ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା କଳାହାଣ୍ଡି ଜିଲ୍ଲାରେ ନଭେମ୍ବରରୁ ମଇ ମାସ ମଧ୍ୟରେ ଡାଙ୍ଗଚଘୁ ଓ ମୁଡତୁପୁ ମାନେ ନିଜ ପରିବାରକୁ ନେଇ ଗାଁ ଦାଣ୍ଡରେ ଖେଳ ପ୍ରଦର୍ଶନ କରି ଜୀବନ ଜୀବୀକା ନିର୍ବାହନ କରି ଆସୁଥିଲେ। ସାପୁଆ କେଳା ମାନେ ମଧ୍ୟ ୧୦ ରୁ ୧୫ ଗୋଟି ବିଭିନ୍ନ ପ୍ରଜାତିର ସାପ ନେଇଆସି ଗାଁ ଦାଣ୍ଡରେ ସାପ ଖେଳ ପ୍ରଦର୍ଶନ କରି ଚାଉଳ, ଡାଲି, ଟଙ୍କା, ପଇସା ମାଗି ଜୀବନ ଜୀବିକା ନିର୍ବାହନ କରିଆସୁଥିଲେ। ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ହୋଇଗଲାଣି ଆଉ ମୁଡତୁପୁ ଗାଁ ମାନଙ୍କୁ ଆସୁ ନାହାନ୍ତି କିମ୍ବା ଗାଁ ଦାଣ୍ଡରେ ମୁଣ୍ଡପୋତା ଖେଳ ପ୍ରଦର୍ଶନ କରି ପାରୁ ନାହାନ୍ତି। କାରଣ ଆଗରୁ ଗାଁ ଦାଣ୍ଡ ଗୁଡିକ ମାଟି, ମେଟାଲ ରାସ୍ତା ସବୁ ରହିଥିଲା। ଫଳରେ ଗାଁ ଦାଣ୍ଡରେ ସୁବିଧାରେ ୨ ଫୁଟ ଗାତ ଖୋଳି ମୁଣ୍ଡ ପୋତି ସେମାନଙ୍କର କଳାନୈପୁଣ୍ୟ ପ୍ରଦର୍ଶନ କରି ଗାଁ ଦର୍ଶକଙ୍କ ହୃଦୟ ଜିଣି ଭଲ ଦୁଇପଇସା ପାଇ କୁଟୁମ୍ବ ପ୍ରତିପୋଷଣ କରୁଥିଲେ। ଏବେ ଗାଁ ଦାଣ୍ଡ ଗୁଡିକ ଚାରିଆଡେ କଂକ୍ରିଟ ରାସ୍ତା ହୋଇଯିବାରୁ ଏମାନଙ୍କ ବେଉସା ବୁଡିଗଲାଣି। ହେଲେ କାଁ ଭାଁ ଦେଖିବାକୁ ମିଳୁଛି ଡାଙ୍ଗଚଘୁ ମାନଙ୍କୁ ଗାଁ ଦାଣ୍ଡରେ ବାଉଁଶ ଦଉଡି ମାଧ୍ୟମରେ ସନ୍ତୁଳନ ଖେଳ ପ୍ରଦର୍ଶନ। ଗୋଟିଏ ପରିବାରର ୫ ଜଣ। ମାଁ ରାସ୍ତାକଡ କୋଉ ଗଛ ମୂଳେ ରୋଷେଇବାସ ସମ୍ଭାଳୁଥିବା ବେଳେ ବାପା ଏହି ବାଉଁଶ ଦଉଡି ଖେଳ ପାଇଁ ଆବଶ୍ୟକ ବାଉଁଶ, ଦଉଡି, ମାଇକ ସେଟ ନେଇ ଦୁଇ ଝିଅ ଓ ପୁଅ ସହ ଆସି ବାଜା ବଜାଇ ଦର୍ଶକଙ୍କୁ ଆକର୍ଷିତ କରିଥାଏ। ଭାଇ ମାଇକ ରେ କମେଣ୍ଟ୍ରି କରିଥାଏ। ଅତି ଛୋଟ ୬ ରୁ ୮ ବର୍ଷର ଦୁଇ ଭଉଣୀ କଂକ୍ରୀଟ ରାସ୍ତା ଉପରେ ବାଉଁଶ ଚାରିଗୋଟି ଉପରେ ଖଞ୍ଜିଥିବା ୧୦ ଫୁଟ ଉଚ୍ଚର ଦଉଡିରେ ଖାଲି ପାଦରେ ଓ ଥାଳିଆ ଯୋଗେ ଯୋଗେ ଚାଲି, ଡ୍ୟାନ୍ସକରି ବିଭିନ୍ନ ଭଙ୍ଗିରେ ସନ୍ତୁଳନ ଖେଳ ପ୍ରଦର୍ଶିତ କରିଥାଏ। ଗାଁ ଲୋକ ଛୋଟ ଝିଅ ମାନେ କରୁଥିବା ବାଉଁସ ଦଉଡି ସନ୍ତୁଳନ ଖେଳ ଦେଖି ଖୁବ ମଜା ନେଇଥାନ୍ତି। ହେଲେ ଗାଁ ଗାଉଁଳିରୁ ମିଳୁଥିବା ଚାଉଳ ଏବଂ ଟଙ୍କା ପଇସା ଏମାନଙ୍କ ପାଇଁ ଯଥେଷ୍ଟ ହୋଇନଥାଏ। ଉଦୁ ଉଦିଆ ପ୍ରଚଣ୍ଡ ଖରା ସମୟ। ଯା ଘରେ ସେ ଖାଇ ପିଇ ବିଶ୍ରାମ ନେଉଥିବା ବେଳେ ଏମାନେ ଗାଁ ଦାଣ୍ଡରେ ଖେଳ ପ୍ରଦର୍ଶନ କରିଥାନ୍ତି। ଦୟନୀୟ ସ୍ଥିତିରେ ଗୁଜୁରାଣ ମେଣ୍ଟାଉଛନ୍ତି ଏହି ଡାଙ୍ଗଚଘୁ ପରିବାର ସବୁ। ସରକାରୀ ପ୍ରୋତ୍ସାହନ ଏମାନଙ୍କ ପାଇଁ କିଛି ନଥିବାରୁ ଏମାନଙ୍କ ସଂଖ୍ୟା ଧିରେ ଧିରେ ବିଲୁପ୍ତ ହେବାକୁ ଯାଉଛି। ଏବେ କାଁ ଭାଁ ଦେଖା ଯାଉଛନ୍ତି ଡାଙ୍ଗଚଘୁ ପରିବାର।