ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସରସ୍ୱତୀ ଶିଶୁ ମନ୍ଦିରରେ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଗତ ୨୭/୨ ସୋମବାରରୁ ନର୍ଲା ସରସ୍ୱତୀ ଶିଶୁ ମନ୍ଦିରରେ ତିନି ଦିନିଆ ପ୍ରଶିକ୍ଷଣ ଶିବିର ପରିଚାଳିତ ହୋଇ ଆସୁଥିଲା । ଏହା ବୁଧବାର ମାର୍ଚ୍ଚ ୧ରେ ଉଦଯାପିତ ହୋଇଯାଇଛି । ଏଥିରେ ଜିଲ୍ଲା ସାରାର ବିଦ୍ୟାଳୟ ଗୁଡିକରୁ ୩୨୫ ଜଣ ଜୁନିୟର ରେଡକ୍ରସ ୬ଷ୍ଠରୁ ୧୦ମ ଯାଏଁ ଛାତ୍ରଛାତ୍ରୀ ଯୋଗଦାନ କରି ପ୍ରଶିକ୍ଷଣ ନେଉଥିଲେ । ଉଦ୍ୟାପନୀ ଉତ୍ସବ ଏଡିଓ ଟେମଲାଲ ଦୁବେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟା ନମ୍ରତା ସାହୁ, ଲିଲି ଦୀପ ପ୍ରମୁଖ ଯୋଗଦାନ କରି ଶିବିରାର୍ଥୀଙ୍କୁ ଉଦ୍ୱୋଧନ ଦେଇଥିଲେ । ମଞ୍ଚ କାର୍ଯ୍ୟକ୍ରରେ ଶିବିରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ । ଏହାପରେ ପତାକା ଅବନତ କରାଯାଇ ଉଦଯାପନୀ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଜୁନିୟର ରେଡକ୍ରସ ପ୍ରତିଷ୍ଠା ଦିବସର ଉଦ୍ଘାଟନୀ ଉତ୍ସବ ସୋମବାର ପୂର୍ବାହ୍ନ ୧୧.୩୦ ରେ ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ ଚୋପଦାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନୀତ ଅତିଥି ଭାବରେ ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ, ସହକାରୀ ନର୍ଲା ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ, ନର୍ଲା ସରସ୍ୱତୀ ଶିଶୁ ମନ୍ଦିରର ଯୁଗ୍ମ ସମ୍ପାଦକ ଅଜୟ କୁମାର ନାଏକ ପ୍ରମୁଖ ଉପସ୍ଥିତ ରହି ରେଡକ୍ରସର ପତାକା ଉତ୍ତୋଳନ କରିଥିଲେ । ୩୨୫ ଜଣ ଜୁନିୟର ରେଡକ୍ରସର ଛାତ୍ରଛାତ୍ରୀଙ୍କୁ ଗାଇଡ କରିବା ପାଇଁ ୧୧୦ ଜଣ ରେଡକ୍ରସ କାଉନସିଲର ଉପସ୍ଥିତ ରହିଥିବା ବେଳେ ଆଇପିଇ ମହେନ୍ଦ୍ର କୁମାର ପଣ୍ଡା, ସୁଦାମ ମିଶ୍ର, କୈଳାସ ଭୋଇ ପ୍ରମୁଖ ରିସୋର୍ସ ପର୍ସନ ଭାବରେ ଶିବିରାର୍ଥୀ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ଜୁନିୟର ରେଡକ୍ରସ ଶିବିରରେ ସ୍ୱାସ୍ଥ୍ୟ, ସେବା ଓ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ଉପରେ ତାଲିମ ଦିଆଯାଇଥିଲା । ପ୍ରତ୍ୟହ ସଂଧ୍ୟା ୫.୩୦ ରେ ସଂଗୀତ, ବକ୍ତୃତା ପ୍ରଭୃତି ପ୍ରତିଯୋଗୀତା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଆଇପିଇ ମହେନ୍ଦ୍ର କୁମାର ପଣ୍ଡା କାର୍ଯ୍ୟକ୍ରମର ସମ୍ପାଦକ ଭାବରେ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନର୍ଲା ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ବୁଦ୍ଧ ନାଏକ ଏହି କାର୍ଯ୍ୟକ୍ରମର ପରିଚାଳନା ସମ୍ପାଦକ ଭାବରେ ଶିବିର ପରିଚାଳନା କରିଥିଲେ ।