✍🏼ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା
ପଶ୍ଚିମ ଓଡିଶା ଏକ ଆଦିବାସୀ ଅଞ୍ଚଳ। ଏଠାକାର ଲୋକମାନଙ୍କ ପାଇଁ ‘ହୁଇଲି’ ଏକ ଆମୋଦପୂର୍ଣ୍ଣ ପରବ୍। ଏହା ଫାଲଗୁନ ପୂର୍ଣ୍ଣିମା ରାତିରେ ଅନୁଷ୍ଠିତ ହୋଇଥାଏ। ଏହି ପରବ୍ ନିମନ୍ତେ ଏକ ମାସ ପୂର୍ବରୁ ହୁଇଲିଗଦା କରାଯାଏ। ସେଥିପାଇଁ ପ୍ରତିଦିନ ସନ୍ଧ୍ୟାରେ ଯୁବକମାନେ ଗ୍ରାମ ପରିକ୍ରମାକରି ବିଭିନ୍ନ ସ୍ଥାନରୁ କାଠ, ଝାଟି, ନଡା ଆଦି ସଂଗ୍ରହ କରିଥାନ୍ତି। ଯେଉଁ ଜାଗାରେ ସେସବୁ ଗଦା ହେବ ତାହା ପୂର୍ବରୁ ଖୁଣ୍ଟପୋତି ଚିହ୍ନିତ କରାଯାଇଥାଏ। ଏହାକୁ ‘ମେରୁଖୁଣ୍ଟ’ କୁହାଯାଏ।
ହୁଇଲି କାଠ ସଂଗ୍ରହ ସମୟରେ ବହୁ ଲୋକ ଗୀତ ଗାନ କରାଯାଇଥାଏ। ସେସବୁ କେତେକାଂଶରେ ଅଶ୍ଳୀଳ। ତଥାପି ଲୋକେ ତାକୁ ଆଗ୍ରହର ସହ ଉଚ୍ଚାରଣ କରିଥାନ୍ତି। ଏଥିରେ ଜଣେ ବ୍ୟକ୍ତି ହୁଇଲି ଗୀତ ବୋଲିଲେ ଅନ୍ୟମାନେ କେବଳ ‘ ଓହୋ’ କରିଥାନ୍ତି। ଏହି ଗୀତର ମଝିରେ ମଝିରେ ନିଶାନ ଓ ଢାପ ବାଜା ବାଜୁଥାଏ। ଯାହାକି ସେଇ ଲୋକଗୀତର ମାଧୁର୍ଯ୍ୟକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ।
ସେହି ହୁଇଲି ଗୀତ ମାନଙ୍କ ମଧ୍ୟରେ …..
“ଏ ପିଲେ ହୁଲେ ରେ (‘ଗା’ ମଧ୍ୟ ବୋଲାଯାଏ) ରାମ ଲଖନ୍ ଗଲେ ବନ୍ ସୀତା ସଂଗେ ତିନିଝନ୍।”…..
“‘ଓହୋ’ ମାଲେ ମାଲେ ଗଲା ମାଲ୍ ଖେକାରୀ ‘ ଓହୋ’ କାଠ ଖଣେ ଦେଲେ ଧରମକାରୀ।” ‘ ଓହୋ’…..
“ସେମିରାଞ୍ଜ ଡେଙ୍ଗ୍ ଡେଙ୍ଗୁ କିଏ ଘିନବ ପୁରରି ବେଙ୍ଗ୍।” ‘ଓହୋ’……
“କିଏ ଯିବ ଏକାତରା ଭାତ ଖାଏବ ପେଟପୁରା।” ‘ ଓହୋ’……
“ବୁଡା ବୁଢୀ ଖେଲ୍ଲେ ବାଟି
ବୁଡାକେ ଚାବଲା ଚାବରି ଚାଟି
ବୁଡୀ ଯାଇଛେ ଉଷୋ ବାଟି।” ‘ଓହୋ’……
ହୁଇଲି ପରବରେ ଏହିପରି ଅସଂଖ୍ୟ ଗୀତ ବୋଲାଯାଏ। ଯାହାର କୌଣସି ଖାପ କି ମାପ ନାହିଁ। ହୁଇଲି ଗଦାରେ ନିଆଁ ଲଗାଇବା ପୂର୍ବରୁ ଝାକର ‘ହୁମାଦୁମା’ ପୂଜା କରିଥାଏ। ସେ ଶୁଭ ମନାସୀ ଦେବଦେବୀଙ୍କୁ ମଦ ଥିପାଇ ଗୁଡରେ ପଗା ଯାଇଥିବା ଚଣାକୁ ପୂଜାକରି ନଡିଆ ଭାଙ୍ଗେ। ଏହାପରେ ହୁଇଲି ଗଦାରେ ମୁରବୀ ଶ୍ରେଣୀୟ ଜଣେ ଯୁବକ ନିଆଁ ଲଗାଇ ତା ଉପରକୁ କୁକୁଡା ଅଣ୍ଡା ଫୋପାଡିଥାଏ। ଶେଷରେ ଗ୍ରାମରୁ ସଂଗୃହୀତ ଚକୁଳି ପିଠା ଓ ହୁଇଲି ଭୋଗକୁ ଉପସ୍ଥିତ ଲୋକଙ୍କ ମଧ୍ୟରେ ବଣ୍ଟା ଯାଇଥାଏ।
ହୁଇଲି ପରବର ଅନ୍ତିମ ଭାଗ ଅତ୍ୟନ୍ତ ଆକର୍ଷଣୀୟ। ଏଥିରେ ନିଆଁ ଖେଳର ଆସର ଜମିଥାଏ। ଯୁବକମାନେ ଗାଁ ପାଖ ଗଛରେ ଯେଉଁଠି ଦେବତା ବସା ବାନ୍ଧିଥିବା ଶୁଣିଥାନ୍ତି ସେଇ ଗଛକୁ ହୁଇଲି ଗଦାରୁ ନିଆଁ ନେଇ ଫିଙ୍ଗିଥାନ୍ତି। ତାକୁ ‘ଜୁଏ ଲେଦା ଫିକା’ କୁହାଯାଏ। ଯଦି ନିଆଁହୁଳା ଗଛ ଉପରେ ଅଟକିଯାଏ ତେବେ ‘ଦେବତା ଛିନ୍ଲା’ ବୋଲି ହୋ ହଲ୍ଲା କରି ଖୁସି ହୋଇଥାନ୍ତି। ପରିଶେଷରେ ହୁଇଲି ପୋଡା ପାଉଁଶକୁ ମୁଣ୍ଡରେ ଲଗାଇ ସମସ୍ତେ ଘରକୁ ବାହୁଡିଥାନ୍ତି। ଏହି ପର୍ବରେ ଆଦିବାସୀଙ୍କ ସମେତ ଅଣଆଦିବାସୀ ମାନେ ମଧ୍ୟ ଯୋଗଦାନ କରିଥାନ୍ତି।