ରାୟଗଡା ଜିଲ୍ଳାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା: ସ୍ୱାସ୍ଥ୍ୟ ସଚିବଙ୍କୁ ଭେଟିଲେ ବିଏସକେୱାଇ ଉପଦେଷ୍ଠା ଓ ୨ ବିଧାୟକ

• ୧୦୩ଟି ବିଶେଷଜ୍ଞ ଡାକ୍ତର ପଦବୀ ପୂରଣକୁ ନେଇ କଲେ ଆଲୋଚନା

• ଖାଲି ପଡିଥିବା ଡାକ୍ତର ପଦବୀ ଯଥାଶୀଘ୍ର ପୂରଣ କରାଯିବାର ସଚିବ ଦେଲେ ପ୍ରତିଶୃତି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ରାଜ୍ୟ ଉପଦେଷ୍ଠା ସୁଧୀର ଦାସ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଓ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଆଜି ଭୁବନେଶ୍ୱର ଠାରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କୁ ଭେଟି ରାୟଗଡାରେ ଜିଲ୍ଳାର ଗୁଣପୁର ଓ ରାୟଗଡା ଉପଖଣ୍ଡର ମୁଖ୍ୟ ଚିକିତ୍ସାଳୟରେ ବିଶେଷଞ ଡାକ୍ତର ନ ଥିବାରୁ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବିଷୟ ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବାଗୁଡିକକୁ ନେଇ ଆଲୋଚନା କରିଛନ୍ତି । ବିଶେଷ କରି ଗୁଣପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଜଣେ ବି ବିଶେଷଞ ଡାକ୍ତର ନ ଥିବାରୁ ଉପଖଣ୍ଡ ଉପରେ ନିର୍ଭର କରୁଥିବା ରୋଗୀମାନେ ଅନେକ ସମୟରେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ନ ପାଇ ପଡୋଶୀ ଆନ୍ଧ୍ର ନଚେତ୍ ବ୍ରହ୍ମପୁର, ଭୁବନେଶ୍ୱର, କଟକ ଆଦି ଦୂର ସ୍ଥାନରେ ଥିବା ଚିକିତ୍ସାଳୟକୁ ଯାଇ ଅଧିକା ଖର୍ଚ୍ଚାନ୍ତ ହେବା ସହ ଜରୁରୀକାଳନୀ ଚିକିତ୍ସା ସେବା ସମୟରେ ବିଶେଷଞ ଡାକ୍ତରକୁ ନ ପାଇ ମୃତ୍ୟୁ ମୁଖରେ ପଡୁଛନ୍ତି । ସେହିପରି ରାୟଗଡା ଠାରେ ଥିବା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଅନୁରୂପ ସମସ୍ୟା ରହିଥିବାରୁ ଏଠାରେ ମଧ୍ୟ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ରାୟଗଡା ଜିଲ୍ଳାରେ ଥିବା ମୁଖ୍ୟ ଚିକିତ୍ସାଳୟ,ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ସମେତ ୧୧ଗୋଟି ବ୍ଳକର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ପ୍ରାଥମିକ ଚିକିତ୍ସାକେନ୍ଦ୍ର ସହ ସହରାଂଚଳରେ ଥିବା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରଗୁଡିକରେ ଯଥାଶୀଘ୍ର ଖାଲି ପଡିଥିବା ଡାକ୍ତର ପଦବୀକୁ ପୂରଣ ପାଇଁ ନିବେଦନ କରିବା ସହ ଜିଲ୍ଳାରେ ବିପର୍ଯ୍ୟସ୍ତ ହୋଇପଡିଥିବା ସ୍ୱାସ୍ଥ୍ୟ ସେବା ଉପରେ ଆଲୋଚନା କରିଥିବା ଜଣାପଡିଛି । ସେହିପରି ଜିଲ୍ଳାରେ ଥିବା ଗୁମୁଡା ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ସହ ଗୁଣପୁର ଠାରେ ୧୯କୋଟି ଏବଂ କାଶିପୁର ବ୍ଳକରେ ୯କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ମେଡିକଲ୍ କୋଠା ଯଥାଶୀଘ୍ର ଟେଣ୍ଡର ଡକାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ସଚିବ ଶ୍ରୀମତି ପଣ୍ଡିତଙ୍କୁ ଅନୁରୋଧ କରିଥିଲେ । ବିଏସକେୱାଇ ରାଜ୍ୟ ଉପଦେଷ୍ଠା ଶ୍ରୀ ଦାସ, ରାୟଗଡା ବିଧାୟକ ଶ୍ରୀ ମୁଦୁଲି ଏବଂ ଗୁଣପୁର ବିଧାୟକ ଶ୍ରୀ ଗମାଙ୍ଗଙ୍କ ସହ ଜିଲ୍ଳାର ସ୍ୱାସ୍ଥ୍ୟ ସେବା ସମସ୍ୟା ଉପରେ ଆଲୋଚନା କରି ସ୍ୱାସ୍ଥ୍ୟ ସଚିବ ଶ୍ରୀମତି ପଣ୍ଡିତ ଜିଲ୍ଳାକୁ ପ୍ରଥମେ ବିଶେଷଞ ଡାକ୍ତର ପଠାଇବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ସହ ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ଜିଲ୍ଳାର ସମସ୍ତ ମଂଜୁରୀ ଡାକ୍ତରୀ ପଦବୀକୁ ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଥିବା ବେଳେ ଜିଲ୍ଳାରେ ସମସ୍ତ ନିର୍ମାଣଧୀନ ମେଡିକଲ୍ କୋଠା ଯୁଦ୍ଧକାଳୀନ ଭତିରେ ସମାପ୍ତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଥିବା ଜଣାପଡିଛି । ସେହିପରି ରାଜ୍ୟବାସୀ ବିଏସକେୱାଇ କାର୍ଡ ମାଧ୍ୟମରେ କିପରି ଆନ୍ତଃଜିଲ୍ଳାରେ ମଧ୍ୟ ସୁବିଧା ପାଇ ପାରିବେ ସେ ନେଇ ବିଏସକେୱାଇ ରାଜ୍ୟ ଉପଦେଷ୍ଠା ଶ୍ରୀ ଦାସ ସଚିବଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ପ୍ରକାଶ ଥାଉ କି, ରାୟଗଡା ଜିଲ୍ଳାରେ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୯୯ଟି ଡାକ୍ତର ପଦବୀ ମଂଜୁରୀ ଥିବା ବେଳେ ବର୍ତମାନ ୧୪୧ଜଣ ଡାକ୍ତର ନିଯୁକ୍ତ ଅଛନ୍ତି । ବଳକା ୧୫୮ଟି ଡାକ୍ତର ପଦବୀ ଖାଲି ପଡିଛି । ସେହିପରି ଜିଲ୍ଳାରେ ୩୮ଜଣ ବିଶେଷଞ ଡାକ୍ତର ନିଯୁକ୍ତ ଥିବା ବେଳେ ବଳକା ୧୦୩ଟି ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଥିବା ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟରୁ ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.