୭ ଜଣଙ୍କୁ ପ୍ରେମ ବିବାହ: ଏକାଠି ରୁହନ୍ତି ୭ ପତ୍ନୀ, ୯ ପିଲା

ଏକାଧିକ ପତ୍ନୀ ଗ୍ରହଣ କଲେ ତାହାର କ’ଣ ସାଇଡ଼ ଇଫେକ୍ଟ ଥାଏ ଏକଥା ଆମ ଭିତରୁ ଉଣା ଅଧିକେ ଜାଣିଛେ । ହିନ୍ଦି ସିନେମା ସାଜନ ଚଲେ ଶଶୁରାଲ କିମ୍ବା କିସ୍ କିସ୍ କୋ ମେ ପ୍ୟାର କରୁ ଯଦି ଆପଣ ଦେଖିଥିବେ ତାହାହେଲେ ଏକାଧିକ ପତ୍ନୀ ରଖିଲେ କ’ଣ ଅସୁବିଧା ହୁଏ ସେ କଥା ଅନୁଭବ କରିଥିବେ । କିନ୍ତୁ ଆମ ସମାଜରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଗୋଟିଏ,ଦୁଇଟି କି ତିନୋଟି ପତ୍ନୀ ନୁହେଁ, ଏକାଥରକେ ୭ ପତ୍ନୀଙ୍କର ସ୍ୱାମୀ ହୋଇଛନ୍ତି । ସମସ୍ତ ୭ ପତ୍ନୀଙ୍କୁ ସେ ପ୍ରେମ ବିବାହ କରିଛନ୍ତି । ଆଉ ସମସ୍ତଙ୍କ ସହ ଖୁସିରେ ଅଛନ୍ତି ଓ ପାରିବାରିକ ବିବାଦ କିଛି ନାହିଁ ବୋଲି ସ୍ପଷ୍ଟ ବି କରିଛନ୍ତି । ଏମିତି ଜଣେ ବ୍ୟକ୍ତି ହେଲେ ନଟ୍ଟାପୋଙ୍ଗ ଛବେଲେମ ।

ଥାଇଲାଣ୍ଡର ନାଖୋମ୍‌ବାସିନ୍ଦା ନଟ୍ଟାପୋଙ୍ଗ ଛବେଲେମ । ବୟସ ୩୪ ବର୍ଷ । ପେଷାରେ ଜଣେ ସେଲ୍‌ସମ୍ୟାନ୍ । ତାଙ୍କର ପରିବାର କହିଲେ ୭ ସ୍ତ୍ରୀ ଓ ୯ ପିଲା । ନଟ୍ଟାପୋଙ୍ଗ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚାରେ । ଚର୍ଚ୍ଚାର କାରଣ ତାଙ୍କର ୭ ପତ୍ନୀଙ୍କୁ ନେଇ । ନଟ୍ଟାପୋଙ୍ଗ କୁହନ୍ତି, ମୁଁ ଦେଖିବାକୁ ହ୍ୟାଣ୍ଡସମ୍ ନୁହେଁ । ମୁଁ ଜଣେ ଧନୀ ପିଲା ବି ନୁହେଁ । ଝିଅମାନେ ମୋତେ କାହିଁକି ଏତେ ପସନ୍ଦ କରନ୍ତି ମୁଁ ଜାଣିନାହିଁ । ସେମାନଙ୍କର ମୋ ପ୍ରତି ଭଲପାଇବାକୁ ସମ୍ମାନ ଦେଇ ମୁଁ ସେମାନଙ୍କୁ ଗ୍ରହଣ କରିଛି । ୭ ଜଣଙ୍କୁ ଭଲ ପାଇ ବିବାହ କରିଛି । ସମସ୍ତେ ଭିନ୍ନ ଭିନ୍ନ ଅଂଚଳର । ମୁଁ ବିବାହିତ ବୋଲି କାହାକୁ ଲୁଚାଇନାହିଁ । ତଥାପି ସେମାନେ ମୋତେ ବହୁତ ଭଲ ପାଆନ୍ତି । ସମସ୍ତ ୭ ପତ୍ନୀଙ୍କ ମଧ୍ୟରେ ବୁଝାମଣା ବହୁତ ଭଲ । କେବେ ଉଭୟ ଉଭୟଙ୍କ ଭିତରେ ଝଗଡ଼ା କରିବା ଦେଖିନାହିଁ । ଏକାଠି ଗୋଟିଏ ଘରେ ମିଳିମିଶି ରୁହନ୍ତି । ତେଣୁ ୭ ସ୍ତ୍ରୀଙ୍କୁ ରଖିବାରେ ମୋର କୌଣସି ଅସୁବିଧା ହୁଏ ନାହିଁ ।

ଆଜିକାଲି ଦୁନିଆରେ ଗୋଟିଏ ସ୍ତ୍ରୀକୁ ରଖିବା ସମ୍ଭବ ହୋଇ ନ ଥିବା ବେଳେ ୭ ସ୍ତ୍ରୀଙ୍କୁ ଗୋଟିଏ ଘରେ ରଖିବା କଷ୍ଟକର । କିନ୍ତୁ ନଟ୍ଟାପୋଙ୍ଗଙ୍କ ପାଖରେ ଏହା ସମ୍ଭବ ବୋଲି କହିଛନ୍ତି ତାଙ୍କ ପତ୍ନୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.