ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ଅନ୍ତର୍ଗତ ରୁପ୍ରାରୋଡ ବସ୍ତି ଭିତରେ ଜଣେ ମଦପ୍ୟ ଟ୍ରକ ଡ୍ରାଇଭର ଉନ୍ମତ କାଣ୍ଡ ଭିଆଇଛି। ସେ ଜଣେ ବ୍ୟକ୍ତିଙ୍କ ଘର ବାରଣ୍ଡା ଉପରେ ଟ୍ରକ ମଡ଼ାଇ ଦେବା ଫଳରେ ଅନେକ କ୍ଷୟ କ୍ଷତି ହେବା ସହ ଅଳ୍ପକେ ବର୍ତ୍ତିଛନ୍ତି ପରିବାରବର୍ଗ। ଖବର ନେବାରୁ ଜଣାପଡିଛି ଯେ, ପ୍ରଚୁର ମଦ୍ୟପାନ କରି ବୁଧବାର ରାତ୍ରି ପ୍ରାୟ ୯ ଟା ୪୫ ମିନିଟ୍ ସମୟରେ ରୁପ୍ରାରୋଡ ବାସିନ୍ଦା ଧର୍ମୁ ଅଗ୍ରୱାଲଙ୍କ ଘର କାନ୍ଥ ପଟେ ମାଡି ଆସିଥିଲା ଲୋଡ ଟ୍ରକ (ନଂ- ସିଜି ୦୬ ଜିଏଲ ୬୮୦୨)ଟି। ଆଖି ପିଛୁଳାକେ ଚୂରମାର ହୋଇ ଯାଇଥିଲା ଘର ବାରଣ୍ଡା। ଟ୍ରକ ମାଡିଯିବା ଫଳରେ ଧର୍ମୁ ଅଗ୍ରୱାଲଙ୍କ ଘର ସମ୍ମୁଖରେ ରହିଥିବା ଡ୍ରେନ ଉପରେ ପଡ଼ିଥିବା ସମସ୍ତ ସିମେଣ୍ଟ ପ୍ଲେଟ ଓ ତାଙ୍କର ଦୋକାନ ପିଣ୍ଡା ଭାଙ୍ଗି ସମ୍ପୂର୍ଣ ଚୁରମାର ହେଇ ଯାଇଥିଲା। ସୂଚନା ମୁତାବକ ମଦ୍ୟପ ଟ୍ରକ ଡ୍ରାଇଭର ଜଣକ ଭୀମକେଲା ଛକ ନିକଟରେ ଥିବା ମହାଲଷ୍ମୀ ବସ ଡ୍ରାଇଭର ସହ ପାଟି ତୁଣ୍ଡ କରିବା ସଙ୍ଗେ ସଙ୍ଗେ ମାରିଦେବାର ଧମକ ଦେଇଥିଲା। ପରେ ସେହି ରାସ୍ତା ଦେଇ ରୁପ୍ରାରୋଡ ବସ୍ତି ଭିତରକୁ ପ୍ରବେଶ କରି ଏଭଳି କାଣ୍ଡ ଭିଅଇଥିବା ସୂଚନା ମିଳିଛି। କୌଣସି ବ୍ୟକ୍ତି ନର୍ଲା ପୋଲିସକୁ ଫୋନ କରି ସୂଚନା ଦେବା ପରେ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଟ୍ରକ ଜବତ କରିବା ସହ ଟ୍ରକ ଡ୍ରାଇଭରକୁ ଥାନାକୁ ନେଇ ଅଟକ ରଖିଥିଲେ। ଟ୍ରକ ଡ୍ରାଇଭର ପାଖରୁ ଏକ ଧାରୁଆ ଅସ୍ତ୍ର ମଧ୍ୟ ପୋଲିସ ଜବତ କରିଥିବା ସୂଚନା ମିଳିଛି। ବୁଧବାର ରାତିରୁ ନର୍ଲା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା ବୋଲି ସୂଚନା ମିଳିଥିଲା ହେଲେ ଆଜି ପର୍ଯ୍ୟନ୍ତ କୌଣସି ଏଫଆଇଆର ରୁଜୁ କରାଯାଇନଥିବା ଆଲୋଚନା ହେଉଛି। ହେଲେ ଶୁକ୍ରବାର ରାତ୍ରି ୮ ଟା ପର୍ଯ୍ୟନ୍ତ ଟ୍ରକ୍ ଟି ନର୍ଲା ଥାନା ସମ୍ମୁଖରେ ଛିଡା ରହିଥିବା ଦେଖିବାକୁ ମିଳିଥିଲା। ନର୍ଲା ଆଞ୍ଚଳରେ ବେଆଇନ ଚୋରା ମଦ କାରବାର ବୃଦ୍ଧି ପାଉଥବା କାରଣରୁ ଟ୍ରକ ଡ୍ରାଇଭର ମାନେ କେବଳ ମଦ୍ୟ ପାନ କରିବା ପାଇଁ ରୁପ୍ରାରୋଡ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି। ତେବେ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ମଦୁଆ ଟ୍ରକ ଡ୍ରାଇଭର ପ୍ରତି ନର୍ଲା ପୋଲିସ କଣ ପଦକ୍ଷେପ ନେଉଛି। ରୁପ୍ରାରୋଡ଼ର ଉକ୍ତ ଅଗ୍ରୱାଲ ପରିବାର ପ୍ରତି କିଭଳି ନ୍ୟାୟ ପ୍ରଦାନ କରାଯାଉଛି ତାହା ମଧ୍ୟ ଦେଖିବାକୁ ବାକି ରହିଲା।




