ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ସମେତ ଅଙ୍ଗନୱାଡି କେନ୍ଦ୍ରକୁ ଅପ୍ରେଲ ୧୨ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି । ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରକୁ ଛୁଟି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପାନୀୟ ଜଳ ସୁପରିଚାଳନା ଓ କୋଭିଡ ପରିସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଜି ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବାରିପଦାରେ ସର୍ବାଧିକ ତାପମାତ୍ରା ୪୦.୬ ଡିଗ୍ରି ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ଵର ସମେତ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ବଢ଼ିଯାଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ଖରାର ପ୍ରକୋପକୁ ଦୃଷ୍ଟିରେ ରଖି ଆଜି (ମଙ୍ଗଳବାର) ଠାରୁ ସକାଳୁଆ ସ୍କୁଲ ଆରମ୍ଭ ହୋଇଥିଲା । ତେବେ ଆଗକୁ ପ୍ରବଳ ଗ୍ରୀଷ୍ମପ୍ରବାହ ହେବା ଆଶଙ୍କା କରି ଆସନ୍ତାକାଲିଠାରୁ ଅପ୍ରେଲ ୧୬ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଥିବା ଜଣାପଡ଼ିଛି ।