ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମୃତ ବ୍ୟକ୍ତିଙ୍କ ପରିବାରକୁ ତୁରନ୍ତ ସହାୟତା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ପ୍ରଣୟନ କରିଛନ୍ତି ହରିଶ୍ଚନ୍ଦ୍ର ଯୋଜନା। ଏହି ଲୋକପ୍ରିୟ ଯୋଜନା ଦ୍ବାରା ଅନେକ ପରିବାର ଉପକୃତ ହେଉଛନ୍ତି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ନିଶାଣପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘୁପଟି ଗ୍ରାମର ଏକ ଗରିବ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାର ଅର୍ଥରାଶି ପ୍ରଦାନ କରାଯାଇଛି। ସୂଚନା ଅନୁସାରେ ଘୁପଟି ଗ୍ରାମର ଗୁଣନିଧି ମାଝୀଙ୍କ ଦେହାନ୍ତ ହୋଇଥିଲା। ଏହାପରେ ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀଙ୍କ ହସ୍ତକ୍ଷେପ ପରେ ପିଇଓ ଅର୍ଥରାଶି ମଞ୍ଜୁର କରିଥିଲେ। ଆଜି ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଓ ନିଶାଣପୁର ନାଏବ ସରପଞ୍ଚ ନବ ଗଉଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ମୃତ ଗୁଣନିଧିଙ୍କ ବିଧବା ପତ୍ନୀ ସତ୍ୟବତୀ ମାଝୀଙ୍କୁ ହରିଶ୍ଚନ୍ଦ୍ର ଯୋଜନାର ୨୦୦୦ ଟଙ୍କା ପ୍ରଦାନ କରିଥିଲେ। ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ମାଝୀଙ୍କ ଉଦ୍ୟମ କ୍ରମେ ଏହି ସରକାରୀ ସହାୟତା ରାଶି ମିଳିଥିବାରୁ ମୃତକଙ୍କ ପରିବାର ପକ୍ଷରୁ ତାଙ୍କୁ ସାଧୁବାଦ ପ୍ରଦାନ କରାଯାଇଛି।