ପଛୁଆବର୍ଗଙ୍କ ସର୍ଭେ ନିମନ୍ତେ ତାଲିମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ପଛୁଆ ବର୍ଗ ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ଜାଣିବା ନିମନ୍ତେ ରାୟଗଡ଼ା ଜିଲ୍ଲାରେ ସର୍ଭେ କାର୍ଯ୍ୟ ଆରମ୍ଭ ହେବ । ରାୟଗଡ଼ା ବ୍ଲକ୍ ସଦଭାବନା ଗୃହ ଠାରେ ଏନୁମରେଟର ଓ ସୂପରଭାଇଜରଙ୍କ ନିମନ୍ତେ ତାଲିମ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ନୋଡାଲ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ରାୟଗଡ଼ା ବ୍ଲକ ତାଲିମ ଶିବିରରେ ଯୋଗଦେଇଥିଲେ । ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ଏହାର ଶୁଭାରମ୍ଭ କରିଥିଲେ । ଓଡ଼ିଶାରେ ପ୍ରଥମ ଥର ପାଇଁ ୨୦୮ଟି ପଛୁଆ ବର୍ଗର ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତି ଆଇ ସି ଆର ଫର୍ମ ମାଧ୍ୟମରେ ସର୍ଭେ କରାଯାଉଥିବାରୁ ଅଧିକ ଯତ୍ନବାନ ହେବା ନିମନ୍ତେ ଶ୍ରୀ ବେହେରା ସତର୍କ କରାଇଥିଲେ ।

ଏଥିରେ ବ୍ଲକ ନୋଡାଲ ଅଧିକାରୀ ତଥା ବିଡିଓ ଲକ୍ଷ୍ମୀନାରାୟଣ ସାବତ, ରାୟଗଡ଼ା ତହସିଲଦାର ତାପସ ରାଉତ, ଏବିଡ଼ିଓ କାଳୁ ଚରଣ ନାୟକ ଓ ଜିପିଇଓ ଗୋପାଳ ପଣ୍ଡା ସମ୍ବଳ ବ୍ୟକ୍ତି ଭାବେ ତାଲିମ ପ୍ରଦାନ କରିଥିଲେ ଓ ଶିକ୍ଷକ ନିଳାଞ୍ଚଳ ମିଶ୍ର ସହଯୋଗ କରିଥିଲେ । ଭିଡିଓ ମାଧ୍ୟମରେ ସର୍ଭେ ଫର୍ମ ପୂରଣ କୌଶଳ ଶିକ୍ଷା ଦେବା ସହ ସାମ୍ପୁଲ ସର୍ଭେ ଫର୍ମ ପୂରଣ ଅଭ୍ୟାସ କରାଯାଇଥିଲା । ତାଲିମକୁ ଅଧିକ ଫଳପ୍ରଦ କରିବା ନିମନ୍ତେ ଏନୁମରେଟର ଓ ସୂପରଭାଇଜରଙ୍କୁ ଏପ୍ରିଲ ୧୧ ଓ ୧୨ ଦୁଇଦିନ ଦୁଇଟି ଦଳରେ ତାଲିମ ପ୍ରଦାନ କରାଯାଉଥିବା ଏବଂ ରାୟଗଡ଼ା ବ୍ଲକର ୩୫ଗୋଟି ସର୍ଭେ ସେଣ୍ଟରରେ ୫୬ ଜଣ ଏନୁମରେଟର ସର୍ଭେ କାର୍ଯ୍ୟ କରିବେ, ଛଅ ଜଣ ସୁପରଭାଇଜର ଏହାର ତଦାରଖ କରିବେ ବୋଲି ବିଡିଓ ଲକ୍ଷ୍ମୀ ନାରାୟଣ ସାବତ କହିଛନ୍ତି । ଆସନ୍ତା ମେ ୧ ତାରିଖରୁ ଜିଲ୍ଲାରେ ସର୍ଭେ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ଆସନ୍ତା ଅପ୍ରେଲ ୨୧ ଓ ୨୪ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ ତାଲିମ ଅନୁଷ୍ଠିତ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ପ୍ରକାଶ କରିଛନ୍ତି । ସମସ୍ତ ପଛୁଆ ବର୍ଗର ବ୍ୟକ୍ତିଙ୍କ ପଞ୍ଜିକରଣ ନିମନ୍ତେ ଜନ ସଚେତନତା ସୃଷ୍ଟି ପାଇଁ ସମସ୍ତ ଗଣମାଧ୍ୟମକୁ ଶ୍ରୀ ବେହେରା ଅନୁରୋଧ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.