ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ମାଟିରେ କାମନା ଦଣ୍ଡର ଅୟମାରମ୍ଭକୁ ଏକଶହ ବର୍ଷ ପୂତ୍ତି ହେଇଥିବାବେଳେ ଏହି ଗୌରବମୟ ଅଧ୍ୟାୟକୁ ଆହୁରି ଗୌରବାନ୍ୱିତ କରିବା ପାଇଁ ଆଂଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ତରଫରୁ ଚଳିତ ମାସ ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ମହାସମାରୋହରେ ପାଳିତହେବ ଶତବାର୍ଷିକୀ ମହୋତ୍ସବ । ଏହି ଅବସରରେ ପରିଷଦ ତରଫରୁ ଦିଆଯାଉଥିବା ଶିର୍ଷ ସମ୍ମାନ ଦଣ୍ଡପାଣି ସ୍ମୃତି ସମ୍ମାନ ପାଇବେ ନାଟ୍ୟକାର, ନିର୍ଦ୍ଦେଶକ, ଘୁମୁରା ଗୁରୁ କୈଳାସ ଚନ୍ଦ୍ର ନାଏକ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଦ୍ୱାରଶୁନୀ ଗ୍ରାମ ପଂଚାୟତର ସରପଂଚ ଶ୍ରୀ ନାଏକ,ମ.ରାମପୁର କାମନା ଦଣ୍ଡ ସାଂସ୍କୃତିକ ର ଶତବାର୍ଷିକ ମହୋତ୍ସବ ଅବସରରେ କଳାହାଣ୍ଡିର ଜଣେ ବିଶିଷ୍ଠ ଲୋକନାଟ୍ୟକାର ଭାବେ ଆସନ୍ତା ତା ୧୭ .୦୨ .୨୩ ରିଖ ଉଦଯାପନୀ ସମାରୋହରେ ଅତିଥିମାନଙ୍କ ଦ୍ୱାରା ମାନପତ୍ର,ଉପାୟନ,ସ୍ମୃତି ଫଳକ ସହିତ ଦଣ୍ଡପାଣି ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ ହେବେ । ଭବାନୀପାଟଣା, ଲାଂଜିଗଡ଼, ନର୍ଲା ତଥା କେସିଙ୍ଗା ଆଦି ବ୍ଲକ ପ୍ରାୟତଃ କୋଡ଼ିଏ ଖଣ୍ଡ ଗାଁରେ ତାଙ୍କ ରଚନା ଓ ନିର୍ଦ୍ଦେଶନାରେ ବହୁ ଉନ୍ନତ ମାନର ଲୀଳା ସୁଆଙ୍ଗ ଦୀର୍ଘ ୨୫ବର୍ଷ ହେଲା ଅଭିନୀତ ହେଇଆସୁଛି । ସେହିପରି ‘ଘୁମୁରା’ ନୃତ୍ୟ ର ଜଣେ ସୁନାମଧନ୍ୟ ଗୁରୁ ତଥା ଗିତୀକାର ଭାବେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ତାଙ୍କରି ରଚନା ମଧ୍ୟରେ ‘ଚନ୍ଦ୍ର-ପଦ୍ମିନୀ ବିବାହ’, ‘ମର୍କତ ମଂଜୁଳା ହରଣ’ ବିଚିତ୍ର କଳ୍ପନା ଓ ‘ପ୍ରେମଲତାର ପରିଣୟ’ ଆଦି ସୁଆଙ୍ଗ କଳାହାଣ୍ଡିର ଲୋକ ନାଟ୍ୟ ପରମ୍ପରା କୁ ଋଦ୍ଧିମନ୍ତ କରିଛି । କଳା ସଂସ୍କୃତି ପ୍ରତି ସେ ଜଣେ ଉତ୍ସର୍ଗୀକୃତ ବ୍ୟକ୍ତିତ୍ୱ । ଚଳିତ ବର୍ଷ ଏହି ସମ୍ମାନ ଶ୍ରୀ ନାଏକ ପାଇବେ ବୋଲି ପରିଷଦର ସଭାପତି ରୁଦ୍ର ପ୍ରତାପ ସିଂହ ଓ ସଂପାଦକ ପ୍ରକାଶ ଚନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।