କବିତା: ହୋଲି

ଏମିତି ରଙ୍ଗରେ ରଙ୍ଗେଇଦେଲ
ଏମିତି ମନକୁ ମଜେଇଦେଲ
କହ୍ନେଇ ହାତରେ ରଙ୍ଗ ପିଚକାରୀ
ରାଧାଙ୍କୁ କେଉଁଠି ଲୁଚେଇ ଦେଲ ।

ରାଧା ଲୁଚିଛନ୍ତି କବାଟ ଫାଙ୍କେ
ଲଳିତା ବିଶାଖା ଜମୁନା ଘାଟେ
ଖୋଜ ଶ୍ୟାମ ବନ୍ଧୁ ଉଛୁର ନକରି
ଚହଳ ପଡିଛି ଗୋପ କଟକେ ।

କହ୍ନେଇ ସହଜେ ଭାରି ଚତୁର
ସୁଦାମା ସୁବଳ ତହୁଁ ଆତୁର
ଗୋପୀ ଗୋପାଳୁଣୀ ଖୋଜନ୍ତି ଶ୍ରଦ୍ଧାରେ
ରାଧାଙ୍କୁ ପାଇଲେ ନନ୍ଦ ମନ୍ଦିର ।

ଆହେ ନୀଳମଣି ନୀଳ ରତନ
ମାଇଁ କୁ ଲୁଚାଇ କରି ଯତନ
ନିଜ ପାଖେ ରଖି ଖୋଜାଅ ଆମକୁ
କେଡେ ମାୟାକଲ ଆଜି ମୋହନ ।

ବଇଁଶୀ ବାଲା ମୋ ଭାରି ଗୁଣର
ମାଇଁ ପ୍ରେମେ ମଜ୍ଜେ ନଟ ନାଗର
ହୋଲି ଆସିଅଛି ଵାଜୁଛି ବାଜା ହୋ
ହସ କଉତୁକେ କମ୍ପେ ନଅର ।

ରାଧାମାଧବ ମୋ ଖେଳିନ୍ତି ହୋଲି
ରଙ୍ଗ ବୋଳାଵୋଳି ଅବିର ଧରି
ଗୋପର ବାଳକେ ନାଚ ଗୀତ ସଙ୍ଗେ
ଲଉଡି ଖେଳନ୍ତି ହୋଇଣ ମେଳି ।

ରାହାସ କୁମାର ବେହେରା
ବାଲ୍ୟମ୍ବା, ଢେଙ୍କାନାଳ
ମୋ: ୯୪୩୮୧୧୪୩୬୮

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.