ନର୍ଲାରୋଡ ନୀଳକଣ୍ଠେଶ୍ୱର ମନ୍ଦିରରେ ଶିବରାତ୍ରୀ: ରାତି ୧୦.୧୧ ରେ ଉଠିଲା ମହାଦୀପ, ସକାଳ ୭.୫୨ ରେ ନାମଯଜ୍ଞର ପୂର୍ଣ୍ଣାହୂତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଶିବ ମନ୍ଦିରରେ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି ମହା ଶିବରାତ୍ରୀ । ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଖାଁ ଖାଁ ହୋଇ ପଡିଥିଲା ଏହି ଉତ୍ସବ । ପବିତ୍ର ମହା ଶିବରାତ୍ରୀରେ ନର୍ଲାରୋଡ ନୀଳ କଣ୍ଠେଶ୍ୱର ଶିବ ମନ୍ଦିରରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଜାଗର ଜାଳି ଉଜାଗରରେ ବସିଥିଲେ । ଲାଣ୍ଡି ଡୁଙ୍ଗୁରି ସ୍ଥିତ ଶିବ ମନ୍ଦିର ପରିସର ଭକ୍ତ ସମାଗମରେ ଭରି ଉଠିଥିଲା ।

ନର୍ଲାରୋଡ ହମେଶ କୁମାର ଜୈନ ଦମ୍ପତି ମହାଦୀପ ଓ କଳସ ମୁଣ୍ଡେଇ ମନ୍ଦିର ବେଢା ପରିକ୍ରମା କରିଥିଲେ । ମହାଦୀପ ସହିତ ନର୍ଲା ସଂକୀର୍ତ୍ତନ ମଣ୍ଡଳୀ ଓ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ମନ୍ଦିର ପରିକ୍ରମା କରିଥିଲେ । ରାତ୍ର ୧୦.୧୧ ସମୟରେ ମହାଦୀପ ଉଠିଥିଲା । ହରହର ମହାଦେବ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା ମନ୍ଦିର ପରିସର । ଏଥିରେ ସାମୁହିକ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ନର୍ଲାରୋଡ ନୀଳକଣ୍ଠେଶ୍ୱର ଶିବ ମନ୍ଦିର ପରିଚାଳନା କମିଟିର ସଭାପତି ଗୋବିନ୍ଦରାମ କେଡିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ଶିବରାତ୍ର ପାଳନ କମିଟିର ନେତୃତ୍ୱରେ ଶିବରାତ୍ର ପାଳନ ହୋଇଥିବା ବେଳେ କମିଟିର ବରିଷ୍ଠ ସଦସ୍ୟ ଜହରଲାଲ ବିଶ୍ୱାଳ, ନନ୍ଦକିଶୋର ଜେନା, ନରସିଂହ ମହାରଣା, ବିଜୟ ବୁଦ୍ଧିଆ, ଅମର ରାଉତ, ବିନାୟକ ମହନ୍ତ, ମଧୁସୁଦନ ରାଉତ, ତୀର୍ଥ ବୁଦ୍ଧିଆ, ବିମଲ କୁମାର କେଡିଆ, ଟୁଲୁ ଓଝା, ସୁବାସ ସାହୁ (ପାଣ୍ଡା), ରିଣ୍ଟୁ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ନୃସିଂହଚରଣ ପାଢ଼ୀ, ସୁରେଶ ପାଢ଼ୀ ଓ ଦେବୁ ପାଢ଼ୀ ପୂଜକ ପଣ୍ଡିତ ଭାବରେ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ । ଶିବରାତ୍ର ଅବସରରେ ଅଷ୍ଟ ପ୍ରହର ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା । ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ ପଣ୍ଡାଙ୍କ ନେତୃତ୍ୱରେ ଅଞ୍ଚଳର ୫ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ନାମ ସଂକୀର୍ତ୍ତନ କରିଥିଲେ । ନାମଯଜ୍ଞ ରେ କର୍ତ୍ତା ଭାବରେ ମଞ୍ଜୁଲତା ଜୈନ ଓ କମରଲାଲ ଜୈନ ଦମ୍ପତି ଦାଇତ୍ଵ ନିର୍ବାହନ କରିଥିଲେ । ଆଜି ରବିବାର ସକାଳ ୭.୫୨ ରେ ନାମଯଜ୍ଞ ର ପୂର୍ଣ୍ଣାହୂତି ପଡିଛି । ଶିବରାତ୍ରୀରେ ୫ ହଜାର ରୁ ଉର୍ଦ୍ଧ୍ବ ଭକ୍ତ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ଶୃଙ୍ଖଳା ପାଇଁ ନର୍ଲା ପୋଲିସ୍ ଓ ନର୍ଲା ଅଗ୍ନିଶମ ବିଭାଗ ତରଫରୁ ବିଶେଷ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା ।

ସାରା ଦେଶର ଶୈବପୀଠ ଗୁଡିକରେ ଶିବରାତ୍ରୀ ପାଳନ କରାଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳର ଶୈବପୀଠ ଗୁଡିକରେ ମଧ୍ୟ ମହା ଶିବରାତ୍ରୀ ଆଡମ୍ବର ସହକାରେ ପାଳିତ ହୋଇଥିଲା । ବଡି ଭୋରରୁ ଶିବମନ୍ଦିର ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିତ ଦେଖିବାକୁ ମିଳିଥିଲା । ନର୍ଲା ଅଞ୍ଚଳରେ ରହିଥିବା ଶୈବପୀଠ ଗୁଡିକ ମଧ୍ୟରେ ନର୍ଲା, ନର୍ଲାରୋଡ ନୀଳ କଣ୍ଠେଶ୍ୱର ଶିବ ମନ୍ଦିର, ଦେବଗିରୀ ମଠସ୍ଥିତ ଶୈବ ପୀଠ, ଖମ୍ବପଡା, ତୁଳାପଡା, ବିଲାଟ୍, କେରାଣ୍ଡିଖୁଣ୍ଟି, ଭୀମକେଲା, ତୁଳାପଡା, ଛତିକୁଡା, ମାଣ୍ଡେଲ ପ୍ରଭୃତି ଶିବ ମନ୍ଦିର ଗୁଡିକରେ ଶିବରାତ୍ର ଯୋଗୁଁ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.