭାବେ କୃଷି କର୍ମଣ ଭଳି ସମ୍ମାନଜନକ ଆୱାର୍ଡରେ ସମ୍ମାନୀତ ହୋଇପାରିଛନ୍ତି ବୋଲି ରାୟଗଡା ଜିଲ୍ଳାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳାର ତୃତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିଭାଷଣ ଦେଇଥିଲେ । ଏଥିସହ କୃଷି ମେଳା କୃଷକମାନଙ୍କୁ ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର ଦ୍ୱାରା କୃଷିି କାର୍ଯ୍ୟରେ ଅଧିକ ସଫଳ ହେବା ସହ ଚାଷ ସମ୍ବନ୍ଧରେ ଅଧିକ ଞାନ ଦେଇଥାଏ ଏବଂ କୃଷି କ୍ଷେତ୍ରରେ ମିଳୁଥିବା ବିଭିନ୍ନ ସରକାରୀ ରିହାତି ମୂଲ୍ୟକୁ ସୂଚାଇ ଦେଇଥାଏ ବୋଲି କହିଥିଲେ । ଚାଷୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ଅତ୍ୟାଧୁନିକ କୃଷି କୈାଶଳ ଏବଂ ଯନ୍ତ୍ରପାତି ସହ ସେମାନଙ୍କ ପ୍ରତ୍ୟେକ୍ଷ ଭାବେ ପରିଚିତ ହେବାର ସୁଯୋଗ ପାଇଥାନ୍ତି ଏହି କୃଷି ମେଳାରେ କୃଷି ସମ୍ବନ୍ଧୀୟ ଜ୍ଞାନ ଆହୋରଣ କରି ଆଗାମୀ ଦିନରେ ଜଣେ ଜଣେ କିପରି ସଫଳ ଚାଷୀ ହୋଇପାରିବା,ଭଲ ଚାଷ କରିବା ପାରିବା ଅନ୍ୟକୁ ପ୍ରେରଣା ଦେଇପାରିବା ସେଥିପ୍ରତି ଯତ୍ନବାନ ହେବା ବୋଲି ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି ସମ୍ମାନୀତ ଅତିଥି ଭାବେ ଯୋଗ ଦାନ କରି ଚାଷୀଙ୍କ ପାଇଁ ରାଜ୍ୟ ସରକାର ପ୍ରଣୟନ କରୁଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ଜିଲ୍ଳା ପ୍ରଶାସନ ଓ କୃଷି ଓ କୃଷକ ସଶକ୍ତିକରଣ ରାୟଗଡା ଦ୍ୱାରା ଆୟୋଜିତ ଏହି କୃଷି ଯନ୍ତ୍ରପାତି ମେଳାର ସଭାପତି ତଥା ଜିଲ୍ଳାପାଳ ସ୍ୱଧାଦେବ ସିଂଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଳାର ବିଭିନ୍ନ ବ୍ଳକର ଅଗ୍ରଣୀ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଅତିଥିମାନଙ୍କୁ ମଧ୍ୟ ଜିଲ୍ଳାପାଳ ସ୍ୱଧାଦେବ ସିଂ ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ତୃତୀୟ ଦିନରେ କୃଷି ଯନ୍ତ୍ରପାତିର ବ୍ୟବହାର ଓ ଚାଷୀଙ୍କ ଉନ୍ନତି ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ତୃତୀୟ ଦିନ ସୁଦ୍ଧା ୭କୋଟି ଟଙ୍କାରୁ ଉର୍ଦ୍ଧ ଟଙ୍କାର ସରକାରୀ ରିହାତି ଦରରେ କୃଷି ଯନ୍ତ୍ରପାତି ବିକ୍ରି ହୋଇଥିବା ନେଇ ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ଦାଶ ପ୍ରକାଶ କରିଥିଲେ । ଆଲୋଚନା ଚକ୍ର ପର୍ଯ୍ୟାୟ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ମନଭରି ଉପଭୋଗ କରିଥିଲେ ଚାଷୀ ଭାଇଭଉଣୀମାନେ । ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଦୟାନିଧି ବାଗ,ଜିଲ୍ଳା ମୁଖ୍ୟ ପ୍ରାଣୀ ସଂପଦ ଅଧିକାରୀ, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ପତିତପାବନ ସାମନ୍ତରାଏଙ୍କ ସମେତ ବିଭାଗୀୟ ଅଧିକାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।