● ହେମନ୍ତ ସାହୁ ●
ଲିଲି ଦାସ ଏକ ଅଲେଖା କବିତା, କାବ୍ୟ ବୋଲି ବି କହିପାରନ୍ତି । ଲିଲି ଦାସର ଆଖିରେ ସବୁବେଳେ ବସା ବାନ୍ଧଥାଏ ଗୋଟେ ଛଳ ଛଳ ନଈ, କଳାହାଣ୍ଡିଆ ମେଘ, ମନ ତାର ସତେ ଅବା ଗୋଟେ ଉଡ଼ନ୍ତା ପକ୍ଷୀର ଆର ପାଖ ଡ଼େଣା, ହସରେ ଯାର ସବୁକାଳେ ପାଗଳ କରିଦେବା ଅଜସ୍ର ଉନ୍ମଦନା । ଲିଲି, ମୋ ପାଇଁ କେବେ କେବେ କବି ସମ୍ରାଟଙ୍କ ଲାବଣ୍ୟବତୀ ର ଆଉ କେବେ ରମାକାନ୍ତ ରଥଙ୍କ ଶ୍ରୀରାଧା, ପୁଣି କେବେବେଳେ ହର ପ୍ରସାଦ ଦାସଙ୍କ ତନୁଲତା । କଣ ଥାଏ ତା ହସରେ, ତା ଚାଲିରେ , ତା ହାତପାପୁଲିରେ, ତା ଚାହାଣୀରେ ? କାହିଁକି ଇଚ୍ଛା ହୁଏ, ଭାଗ୍ୟରେଖା ବିଦ୍ୟାଜାଣିଛି ବୋଲି ମିଛି କହି ଥରେ ତା କୋମଳ ପାପୁଲିରେ ନିଜ ହାତକୁ ଜଡ଼େଇ ଧରିବାର ଅନୁଭବକୁ ଆଜିବି ସାଇତି ରଖିଛି ମୋ ମନରେ, ଦେହରେ ,ଚିନ୍ତାରେ ,ବି ଚୈତନ୍ୟରେ ,…ଆଜି ଏ ବୟସରେ ବି ଲିଲିକୁ ସତରେ ମୁଁ ବୁଝି ପାରିଲିନି ! ଲିଲି ମୋ ପାଇଁ ଏକ ଅବୁଝା ବହିର କେଇ ପଟ ପୃଷ୍ଠା ହେଇରହିଗଲା । ତା କଥା ମନେ ପଡ଼ିବା ମାନେ ନିଜକୁ ନିଜେ କଷ୍ଟ ଦେବା ।
ତା କଥା କେବେକେବେ ବିନା କାରଣରେ କାହିଁକି ଏତେ ମନେ ପଡ଼େଯେ, ମୁଁ ନିଜେ ବି ଜାଣିପାରେନି । ? ନିଜ ପିଲା, ଛୁଆ, ସ୍ତ୍ରୀ ସଂସାରରେ ବ୍ୟସ୍ତରହି ରହି କେବେ କେବେ ଅଣନିଶ୍ୱାସୀ ଲାଗେ ତ ଲିଲି ଦାସର ସ୍ମୃତି ଶୀତୁଆ ସକାଳର ହାଲକା ପବନ ପରି ଦଲକାଏ ଶାନ୍ତି ଦେଇଯାଏ ଏଇ ମନରେ ତନରେ । ଲିଲି ନଭେମ୍ବର ସାତ ର ରାତି କଣ କରୁଥିବ ? ପୁଅର ସ୍କୁଲ ଖାତା ଦେଖୁଥିବ, ନା କାଲି ସକାଳେ ପୁଅ କଣ ଖାଇବା ନେଇ ସ୍କୁଲ ଯିବ ସେ କଥା ଭାବୁଥିବ ? କି ସାର୍ଥକ ଚ୍ୟାନେଲରେ ଡ଼ିଓଡ଼ି ଦେଖୁଥିବ ସ୍ୱାମୀର କୋଳରେ ପୁଷି ବିଲେଇ ପରି ମୁଣ୍ଡକୁ ଥୋଇ ଦେଇ ?ଆଉ କିବା…ଲୁଚି ଲୁଚି ପଢୁଥିବ ମୋ କବିତା ବହି ‘ଖୋଜାଲୋଡ଼ା’ ? ସେ ତ କହିଥିଲା, ଜାଣିଚୁ ରଂଜନ ! ତୁ ସିନା ମୋ ପାଖରେ ନଥିବୁ ହେଲେ ସବୁବେଳେ ତୋ କବିତା ବହି ଥିବ ମୋ ଭ୍ୟାନିଟିରେ, ଫ୍ୟାରଏଣ୍ଡ ଲଭଲି ପରି, ଟିକିଲି ପରି, ଛୋଟ ଦର୍ପଣଟିଏ ପରି । ତୋର ସେଇ ଗୋଟେ କବିତାର ଦୁଇଧାଡ଼ି “ସତ ସତିକା ତୁ ପାହାଡ଼ ସେ ପାଖର ସୁଖ ସିନା,ତୋତେ କିନ୍ତୁ ଛାତିର ଖୁବ ପାଖରେ ପାଇଚି, ସ୍ୱପ୍ନରେ,ଭ୍ରମରେ..ଯୋଉଠି ମୁଁ ତୋତେ ଛୁଇଁପାରେ, ଚୁମିପାରେ, ଆଉ ରମିପାରେ” ସବୁବେଳେ ମୋ ଆଖିରେ ଲେସି ହେଇଯାଇଛି କଜଳ ପରି,ପାଦରେ ଅଳତା ପରି । ଛି…ଏତେ ସବୁ କଣ ଭାବୁଛି ଯେ, ନିଜକୁ ନିଜେ ପଚାରିଲା ରଂଜନ । ରଂଜନ ଦିନେ ଲିଲି ଦାସର ପ୍ରେମିକଥିଲା ବୋଲି ସାରା କଲେଜରେ ଚର୍ଚ୍ଚା ହେଉଥିଲା,ସାଙ୍ଗମହଲରେ ସଭିଏଁ ଲିଲି ଆଉ ରଂଜନକୁ ଦେଖିଲେ ଫୁସୁରୁଫାସୁରୁ ହେଉଥିଲେ, ଚୁଗୁଲି କରୁଥିଲେ । ଏମିତି କେତେ କଣ ?
ରଂଜନ ଭାବିଲା, ସତରେ ସେ ସବୁ ହଜିଲା ଦିନକୁ ଆଜି କାହିଁକି ସେ ଏତେ ଝୁରି ହେଉଛି । ଅତୀତ ମନେ ପଡ଼ିଲେ ମନତଳର ଘାକୁ କିଏ କୁଣ୍ଡେଇଦେଲା ପରି ଲାଗେ, ଦିଶେ ପୁରା ଲାଲ ଜର୍ ଜର୍ । ନିଜ ଅଜାଣତରେ ତା ପାଟିରୁ ବାହାରିଗଲା, ‘ଧେତ୍ ତେରିକା…ଶଃ.. ପ୍ରେମ ନା ଚୋପା.. ଦୁନିଆରେ ପ୍ରେମ ଫ୍ରେମ କିଛି ନାହିଁ ହୋ ସବୁ ଖାଲି ବକୱାସ, ଟାଇମପାସ୍’
ଏତିକି ଉଚ୍ଚାରଣ କଲା ତ, ତାକୁ ଭଲ ଲାଗୁଥିବା ସିଗାରେଟ ୱିଲ୍ସ ଫ୍ଲାକ୍ ପେକେଟରୁ ଗୋଟେ କାଢିଲା, ମାଚିସ ଜଳେଇ ନିଆ ଲଗେଇଲା ..ଉପରକୁ ଛାଡ଼ିଲା ଧୂଆଁ..ଧୂଆଁ ସାଥେ ସାଥେ ତା ମନତଳର କୋହସବୁକୁ ଫିଙ୍ଗିଦେବାର ପ୍ରୟାସ କଲା ହେଲେ ସେଥିରେ ସଫଳ ହେଲା କି ନାହିଁ ସେ ନିଜେ ବି ଜାଣେନି ।
ମନେ ପଡ଼ିଲା ଥରେ ଲିଲି କହିଥିଲା ଅଭିମାନ ଭରା କଣ୍ଠରେ “ ହଁ ମ ,ମୁଁ ଜାଣିନି ତୁମେ କେତେ ପାଣିରେ ବୁଡିପାର, ଆକାଶରେ ଉଡିପାର , ତମେ ମୋତେ କେତେ ଭଲ ପାଅ , ଦିନେ ତମେ ମୋତେ ନ ଦେଖିଲେ ପାଗଳ ହେଇଯାଉଥିଲ । ସେ କଥା ଏ ବେଳକୁ ପୂରା ପୂରି ଭୁଲି ଯାଉଛ । ତମର କଣ କିଛି ବି ମନେ ନାହିଁ ସେଦିନର କଥା, ଯେବେ ତମେ ଆସୁଥିଲ ମୋ ପାଖକୁ ତ ମୁଁ ଅଳୀ କରୁଥିଲି କଙ୍କି ଧରିଦେବା ପାଇଁ ଅଥଚ ଆଜି…
ବାସ , ତାପରେ ଛୋଟ ଛୁଆଟେ ପରି କାନ୍ଦିଥିଲା ଲିଲି ଦାସ । ଯେତେ ବୁଝେଇଲେ ବି ବୁଝିବାକୁ ନାରାଜ ।
ଲିଲି ଦାସ, ପାଂଚ ଫୁଟ ଦୁଇ ଇଞ୍ଚର ଗୋଟେ ଗୋରା ତକ ତକ ସୁନ୍ଦରୀ । ମୋ ସହପାଠିନୀ । ଜହ୍ନ ଠୁ ଧାର ମାଗି ଆଣିଲା ଭଳି ମୁହଁ, ଡାହାଣ ଗାଲରେ ଗୋଟେ କଳା ଜାଇ । ଆଖିରେ ଭସାମେଘର ମହୋତ୍ସବ, ଚାଲିକଥା କିଏ ବା କହିବ । ଲିଲି ଯେତେବେଳେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲା ସେଇ ଦିନଠୁ ତାକୁ ଜାଣିଛି, ତା ଲମ୍ବା ବେଣିକୁ ଟାଣିଛି, ତା ବହିପତ୍ର ଲୁଚେଇ ତା ସହିତ ଝଗଡା କରିଛି, କ୍ରମଶଃ ଲିଲି ଆଉ ମୁଁ ଦୁହେଁ ବୟସର ତାଳରେ ବଢ଼ିଛୁ, ଆଉ ବୟସର ତାଳରେ ଆମର ସମ୍ପର୍କ ବି ।
ଲିଲି ଦାସର ଘର ପଛ ପଟେ ଚିରସ୍ରୋତା ଉତେଇ କାହିଁ କେଉଁ ଅନାଦି କାଳରୁ ବହି ଚାଲିଛି । ଯେଉଁଠି ଲିଲି ଦାସ ସହ ମୋର ଦେଖା ଉଦୁ ଉଦିଆ ଦିପହର ଖରାବେଳେ, ସୂର୍ଯ୍ୟ ପଶ୍ଚିମ କୋଳରେ ଘୁମେଇ ଯିବା ବେଳେ । ଲିଲିକୁ ସମସ୍ତେ ନଜର କରୁଥିଲେ । ହେଲେ ଲିଲି କେବେ କେମିତି କେଜାଣି ମୋ ସହ ବାନ୍ଧିହେଲା ଭାବ ଆଉ ବାକି କଥା କିଏ ବା କହିବ ।
ହଁ ଏଇ ତ ଲିଲି ମୋ ସାମନାରେ କାନ୍ଦୁଛି, ମୋତେ ଆକାଶରେ ଉଡିଯିବାପାଇଁ କହୁଛି, କହିଛି ଆମେ ସାଙ୍ଗ ହୋଇ ରହିବା ସାରା ଜୀବନ,ତମେ ଆଉ ମୁଁ , ଏଇ ଉତେଇ ନଈ ସାକ୍ଷୀ ଥିବ ଆମ ସମ୍ପର୍କର । ଆମ ପ୍ରେମ ହେବ ରହିବ ଚିର ଦିନ ଅମର । ନା କଣ କହୁଚ ? ବାସ, ଲିଲିକୁ ଯେତେ ବୁଝାଇଲେ ବି ବୁଝୁନି … ଲିଲିକୁ ପଚାରିଲି କଣ ହେଲା ଆଜି ଏତେ ଜୋରରେ ଗପି ଯାଉଛ ।
ତେଣିକି ଯୋଡିଲା – ହଁ ମ ଆମ ପଡିଶା ଘର ଡାଆଣା ଆକ୍ଷିଆ ବୁଢ଼ୀଟା ଆସି ବୋଉକୁ କହୁଛି ଯେ ମୁଁ କୁଆଡେ ତମ ସହ…
ତାର ଏତେ ସାହାସ, ଶଳା, ମୁଁ ଯାହା କଲି ତାର ଗଲା କ’ଣ ହୋ, ଆମେ ବନ୍ଧୁ ସାଜିଛେ, ଦରକାର ହେଲେ ମୁଁ ତୁମର ବଧୂ ସାଜିବି … ।
ଶ୍ରାବଣ ମାସ । ଉତେଇ ଗର୍ଭବତୀ ହୋଇଛି, ଫୁଲି ଉଠିଛି ତାର ଛାତି ।
ଆଜକୁ ପ୍ରାୟ ଆଠ ଦିନ ହେଲା ଲିଲି ସହ ଦେଖା ହେଇନି ଲଗାଣ ବର୍ଷା ଯୋଗୁଁ । ଆଜି ଟିକେ ବର୍ଷା କମି ଯାଇଛି, ଲିଲି ଫୋନ୍ କରି କହିଛି – “ଆଜି ଦିପହରରେ ଉତେଇ ନଈ କୂଳରେ ଦେଖା ହେବା ପାଇଁ…”
ବାସ୍ , ଅନେକ ଆଶା ନେଇ ମୁଁ ଯାଇଥିଲି, ଲିଲି କିନ୍ତୁ ଆସିବାରେ ବିଳମ୍ବ କଲା, ଅବଶ୍ୟ ଆସିଲା, ହାତରେ ଧରିଥାଏ ଚୂଡି ଆଉ ସିନ୍ଦୂର ।
ମୋ ସାମନାରେ ଉଭା ହୋଇ କହିଲା, ହେଇ ନିଅ , ସିନ୍ଦୁରକୁ ଆଜି ମୋ ମଥାରେ ପିନ୍ଧାଇ ଦିଅ, ଆଉ ଚୂଡିକୁ ମୋ ହାତରେ ।
ମୁଁ ଥରିଲି ଏକଦମ୍ ବରଡା ପତ୍ର ଭଳି । କହିଲି – “ଲିଲି ! ଭାବପ୍ରବଣତା ଜୀବନରେ ଅନେକ କଷ୍ଟ ଆଉ ଯନ୍ତ୍ରଣା ଦିଏ , ଠିକ ଅଛି, ମୁଁ ତୁମକୁ ବାହା ହେବି, ହେଲେ ଏଇଟା ଆମ ପାଇଁ ଉପଯୁକ୍ତ ସମୟ ନୁହେଁ । ବେଳ ଆସିଲେ ମୁଁ ତୁମକୁ ଜୀବନ ସାଥୀ କରି ନେବି । ଆମର ଏବେ ସେ ବୟସ ହୋଇନି …. ତମେ ବୁଝିବାକୁ ଚେଷ୍ଟା କର ଲିଲି । ମୁୁଁ କହୁନି ଯେ ତମକୁ ପର କରିବା ପାଇଁ, ହେଲେ ବିବାହ ପାଇଁ ଗୋଟେ ନିର୍ଦ୍ଧିଷ୍ଟ ବୟସ ରହିଚି ନା… ଆମକୁ ଅନ୍ତତଃ ସେଇ ବେଳଯାଏଁ ଅପେକ୍ଷା କରିବାକୁ ହେବ ।”
ଠିକ୍ ଅଛି ରଞ୍ଜନ ତାହେଲେ ବେଳ ଆସିଲେ ମୋତେ ଖୋଜିବ, ଅବଶ୍ୟ ମୁଁ ସେତିକି ବେଳେ ନ ଥିବି…
ଲିଲି, ତମେ ଏ କଣ କହୁଛ ….
“ହେଇ ଦେଖ ରଞ୍ଜନ ଆକାଶରେ ଇନ୍ଦ୍ରଧନୁଟା ସପ୍ତରଙ୍ଗରେ ସଜେଇ ହୋଇଛି, ଆଉ ଦୁଇ ଦିଗ୍ ବଳୟକୁ ଛୁଇଁ ଯାଉଛି… । କେତେ ଚମତ୍କାର ଦେଖାଯାଉଛି ସେ ଦୃଶ୍ୟ । ହେଲେ ଥରେ ଆକାଶକୁ ଚାହିଁ କହ ତ ରଞ୍ଜନ, ସତରେ କଣ ଇନ୍ଦ୍ରଧନୁ ଦୁଇ ଦିଗବଳୟ ମଧ୍ୟରେ ବାନ୍ଧି ପାରୁଛି ଭାବର ସେତୁ ? କେବେ ନୁହେଁ ? ଏଇଟା ତ ଖାଲି ଗୋଟେ ତୁଚ୍ଛା ଭାବପ୍ରବଣତା ।”
ଲିଲି ର ଏତକ କଥା ଶୁଣି ମୁଁ ଆକାଶ ମୁହାଁ ହେଲି ..
ଏତିିକି ବେଳେ ନଈରେ କଣ ଗୋଟେ ଖସି ପଡିବାର ଶବ୍ଦ ହେଲା …
ଦେଖିଲି ଲିଲି ନଈ ଭିତରକୁ ଡେଈଁ ପଡିଛି …
ଲିଲି ..ଲିଲି.. ମୁଁ ଡାକ ଛାଡୁଥିଲି , ଲିଲି ହାତ ହଲେଇ ବିଦାୟ ଦେଉଥିଲା ମୋତେ…. ।
ତଳସାଗର ପଡ଼ା
ମ.ରାମପୁର, କଳାହାଣ୍ଡି
ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇
http://bit.ly/odiabartagroup2