ବିଶିଷ୍ଟ ରାଜନେତା ଅର୍ଜ୍ଜନ ଚାନ୍ଦଙ୍କ ଦେହାନ୍ତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ରାଜନୀତିର ପିତାମହ ଭୀଷ୍ମ ବୋଲି କୁହାଯାଉଥିବା ବିଶିଷ୍ଟ ରାଜନେତା, ସମାଜସେବୀ ଅର୍ଜ୍ଜୁନ କୁମାର ଚାନ୍ଦ ଆଉ ନାହାନ୍ତି । ଆଜି (ବୁଧବାର) ଅପରାହ୍ନ ୨.୩୦ ସମୟରେ ନିଜ ବାସ ଭବନରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସହଧର୍ମିଣୀ ଦମୟନ୍ତୀ ଚାନ୍ଦ, ତାଙ୍କର ପାଞ୍ଚ ପୁଅ, ବୋହୁ, ନାତି, ନାତୁଣୀ ମାନେ ଉପସ୍ଥିତ ଥିଲେ । ବାର୍ଦ୍ଧକ୍ୟ ଜନିତ କାରଣରୁ ସେ ଦୀର୍ଘଦିନ ଧରି ଶଯ୍ୟାଶାୟୀ ଥିଲେ । ନର୍ଲା ବ୍ରାହ୍ମଣ କଟା ତାଙ୍କର ନିଜସ୍ୱ ଭୂମିରେ ତାଙ୍କର ଅନ୍ତିମ ସଂସ୍କାର ୬.୩୦ ବେଳେ କରାଯାଇଥିବା ଜଣାପଡିଛି ।

ନର୍ଲା ବ୍ଲକର ପ୍ରଥମ ଅଧ୍ୟକ୍ଷ, ଦୁଇ ଦୁଇ ଥର ବ୍ଲକ ଅଧ୍ୟକ୍ଷ, ନର୍ଲାର ପ୍ରଥମ ଜିଲ୍ଲା ପରିଷଦ ସଦସ୍ୟ ଓ ଗୋଟିଏ ଥର ନର୍ଲା ସରପଞ୍ଚ ରହିଥିଲେ । ନର୍ଲା ପାଇଁ ଅନେକ ବିକାଶ ମୂଳକ କାର୍ଯ୍ୟ କରିଯାଇଛନ୍ତି । ନର୍ଲାରେ ଶିକ୍ଷାର ବିକାଶ ପାଇଁ ନିଜସ୍ୱ ଉଦ୍ୟମରେ ନର୍ଲା ପଞ୍ଚାୟତ ସମିତି ହାଇସ୍କୁଲ ପ୍ରତିଷ୍ଠା କରିବାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା । ନର୍ଲା ବ୍ଲକ ଓ ଡାକ୍ତରଖାନା ନିର୍ମାଣ ପାଇଁ ସେ ଭୂମିଦାନ କରିଥିଲେ । ତାଙ୍କ ବିୟୋଗରେ ନର୍ଲାରେ ଶୋକର ଛାୟା ଖେଳିଯାଇଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ, ନର୍ଲା ବିଧାୟକ ଭୁପିନ୍ଦର ସିଂ, କଳାହାଣ୍ଡି ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ସରପଞ୍ଚ ତନୁଜା ହରପାଲ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.