ସନ୍ତୋଷ କର ପାଇଲେ ରାଜ୍ୟ କୃତୀ ଶିକ୍ଷକ ପୁରସ୍କାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡ଼ର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ୨୦୧୭ ମସିହା ପାଇଁ ରାଜ୍ୟ କୃତୀ ଶିକ୍ଷକ ପୁରସ୍କାର (ରାଜ୍ୟପାଳ ପୁରସ୍କାର)ରେ ସମ୍ମାନିତ କରାଯାଇଛି। ଆଜି ପବିତ୍ର ଉତ୍କଳ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଭବାନୀପାଟଣା ଟାଉନ ହଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦାନ କରି ଉତ୍କଳ ଦିବସର ଗୁରୁତ୍ୱାରୋପ କରିଥିଲେ। ବିଜ୍ଞାନ ଶିକ୍ଷକ ସନ୍ତୋଷ କରଙ୍କ ସମେତ ରାଜ୍ୟର ୫୭ ଜଣ କୃତି ଶିକ୍ଷକଙ୍କୁ ଏହି ସମ୍ମାନ ପ୍ରଦାନ କରା ଯାଇଛି। ଶ୍ରୀଯୁକ୍ତ କର ବିଜ୍ଞାନର ଜଟିଳ ବିଷୟକୁ ସ୍ବଳ୍ପ ମୂଲ୍ୟ ବା ବିନା ମୂଲ୍ୟର ଉପକରଣ ତିଆରି କରି ପିଲାଙ୍କୁ ବୁଝାଇବା, ବିଜ୍ଞାନ ଲେଖା, ବିଜ୍ଞାନ ସମ୍ପର୍କିତ ଦୃଶ୍ୟ ଶ୍ରାବ୍ୟ ସାମଗ୍ରୀ ପ୍ରସ୍ତୁତି ତଥା ସମାଜରେ ବୈଜ୍ଞାନିକ ଦୃଷ୍ଟିକୋଣର ପ୍ରଚାର ପ୍ରସାର ପାଈଁ କାର୍ଯ୍ୟ କରି ଆସୁଛନ୍ତି । ପୂର୍ବରୁ ସେ ଜଙ୍ଗଲ ପରିବେଶ ଓ ପାଣିପାଗ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ତରଫରୁ ଜାତୀୟ ପର୍ଯ୍ୟାବରଣ ମିତ୍ର ଶିକ୍ଷକ ପୁରସ୍କାର, ଏନ.ସି.ଇ.ଆର.ଟି ଦ୍ୱାର ଆୟୋଜିତ ବିଜ୍ଞାନ ମନ୍ଥନ କାର୍ଯ୍ୟକ୍ରମର ଏକାଡେମୀକ ବୋର୍ଡ ସଦସ୍ୟ, ଆନ୍ତର୍ଜାତିକ ବିଜ୍ଞାନ ମହୋତ୍ସବର କାର୍ଯ୍ୟକ୍ରମ ସଂଚାଳକ, ରାଜ୍ୟ ସରକାରଙ୍କ ତରଫରୁ ପ୍ରକୃତି ବନ୍ଧୁ, ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ତରଫରୁ ଶ୍ରେଷ୍ଠ ବିଜ୍ଞାନ ସଂଚାରକ, ପ୍ଲାଟିନମ ବିଜ୍ଞାନ କ୍ଲବ ସଦସ୍ୟ ଆଦି ଅନେକ ପୁରସ୍କାର ରେ ସମ୍ମାନିତ ହେଇଛନ୍ତି। ଏହା ବ୍ୟତିତ ବିଭିନ୍ନ ଭାରତ ଜ୍ଞାନ ବିଜ୍ଞାନ ସମିତି,  ଦେବଗିରି ସାଂସ୍କୃତିକ ଅନୁଷ୍ଠାନ, ପ୍ରତିଭା, ବୈଜ୍ଞାନିକ ଚର୍ଚ୍ଚା ଆଦି ଅନେକ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ହେଇଛନ୍ତି। ସେହିଭଳି ୨୦୧୭ ମସିହା ର ରାଜ୍ୟ କୃତି ଶିକ୍ଷକ ସମ୍ମାନ (ରାଜ୍ୟ ପାଳ ପୁରସ୍କାର ପ୍ରାପ୍ତ) ବୋର ଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସହଦେବ ବୁଦ୍ଧିଆଙ୍କୁ ପ୍ରଦାନ କରାଯାଇଛି। ଜଣେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରି ଶିକ୍ଷା ଓ ଶିକ୍ଷାର୍ଥୀ ଙ୍କର ବିକାଶ ସଙ୍ଗେ ସଙ୍ଗେ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ସର୍ବଦା ଚେଷ୍ଟା କରିଥିଲେ। ରାଜ୍ୟ ସ୍ତରରେ ସର୍ବ ଶ୍ରେଷ୍ଠ ବିଦ୍ୟାଳୟ ପରିଚାଳନା କମିଟି ପୁରସ୍କାର, ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ଓ ମୋ ସ୍କୁଲ ଅଭିଯାନ ରେ ମଧ୍ୟ ପୁରସ୍କୃତ ହେଇ ଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରେଇବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ନର୍ଲା କାହିଁକି କଳାହାଣ୍ଡି ଶିକ୍ଷକ ସମାଜ ପ୍ରତି ଗୌରବ ଆଣିଥିବା ନର୍ଲାରୋଡ଼ ଜୟଦୁର୍ଗା ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ଶ୍ରୀ କରଙ୍କୁ ତାଙ୍କ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ଶିକ୍ଷକ ସୁବାସ ଚନ୍ଦ୍ର ବରାଡ଼, ଶ୍ରୀ ଜେନା, କନହେଇ ଗୌଡ଼, ନାରାୟଣ ପଧାନ ଓ ଅନ୍ୟାନ୍ୟ ଷ୍ଟାଫ ଶୁଭେଚ୍ଛା ଜଣାଇଥିବା ବେଳେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ଡିଇଓ ସୁଶାନ୍ତ କୁମାର ଚୋପଦାର, ଏଡିଇଓ ଟେମଲାଲ ଦୁବେ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବିଡ଼ିଓ ବାସନ୍ତୀ ସେଠୀ, ବିଇଓ ତପିମଣି ଜାନୀ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହ ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.