ରାୟଗଡ,୨୯/୪ : ମାଡି ଆସୁଛି ସିଭିୟର ସାଇକ୍ଳୋନ “ଫନି” । ଆନ୍ଧ୍ର-ଓଡିଶା ସୀମାନ୍ତରେ ଏହା ଆସନ୍ତା ୩ତାରିଖରେ ସ୍ଥଳଭାଗକୁ ଛୁଇଁବା ପରେ ଏହା ପ୍ରବଳ ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏ ନେଇ ସୂଚନା ଜାରି କରିଥିବା ବେଳେ ରାଜ୍ୟ ସରକାରଙ୍କ ଏସଆରସି ବିଭାଗ ମଧ୍ୟ ଏ ଦିଗରେ ତତ୍ପରତା ଦେଖାଇ ପ୍ରଭାବିତ ଜିଲ୍ଳାଗୁଡିକର ଜିଲ୍ଳାପାଳଙ୍କୁ ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାୟଗଡ ଜିଲ୍ଳାରେ ଏହାର ପ୍ରଭାବ ସେତେ ଅଧିକ ନ ଥିଲେ ମଧ୍ୟ ଏହାକୁ ଦୃଷ୍ଟିରେ ରଖି ରାୟଗଡ ଜିଲ୍ଳା ପ୍ରଶାସନ ତରଫରୁ ବାତ୍ୟାକୁ ମୁକାବିଲା ନେଇ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଭିଡିଓ କନଫେରସିଂ ହଲରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ନିର୍ଦ୍ଦେଶ ଦେଲେ ଜିଲ୍ଳାପାଳ
ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ୱସାନ କେନ୍ଦ୍ରରୁ ଭିଡିଓ କନଫେରସିଂ ମାଧ୍ୟମରେ ବ୍ଳକ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଥିଲା । ଜିଲ୍ଳାର ସମସ୍ତ ୧୧ଗୋଟି ବ୍ଳକର ବିଡିଓ ଓ ତହସିଲଦାରମାନଙ୍କୁ ପ୍ରସ୍ତୁତି ରହିବା ସହ ଜରୁରୀକାଳନୀ ପରିଚାଳନା ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି । ଆସନ୍ତା ୧ତାରିଖରୁ ୩ତାରିଖ ମଧ୍ୟରେ କୈାଣସି ସରକାରୀ କର୍ମଚାରୀ ଛୁଟିରେ ଯାଇପାରିବେ ନାହିଁ ବୋଲି ଜିଲ୍ଳାପାଳ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଳା ଯୋଗାଣ ବିଭାଗ ତରଫରୁ ବିଚ୍ଛିନ୍ନ ଅଂଚଳରେ ତୁରନ୍ତ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ତଥା ଆନୁସାଙ୍ଗିକ ସାମଗ୍ରୀ ମହଜୁଦ୍ ରଖିବା ପାଇଁ ଆଦେଶ ଦିଆଯାଇଛି । ରାସ୍ତାଘାଟ ଓ ଗଛକାଟି ସଂଫା କରିବା ପାଇଁ ପୂର୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଅଗ୍ନିଶମ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରସ୍ତୁତ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପଶୁସଂପଦର ସୁରକ୍ଷା ଓ ଆକଳନ ପାଇଁ ପ୍ରାଣୀ ଚିକିତ୍ସା ବିଭାଗକୁ ଆବଶ୍ୟକ ଔଷଧ ମହଜୁଦ ରଖିବା ପାଇଁ କୁହାଯାଇଛି । ବିଶେଷ କରି ପ୍ରଭାବିତ ହେବାକୁ ଥିବା ଅଂଚଳଗୁଡିକର ଆଶ୍ରୟସ୍ଥଳୀଗୁଡିକରେ ଲୋକଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ଜିଲ୍ଳା ଗ୍ରାମ୍ୟ ଜଳ ଯୋଗାଣ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ସମୟରେ ଜୋରରେ ପବନ ବହିବା ଯୋଗୁଁ ଟେଲିକମ୍ ଓ ବିଦ୍ୟୁତ୍ ସେବାକୁ ବ୍ୟାହାତ ନ ହେବା ଭଳି ପଦକ୍ଷେପ ଗ୍ରହଣ କରିବାକୁ ଦୁଇଟି ବିଭାଗକୁ ବିଶେଷ ନଜର ଦେବାକୁ ଜିଲ୍ଳାପାଳ ଆଦେଶ ଦେଇଛନ୍ତି ।
ତିତିଲି ପରେ ଫନି : ସଂଚରୀ ଯାଉଛି ସାମାନ୍ୟ ଭୟ
ଜିଲ୍ଳାର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ପ୍ରଭାବିତ ଅଂଚଳରେ ଲୋକଙ୍କୁ ସାହାର୍ଯ୍ୟ ସେବା ଯୋଗାଇବା ପାଇଁ ଜିଲ୍ଳା ଶିକ୍ଷାଧିକାରୀ ଓ ଜିଲ୍ଳା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାୟଗଡ ଜିଲ୍ଳାର ବିଷମକଟକ ବ୍ଳକର କୁଟ୍ରାଗଡ, ଗୁଣପୁର ବ୍ଳକର ବିକ୍ରମପୁର ଓ ରାୟଗଡ ବ୍ଳକର ହାଟଶେଷଖାଲ ଠାରେ ମୁଖ୍ୟତଃ ୩ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଥିବା ବେଳେ ଜିଲ୍ଳାର ୧୧୭ଟି ସମ୍ଭାବ୍ୟ ପ୍ରଭାବିତ ଅଂଚଳର ବିଭିନ୍ନ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ବାତ୍ୟା ଆଶ୍ରୟସ୍ଥଳୀ ରହିଥିବା ଜରୁରୀକାଳୀନ ପରିଚାଳନା ବିଭାଗ ପକ୍ଷରୁ ସୂଚନା ମିିଳିଛି । ତେବେ ଗତ ୭ମାସ ତଳେ ରାୟଗଡ ଜିଲ୍ଳାରେ “ତିତଲି” ବାତ୍ୟାର କରାଳ ରୂପ ଏବେ ପର୍ଯ୍ୟନ୍ତ ଜିଲ୍ଳାବାସୀଙ୍କ ମନରୁ ଲିଭି ନ ଥିବା ବେଳେ “ଫନି” ସାମୁଦ୍ରିକ ଝଡବାତ୍ୟା ପୁଣି ମନରେ ଭୟ ସଂଚାର କରୁଥିବା ଜଣାପଡୁଛି ।
ପରିସ୍ଥିତିର ମୁକାବିଳା ପାଇଁ ପୁରା ପ୍ରସ୍ତୁତ ରାୟଗଡ ଜିଲ୍ଲା ପ୍ରଶାସନ
ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଳାପାଳ ସୁଧାକର ଶବର, ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିିତ ଋତୁରାଜ, ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ, ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ସର୍ବଣା ବିବେକ ଏମ. ,ଜରୁରୀକାଳନୀ ପରିଚାଳନା ବିଭାଗ ଅଧିକାରୀ ସୁବ୍ରତ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଳାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇