ଚିନ୍ତା ବଢାଇଲା H3N2 ଭାଇରସ; ନେଲାଣି ୨ ଜୀବନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଚିନ୍ତା ବଢାଇଲା H3N2 ଭାଇରସ । ଦେଶରେ ୨ ଜୀବନ ନେଇ ସାରିଲାଣି ଏହି  H3N2 ଭୂତାଣୁ ।   ରାଜ୍ୟରେ ଏଚ୩ଏନ୨ ଭୂତାଣୁ ପ୍ରକୋପ ବଢୁଥିବାବେଳେ ୨ ଜଣଙ୍କର ଇତି ମଧ୍ୟରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକଙ୍କ ମଧ୍ୟରୁ ଜଣେ ହରିଆଣାର ହୋଇଥିବାବେଳେ ଅନ୍ୟ ଜଣକ କର୍ଣ୍ଣାଟକ । ଓଡ଼ିଶା ସମେତ ଦେଶର ଅନେକ ରାଜ୍ୟରେ ଇନଫ୍ଲ୍ୟୁଏଞ୍ଜା ଭୂତାଣୁର ପ୍ରକୋପ ବଢୁଛି। ଥଣ୍ଡା,କାଶ ସମେତ ଗଳା ଦରଜ ଏବଂ ଜ୍ୱର ରହୁଛି । ଏହାକୁ ଲୋେକ ସାଧାରଣତଃ ଗୁରୁତର ଭାବେ ଗ୍ରହଣ କରୁନାହାନ୍ତି । ହେଲେ ଏହାର ଭୟାବହତା ଏବେ ଜଣା ପଡିବା ପରେ ସତର୍କ କରାଯାଇଛି ସ୍ୱାସ୍ଥ୍ୟ ବିଭାଗ । ଏହି ଭୂତାଣୁ ହରିଆଣାରେ ବ୍ୟାପକ ଭାବେ ବଢିଚାଲିଛି । ଇତି ମଧ୍ୟରେ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ୪୦ ପ୍ରତିଶତ ବୃଦ୍ଧି ହୋଇଛି ।  ସରକାର ତଥା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ହାଇଆଲର୍ଟ ଜାରି କରାଯାଇଛି । ଏଠି କହିରଖିବୁ, ଇନଫ୍ଲ୍ୟୁଏଞ୍ଜା ତିନି ପ୍ରକାରର ହୋଇଥାଏ । ସେଗୁଡିକ ହେଲା H3N2, H1N1 ଓ ଇନଫ୍ଲୁଏଞ୍ଜା ବି ।  ତେବେ ଭାରତରେ ଦୁଇ ପ୍ରକାରର ଇନଫ୍ଲ୍ୟୁଏଞ୍ଜା ଭୂତାଣୁ H3N2 ଓ H1N1ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୯୦ଟି  H3N2 ଭୂତାଣୁ  ମାମଲା ସାମ୍ନାକୁ ଆସିଛି । ସେହିଭଳି ୮ଟି H1N1 ମାମଲା ସାମ୍ନାକୁ ଆସିଛି ।  H3N2 ଭୂତାଣୁ ହଂକଂ ଫ୍ଲୁ ଭାବେ ମଧ୍ୟ ବେଶ ପରିଚିତ । H3N2 ଭୂତାଣୁ ଆକ୍ରାନ୍ତ ରୋଗୀକୁ  କାଶ, ଥଣ୍ଡା, ଗଳା ଦରଜ, ମୁଣ୍ଡ ବିନ୍ଧା ହେବା ସହ ନିଃଶ୍ୱାସ ନେବାରେ କଷ୍ଟ ହୋଇଥାଏ । କଫ ମଧ୍ୟ ହୋଇଥାଏ । ଅନ୍ୟପକ୍ଷେ କର୍ଣ୍ଣାଟକରେ ଜଣଙ୍କର ମୃତ୍ୟୁ ହେବା ପରେ ସେଠକାର ସ୍ୱାସ୍ଥ୍ୟମନ୍ତ୍ରୀ କେ. ସୁଧାକର ଲୋକଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି ।  ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଏହି ଇନଫ୍ଲୁଏଞ୍ଜାରେ ଭୟ କରିବାର କିଛି ନାହିଁ । କିନ୍ତୁ ଆମେ ସତର୍କ ରହିବା । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡ ଲାଇନ ଜାରି ହୋଇଛି । ତାହାକୁ ମାନି ଚଳିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ରାଜ୍ୟରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.