‘ବହୁତ ଦୂରରେ ଥିଲି, ତୁମ ଫଟୋ ଦେଖି ଚାଲିଆସିଲି’ ଯୁବତୀଙ୍କୁ ଏଭଳି ମେସେଜ ପଠାଇଲେ ରାପିଡୋ ଚାଳକ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସହଜରେ କୌଣସି ସ୍ଥାନକୁ ଯିବା ପାଇଁ ଆଜିକାଲି ସମସ୍ତେ ବାଇକ ଟ୍ୟାକ୍ସି ବ୍ୟବହାର କରୁଛନ୍ତି । ଭାରତରେ ଓଲା, ରାପିଡୋ ଭଳି କିଛି କମ୍ପାନୀ ବାଇକ ଟ୍ୟାକ୍ସି ସେବା ପ୍ରଦାନ କରୁଛନ୍ତି । ତେବେ ବର୍ତ୍ତମାନ ଜଣେ ରାପିଡୋ ଚାଳକ(ରାଇଡର)ଙ୍କ ମେସେଜ ଭାଇରାଲ ହେବାରେ ଲାଗିଛି । ଏହି ଚାଳକ ଜଣକ ଜଣେ ଯୁବତୀଙ୍କୁ ଏମିତି ଏକ ମେସେଜ କରିଛନ୍ତି ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ବାସ୍ତବରେ ଜଣେ ଟ୍ୱିଟର ୟୁଜର୍ସ ଅଭିଯୋଗ କରିଛନ୍ତି ଯେ ଜଣେ ରାପିଡୋ ଡ୍ରାଇଭର ତାଙ୍କୁ ଅଶୋଭନୀୟ ମେସେଜ ପଠାଇଛନ୍ତି । ୟୁଜର୍ସ ଜଣକ ସୋସିଆଲ ମିଡିଆରେ ଚାଳକଙ୍କ ଚାଟର କିଛି ସ୍କ୍ରିନସଟ ସେୟାର କରିଛନ୍ତି, ଯାହା ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରରେ ‘ହୁଶ୍ନପରୀ’ ନାମକ ଜଣେ ୟୁଜର୍ସ ଯେଉଁ ସ୍କ୍ରିନସଟ ସେୟାର କରିଛନ୍ତି ସେଥିରେ ଦେଖିବାକୁ ମିଳିଛି ଯେ, ରାପିଡୋ ଚାଳକ ଜଣକ ବିଳମ୍ବିତ ରାତି ପ୍ରାୟ ୧.୩୦ ସମୟରେ ଯୁବତୀଙ୍କୁ ମେସେଜ କରିଥିଲା। ସେ ଲେଖିଛି ଯେ, ‘ହ୍ୟାଲୋ, ଶୋଇପଡିଲେଣି କି? ତୁମର ଡିପି ଦେଖିବା ପରେ ଏବଂ ତୁମର ସ୍ୱର ଶୁଣି ହିଁ ମୁଁ ଆସିଥିଲି, ନଚେତ ଏତେବାଟ ମୁଁ ଆସିନଥାନ୍ତି । ହଁ, ଆଉ ଗୋଟିଏ କଥା ମୋତେ ଭାଇ ବୋଲି ଡାକନାହିଁ’ । ଏହି ସ୍କ୍ରିନସଟ ଭାଇରାଲ ହେବା ପରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ,ଏହି ଘଟଣା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ । ଏହି ପ୍ରସଙ୍ଗରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେବଳ ଏତିକି ନୁହେଁ, କମ୍ପାନୀ ମଧ୍ୟ ୟୁଜର୍ସଙ୍କୁ ତାଙ୍କ ମୋବାଇଲ୍ ନମ୍ବର ଏବଂ ରାଇଡର୍ ଆଇଡିର ସବିଶେଷ ତଥ୍ୟ ମାଗିଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.