ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଦୀର୍ଘ ୧୦ ମାସ ପରେ ଖଲ୍ଲିକୋଟ ବ୍ଲକ, ରମ୍ଭା ଥାନା ଅନ୍ତର୍ଗତ କୋମାଣ୍ଡ ଗ୍ରାମର ନିଖୋଜ ମିଟୁ ବେହେରାଙ୍କ କଙ୍କାଳ, ମୋବାଇଲ, ବ୍ୟାଗ, ପୋଷାକ ସମେତ ଚପଲକୁ ଉକ୍ତ ଗ୍ରାମ ନିକଟସ୍ଥ ମଥଖୋଲ ଜଙ୍ଗଲ ଶିଖରରୁ ପୋଲିସ ଠାବ କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ, ଗତ ୨୦୨୨ ମସିହା ମେ ୩୦ ତାରିଖ ସାବିତ୍ରୀ ଅମାବାସ୍ୟା ବାସି କୋମାଣ୍ଡ ଗ୍ରାମର ବିପ୍ର ବେହେରାଙ୍କ ମଧ୍ୟମ ପୁତ୍ର ମିଟୁ ବେହେରା ସବୁଦିନ ପରି ରମ୍ଭା ଅଭିମୁଖେ ତାଙ୍କ ବାଇକରେ ବାହାରିଥିଲେ l କାରଣ ରମ୍ଭା ଟିପିଏସଓଡିଏଲ ରେ ଠିକା ବିଜୁଳି କର୍ମଚାରୀ ଭାବେ କାମ କରୁଥିଲେ l ଦୀର୍ଘ ତିନି ଦିନ ଧରି ମିଟୁ ଘରକୁ ନ ଫେରିବାରୁ ଘର ଲୋକ ବ୍ୟସ୍ତ ହୋଇ ବହୁ ଖୋଜାଖୋଜି ପରେ ସନ୍ଧାନ ନ ପାଇବାରୁ ଫୋନ ଯୋଗେ ଯୋଗାଯୋଗ କରି ବିଫଳ ହେବା ପରେ ଫୋନ ଲାଗି ନଥିଲା l ଘରର ଏକମାତ୍ର ରୋଜଗାରିଆ ପୁଅକୁ ନପାଇ ବାପା ମା ବନ୍ଧୁ ପରିଜନ ଭାଙ୍ଗି ପଡିବା ସହ ରମ୍ଭା ଥାନାର ଦ୍ୱାରସ୍ଥ ହୋଇଥିଲେ l ତେବେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ କରିଥିଲେ ମଧ୍ୟ ମିଟୁର କୌଣସି ପତ୍ତା ମିଳିନଥିଲା l ତେବେ ମଇ ୫ରେ ବଣିଆ ଜଙ୍ଗଲ ନିକଟରୁ ତାର ବାଇକ କୁ ଗ୍ରାମବାସୀ ମାନେ ଠାବ କରି ପୋଲିସକୁ ଜଣାଇବା ପରେ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଅନୁସନ୍ଧାନ କରିଥିଲେ l ତଥାପି କୌଣସି ନିଖୋଜ ସମ୍ପର୍କରେ ସୂଚନା ମିଳିନଥିବାରୁ ପରିବାର ଲୋକ ମାନେ ତତ୍କାଳୀନ ଏସପି ବ୍ରିଜେଶ ରାୟଙ୍କୁ ଭେଟି ଜଣାଇଥିଲେ l ପରେ ବଡଘାଟି ପାଖରୁ ଏକ କୂଅରୁ ଜଣେ ଯୁବକଙ୍କ ମୃତ ଦେହ ଠାବ ପରେ ଖଲ୍ଲିକୋଟ ପୋଲିସ ମିଟୁର ଶବ ଭାବି ସନ୍ଦେହ କରି ଡିଏନଏ ପରୀକ୍ଷା ପାଇଁ ପଠାଇଥିଲେ l ପୁଅର ମୃତୁରେ ମା’ ଚଂଚଳ ଶଯ୍ୟାଶାୟୀ ହୋଇପଡିଥିବା ବେଳେ ପରିବାର ଲୋକ ମିଟୁର ଫେରିବା ବାଟକୁ ଅନିଶା କରି ରହିଥିଲେ l ତେବେ ବୁଧବାର ଦିନ କାଜୁ ତୋଳାଳୀ ମାନେ ମଥା ଖୋଲ ଜଙ୍ଗଲରେ କାଜୁ ତୋଳୁ ଥିବା ବେଳେ କଙ୍କାଳ ଚପଲ ଓ ଅନ୍ୟାନ୍ୟ ଅସବାବ ଦେଖି ଗ୍ରାମରେ ଖବର କରିବା ପରେ ରମ୍ଭା ଥାନା ଅଧିକାରୀ ପି.ସ୍ୱରୂପ କିସାନ ଓ ଖଲ୍ଲିକୋଟ ଥାନାର ସେକେଣ୍ଡ ଅଫିସର ପାର୍ଥ ପ୍ରତିମା ଦେବତା ଓ ଅନ୍ୟାନ୍ୟ କର୍ମଚାରୀ ମାନେ କଙ୍କାଳ ଚପଲ ମୋବାଇଲ, ପୋଷାକ ପ୍ରଭୃତି ଜବତ କରି ଖଲ୍ଲିକୋଟ ଥାନାରେ ୮/୨୩ ରେ ଏକ ଅପମୃତୁ ମାମଲା ରୁଜ୍ଜୁ କରି ଜବତ କଙ୍କାଳକୁ ଏଫଏମଟିକୁ ପଠାଇଥିବା ଜଣାପଡିଛି l