ରେଳବାଇ ଜାଗାରୁ ଉଚ୍ଛେଦ ପୂର୍ବରୁ ଥଇଥାନ ବ୍ୟବସ୍ଥା ପାଇଁ ଦାବି କଲା ଆପ୍ ଦଳ

ସମସ୍ତ ସୁବିଧା ଦେଇ ଜେଏସକୋ ଜମିରେ ବସ୍ତିବାସିନ୍ଦାଙ୍କୁ ଥଇଥାନ କର :ଜନ୍ମେଜୟ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରରେ ଥିବା ରେଳବାଇ ଜାଗାରେ ଦୀର୍ଘ ୨୫ବର୍ଷରୁ ଉର୍ଦ୍ଧ ସମୟ ଧରି ରହିଆସୁଥିବା ବସ୍ତିବାସିନ୍ଦାଙ୍କୁ ପୂର୍ବତଟ ରେଳବାଇ ବିଭାଗ ପକ୍ଷରୁ ରାୟଗଡା ନୂତନ ରେଳ ଡିଭିଜନ ପ୍ରତିଷ୍ଠା ନିମନ୍ତେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ନିତ କରିବା ପାଇଁ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ ପାଇଁ ନୋଟିସ ଜାରି କରାଯାଇଛି । ତେବେ କୈାଣସି ଥଇଥାନ ବ୍ୟବସ୍ଥା ନ ଥିବାରୁ ନିଜ ଘର ପରିବାରକୁ ନେଇ କୁଆଡେ ଯିବୁ ବୋଲି ଚିନ୍ତା କରି ଦିନ କାଟୁଛନ୍ତି ବସ୍ତିବାସିନ୍ଦା । କୋଇଲାପଡା ବସ୍ତିବାସିନ୍ଦାଙ୍କୁ ଆସନ୍ତା ଫେବୃଆରୀ ୨୨ତାରିଖ ସୁଦ୍ଧା ଜାଗା ଖାଲି କରିବାକୁ ରେଳବାଇ ନୋଟିସ୍ ଜାରି କରିଥିବା ବେଳେ ଗତ ୧୪ତାରିଖ ଦିନ ୩ଟି ଘରକୁ ରେଳବାଇ ବିଭାଗ ପକ୍ଷରୁ ସଂପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଦିଆଯାଇଥିଲା । ସେହିପରି ରେଳବାଇର ଅନ୍ୟ ସ୍ଥାନଗୁଡିକରେ ବସବାସ କରୁଥିବା ବାସିନ୍ଦାମାନଙ୍କୁ ମଧ୍ୟ ଜୋରଜବର ଦଖଲକୁ ଛାଡିବା ପାଇଁ ନୋଟିସ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ବସ୍ତିବାସିନ୍ଦାଙ୍କ ଦାବୀକୁ ସମର୍ଥନ କରି ରାୟଗଡା ଜିଲ୍ଳା ଆମ୍ ଆଦମୀ ପାର୍ଟି ରାଜ୍ୟ ସଂପାଦକ (ସଂଗଠକ),ମୁଖପାତ୍ର ଓଡିଶା ଏବଂ ରାୟଗଡା ଆବାହକ ଜନ୍ମେଜୟ ସ୍ୱାଇଁ ଆଜି ଶତାଧିକ ବସ୍ତିବାସିନ୍ଦା ଏବଂ ନିଜ ଦଳୀୟ କାର୍ଯ୍ୟକର୍ତା,କର୍ମୀଙ୍କୁ ନେଇ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରାଙ୍କୁ ପ୍ରଦାନ କରିଥିଲେ । ଆପ୍ ଦଳ ପକ୍ଷରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ରେଳବାଇ ଜାଗାରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ ପୂର୍ବରୁ ଥଇଥାନ ବ୍ୟବସ୍ଥା ଏବଂ ସରକାରୀ ଖାତାକୁ ଫେରିଥିବା ଜେଏସକୋର ୫୦୬ଏକର ଜମି ଭିତରେ ୫୦ଏକର ଜମିରେ ସମସ୍ତ ସୁବିଧା ସୁଯୋଗ ସହ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବା ଭଳି ଦାବି ଉଲ୍ଳେଖ କରାଯାଇଛି ।

ଯଦି ଦାବି ପୂରଣ ନ ହୁଏ ତେବେ ଆସନ୍ତା ମାର୍ଚ୍ଚ ୧ତାରିଖରେ ଆପ୍ ଦଳ ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଥିବା ମହା ସମାବେଶରେ ସହରର ୫ହଜାରରୁ ଉର୍ଦ୍ଧ ବସ୍ତିବାସିନ୍ଦାଙ୍କୁ ନେଇ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା କରାଯିବ ବୋଲି ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆପ୍ ନଗର ସଭାପତି ଶ୍ରୀମତି ସୁଚିତ୍ରା ପାଇକ, ବ୍ଳକ ସଭାପତି ଜିତେନ୍ଦ୍ର ସେନାପତି,ଦୁର୍ଗା ଚରଣ ପଟ୍ଟନାୟକ, ରମେଶ ପାତ୍ର, ସନ୍ତୋଷ ପାଇକ, ସୁଭାଶିନି ନାୟକ, ମଧୁସୂଦନ ପାଣିଗ୍ରାହୀ, ଲକି ଶଗଡିଆଙ୍କ ସମେତ କୋଇଲାପଡା ବସ୍ତିବାସିନ୍ଦା ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.