କମିବ ପେନସିଲ ସାର୍ପନର, ତରଳଗୁଡ ଓ ଟ୍ରାକିଂ ଡିଭାଇସର ଦାମ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଶସ୍ତା ହେବ ପେନସିଲ ସାର୍ପନର,ତରଳଗୁଡ ଓ ନିର୍ଦ୍ଦିଷ୍ଟ ଟ୍ରାକିଂ ଡିଭାଇସ । କାରଣ ଏସବୁ ସାମଗ୍ରୀ ଉପରୁ ଟିକସ କମାଇଛି ଜିଏସଟି ପରିଷଦ । ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣଙ୍କ ଅଧ୍ୟକ୍ଷତାରେ ଶନିବାର ସାମଗ୍ରୀ ଓ ସେବା ଟିକସ (ଜିଏସଟି) ପରିଷଦର ୪୯ ତମ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି । ବୈଠକରେ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ବୈଠକରେ ରାଜ୍ୟଗୁଡିକ ପାଇଁ ଅବଶିଷ୍ଟ ୧୬,୯୮୨ କୋଟିର କ୍ଷତିପୂରଣକୁ ମଞ୍ଜୁର କରାଯାଇଛି । କେନ୍ଦ୍ର ସରକାର ଏହି ରାଶିକୁ ନିଜ ପାଣ୍ଠିରୁ ପ୍ରଦାନ କରିବେ ବୋଲି କହିଛନ୍ତି । ଏହି ରାଶି ଆଜିଠାରୁ ଭରଣା କରାଯବ ଏବଂ ଏହା ଦ୍ୱାରା ରାଜ୍ୟଗୁଡକୁ ଏବାବଦରେ ୫ବର୍ଷର କ୍ଷତିପୂରଣ ମିଳିଯିବ ।

୨୦୧୭ରେ ଏହି ଜିଏସଟି ଲାଗୁ ହୋଇଥିଲା । ସେତେବେଳେ ନୂଆ ଟିକସ ବ୍ୟବସ୍ଥା ଯୋଗୁ ରାଜ୍ୟଗୁଡିକ ଯେଉଁ ଟିକସହାନି ସହିବେ ତାହାର କ୍ଷତିପୂରଣ କେନ୍ଦ୍ର ଭରଣା କରିବେ ବୋଲି ବ୍ୟବସ୍ଥା ଥିଲା । ୫ ବର୍ଷ ପାଇଁ ଏହା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ସେହି ନିଷ୍ପତ୍ତି ଅନୁସାରେ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

ବୈଠକରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଟ୍ୟାଗ, ଟ୍ରାକିଂ ଡିଭାଇସ ଉପରେ ଜିଏସଟି ସମ୍ପୂର୍ଣ୍ଣ ଛାଡ କରାଯାଇଛି । ପୂର୍ବରୁ ଏହା ଉପରେ ୧୮ ପ୍ରତିଶତ ଜିଏସଟି ଆଦାୟ କରାଯାଉଥିଲା । ପେନସିଲ ସାର୍ପନର ଉପରୁ ମଧ୍ୟ ୧୮ ପ୍ରତିଶତ ଜିଏସଟି ଆଦାୟ କରାଯାଉଥିଲା । ଏବେ ଏହାକୁ କମାଇ ୧୨ ପ୍ରତିଶତ କରାଯାଇଛି । ତେବେ ଖୋଲାରେ ବିକ୍ରି ହେଉଥିବା ତରଳଗୁଡ ଉପରେ ଆଦୌ ଜିଏସଟି ଲାଗୁ ହେବ ନାହିଁ । ପୂର୍ବରୁ ମଧ୍ୟ ଏହା ଉପରେ ୧୮ ପ୍ରତିଶତ ଜିଏସଟି ଆଦାୟ ହେଉଥିଲା । ତେବେ ଲେବଲ ଲାଗିଥିବା ପ୍ୟାକେଟ ଗୁଡ ଉପରେ ୫ ପ୍ରତିଷତ ଜିଏସଟି ଲାଗୁ ହେବ ।

ଅନ୍ୟପକ୍ଷେ ପାନମସଲା, ଗୁଟଖା ଉପରେ କ୍ଷମତାଭିତ୍ତିକ ଟିକସପାଇଁ ମନ୍ତ୍ରିଗୋଷ୍ଠୀ ଯେଉଁ ସୁପାରିଶ କରିଥିଲେ ତାହାକୁ ଆଜି ଜିଏସଟି ପରିଷଦ ଗ୍ରହଣ କରିଛି । ତେବେ ସିମେଣ୍ଟ ଉପରୁ ଜିଏସଟି ହ୍ରାସ ନେଇ ପରିଷଦରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଦ୍ଵିତୀୟ ବିଜ୍ଞାନ ବିଭାଗରେ ଆୟୋଜିତଏହି ବୈଠକରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ରାଜ୍ୟ ଅର୍ଥମନ୍ତ୍ରୀଙ୍କ ସହ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.