ଏବେ ତିହାର ଜେଲରେ ହୋଲି ପାଳନ କରିବେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଦୁଇ ଘନିଷ୍ଠ ନେତା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଫସି ସିବିଆଇ ଦ୍ବାରା ଗିରଫ ହୋଇଥିବା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ତୃତୀୟ ଥର ପାଇଁ ରିମାଣ୍ଡ ନନେବାରୁ ସେ ଏବେ ତିହାର ଜେଲକୁ ଯାଇଛନ୍ତି। ଯେଉଁଠି ଦଳର ଅନ୍ୟତମ ନେତା ତଥା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମନି ଲଣ୍ଡରିଂ ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ୯ ମାସ ହେବ ରହିଛନ୍ତି। ଏହି ଦୁଇ ନେତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ମୁଖ୍ୟ ଆବାହକ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଦୁଇ ଘନିଷ୍ଠ ନେତା ଥିଲେ। ଏବେ ଆପର ଦୁଇ ନେତା ତିହାର ଜେଲରେ ହୋଲି ପାଳନ କରିବେ। ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ଉଭୟ ନେତାଙ୍କ ଜେଲ ପ୍ରୋକଷ୍ଠ ମଧ୍ୟରେ ବ୍ୟବଧାନ ୫୦୦ ମିଟର ରହିଛି। ସୋମବାର ସିବିଆଇ ସିସୋଦିଆଙ୍କ ଦ୍ବିତୀୟ ଥର ରିମାଣ୍ଡ ଅବଧି ଶେଷ ହେବା ପରେ କୋର୍ଟରେ ହାଜର କରିଥିଲା। ହେଲେ ତୃତୀୟ ଥର ପାଇଁ ରିମାଣ୍ଡ ପାଇଁ ଅନୁମତି ମାଗିନଥିଲା। ତେଣୁ କୋର୍ଟ ତାଙ୍କୁ ମାର୍ଚ୍ଚ ୨୦ ଯାଏ ନ୍ୟାୟିକ ହେପାଜତକୁ ପଠାଇଦେଇଛନ୍ତି। ସିବିଆଇ କହିଛି ଯେ ଏବେ ମନୀଷ ସିସୋଦିଆଙ୍କ ହେପାଜତ ଆବଶ୍ୟକ କରୁନାହୁଁ କିନ୍ତୁ ଆସନ୍ତା କିଛି ଦିନ ମଧ୍ୟରେ ତାଙ୍କୁ ହେପାଜତରେ ପଚରାଉଚରା କରିବାର ଆବଶ୍ୟକତା ପଡିବ।ନ୍ୟାୟିକ ହେପାଜତ ସମୟରେ ମନୀଷ ସିସୋଦିଆଙ୍କୁ ଔଷଧ, ଡାଏରୀ, କଲମ ଏବଂ ଭାଗବତ ଗୀତାକୁ ଜେଲରେ ରଖିବାକୁ ଅନୁମତି ଦିଆଯିବ। କେଜ୍ରିୱାଲ ସରକାର ନିୟମ ଭଙ୍ଗ କରିବା ଏବଂ ମଦ ଦୋକାନ ଲାଇସେନ୍ସଧାରୀମାନଙ୍କୁ ଅଯଥା ସୁବିଧା ଯୋଗାଉଥିବା ଅଭିଯୋଗ ହୋଇଛି। ପାଞ୍ଚ ଦିନିଆ ସିବିଆଇ ହେପାଜତ ଶେଷରେ ଶନିବାର ଦିନ କୋର୍ଟରେ ହାଜର ହୋଇଥିବା ସିସୋଦିଆ ଦାବି କରିଛନ୍ତି ଯେ ସେ ଆଠରୁ ନଅ ଘଣ୍ଟା ଧରି ସମାନ ପ୍ରଶ୍ନର ଉତ୍ତର ଦେଉଛନ୍ତି। ଏହାକୁ ‘ମାନସିକ ନିର୍ଯାତନା’ ବୋଲି ସେ କହିଛନ୍ତି। ଯଦି ଏପରି ହେଉଥାଏ ନକରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.