ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷଙ୍କ ହସ୍ତକ୍ଷେପ ପରେ ପୁଲିସର ତନାଘନା ଆରମ୍ଭ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଚହକା ଗାଁର ଜେମା ସା(୩୮ ବର୍ଷ) ବୋଲି ଜଣେ ମହିଳା ଶତାଧିକ ମହିଳାଙ୍କୁ ଢାଲ କରି ଅଢେଇ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଉଠାଣ କରି ମୁମ୍ବାଇକୁ ଫେରାର ମାରିଛି । ମହିଳାମାନେ ଋଣ ନ ସୁଝିବାରୁ ଫାଇନାନ୍ସ କମ୍ପାନୀର ଜୁଲୁମ ଦେଖିବାକୁ ମିଳିଛି । ଏହି କମ୍ପାନୀର କର୍ମଚାରୀମାନେ ଘରକୁ ଘର ଯାଇ ମହିଳା ମାନଙ୍କୁ ଧମକ ଚମକ କରୁଛନ୍ତି । ଶତାଧିକ ମହିଳା ଅଛନ୍ତି, କେଉଁ ମହିଳାଙ୍କ ନାମରେ ୩ ଲକ୍ଷ ତ ଆଉ କାହାର ନାମରେ ୨ ଲକ୍ଷ ଏମିତି ଟଙ୍କା ଗଡୁଛି । ବର୍ତ୍ତମାନ ଜେମା ସା ଫେରାର ପରେ ମହିଳାମାନଙ୍କୁ ଟଙ୍କା ସୁଝିବା ପାଇଁ କମ୍ପାନୀ ମାନେ ଧରପଗଡ଼ କରୁଛନ୍ତି । ଅନ୍ୟ ପକ୍ଷରେ ଏହି ମହିଳାମାନେ କିଛି ଟଙ୍କାର ଲାଳସାରେ ଜେମାଙ୍କୁ ଋଣ ଟଙ୍କା ଉଠାଣ କରିଦେଇଥିବା କହିଛନ୍ତି । ଜେମାଙ୍କ ସ୍ୱାମୀ ବିରଞ୍ଚି ମୁମ୍ବାଇରେ ରହି ଅନେକ ବର୍ଷ ହେବ ମିସ୍ତ୍ରୀ କାମ କରି ଆସୁଥିବା ବେଳେ ଜେମା ମଧ୍ୟ ସ୍ୱାମୀ ପାଖକୁ ମୁମ୍ବାଇ ପଳାଇ ଥିବା ଲୋକେ ସନ୍ଦେହ କରୁଛନ୍ତି । ଏହି ଗ୍ରାମର ଭୂମି ମାଝୀ ମଧ୍ୟ ଜେମାଙ୍କୁ ଦେଢଲକ୍ଷ ଟଙ୍କା ଉଠାଣ କରିଦେଇଛନ୍ତି । ଭୂମିଙ୍କୁ ଦେଖିବା ପାଇଁ ତାଙ୍କ ମାଁ ପଦ୍ମା ମାଝୀ ଚହକାକୁ ଆସିଥିଲେ । ଫାଇନାନ୍ସ କମ୍ପାନୀର ଜୁଳୁମ ଦେଖି ଚିନ୍ତାରେ ଝିଅ ଘରେ ହିଁ ମୃତ୍ୟୁ ହୋଇଯାଇଛି । ସେହିଭଳି ଋଣ ବୋଝ ସୁଝି ନ ପାରି ୧୦ଟି ପରିବାର ବାହାର ରାଜ୍ୟକୁ ଚାଲି ଗଲେଣି । କମ୍ପାନୀର ଜୁଳୁମ ଏଭଳି ବଢି ଯାଇଛି ଯେ, ମହିଳା ମାନେ ଟଙ୍କା ନ ଦେଲେ ଘରେ ଥିବା ଛେଳି, କୁକୁଡ଼ା ଏବଂ ଅନ୍ୟ କୌଣସି ଜିନିଷ ଦେଖିଲେ ନେଇ କି ଚାଲି ଯାଉଛନ୍ତି । ଆଜି ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ ଗ୍ରାମବାସୀ ଅଭିଯୋଗ କରିବା ପରେ ଅଧ୍ୟକ୍ଷ ସଙ୍ଗେ ସଙ୍ଗେ ହସ୍ତକ୍ଷେପ କରି କଳାହାଣ୍ଡି ପୁଲିସ ସହିତ ଯୋଗାଯୋଗ କରି ଉକ୍ତ ଫେରାର ଥିବା ମହିଳାଙ୍କୁ ଧରିବାକୁ ନିବେଦନ କରିଥିଲେ । ଅନ୍ୟ ପକ୍ଷରେ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ପୁଲିସକୁ ଧରି ଚହକା ଗାଁକୁ ଆସି ଲୋକଙ୍କୁ ବୈଠକ ମାଧ୍ୟମରେ ସାନ୍ତନା ଦେଇଛନ୍ତି । କଳାହାଣ୍ଡି ଜିଲ୍ଲାର ଅର୍ଚ୍ଚନା ପରେ ସୁଚିସ୍ମିତାଙ୍କ ଚଞ୍ଚକତା ଘଟଣାଟି ଚର୍ଚ୍ଚାର ପରିଧିରେ ଥିବାବେଳେ ବର୍ତ୍ତମାନ ଏହି ଘଟଣାଟି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ।