ଥୁଆଙ୍ଗପଦର ଗାଁର ଛାତ୍ରଙ୍କ ଶବ ପୁରୁଣା ଅମ୍ବାଦଳା ରେଳ ଧାରଣାରୁ ଉଦ୍ଧାର

ରେଳବାଇ ପୁଲିସ ପକ୍ଷରୁ ତଦନ୍ତ ଜାରି, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଥୁଆଙ୍ଗପଦର ଗାଁର କୁନ୍ତ ମାଝୀ ନାମକ ଜଣେ ଛାତ୍ରଙ୍କ ଶବ ରାୟଗଡା ଜିଲ୍ଲା ଅମ୍ବାଦଳା ନିକଟସ୍ଥ ପୁରୁଣା ଅମ୍ବାଦଳା ନିକଟ ଦେଇ ଯାଇଥିବା ରେଳଧାରଣାରେ ପଡିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ଅମ୍ବାଦଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ହେଁ ରେଳବାଇ ଅଧୀନରେ ମାମଲା ଆସୁଥିବାରୁ ରେଳବାଇ ପୁଲିସକୁ ହସ୍ତାନ୍ତର କରାଯାଇଛି । ରେଳବାଇ ପୁଲିସ ପକ୍ଷରୁ ଶବ ଜବତ କରାଯାଇ ମୁନିଗୁଡାଠାରେ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ସୂଚନା ଅନୁଯାୟୀ, ମୃତ କୁନ୍ତ ମାଝୀ ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଥୁଆଙ୍ଗପଦର ଗାଁର ହୋଇଥିବାବେଳେ ଅମ୍ବାଦଳାସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନ୍ତେବାସୀ ଭାବେ ରହି ପାଠ ପଢୁଥିଲେ । ଆଜି ବିଦ୍ୟାଳୟର ହଷ୍ଟେଲରୁ କିଛି ଦୂରରେ ଥିବା ପୁରୁଣା ଅମ୍ବାଦଳା ରେଳ ଧାରଣାରେ ସନ୍ଦେହଜନକ ଭାବେ ତାଙ୍କ ଶବ ଉଦ୍ଧାର କରାଯାଇଥିବାବେଳେ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଭୂମିକା ଏବେ ସନ୍ଦେହଘେରରେ ରହିଛି । କାରଣ ସେପଟେ ରେଳଧାରଣାରେ ଶବ ପଡ଼ିଥିବାବେଳେ ଏପଟେ କିନ୍ତୁ ହଷ୍ଟେଲ ଏବଂ ବିଦ୍ୟାଳୟରେ କୁନ୍ତଙ୍କ ଉପସ୍ଥାନ ପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ସେହିପରି ମେଧାବୀ ଛାତ୍ର କୁନ୍ତଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପରିବାର ଓ ଗାଁରେ କାନ୍ଦବୋବାଳି ପଡିଥିବାବେଳେ ଆଜି ଅପରାହ୍ନରେ ଅତ୍ୟନ୍ତ ଶୋକାକୁଳ ପରିସ୍ଥିତିରେ ଗାଁ ମଶାଣିରେ ଶବ ସଂସ୍କାର କରାଯାଇଛି । ଏନେଇ ମୁନିଗୁଡା ରେଳବାଇ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଅପରପକ୍ଷରେ ମୃତ କୁନ୍ତ ମାଝୀଙ୍କ ବଡଭାଇ ରାମ ମାଝୀ ତାଙ୍କ ଭାଇକୁ ହତ୍ୟା କରି ରେଳଧାରଣାରେ ଫିଙ୍ଗି ଦିଆଯାଇଥିବା ନେଇ ଅଭିଯୋଗ କରିଛନ୍ତି । ଏହାସହିତ ବିଦ୍ୟାଳୟ ସୁପରିଣ୍ଟେଣ୍ଡେଣ୍ଟ ଏବଂ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ସେ ଦାବି କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.