ଆଇପିଏଲରେ ଗୋଟିଏ ଟିମ ପକ୍ଷରୁ ସର୍ବାଧିକ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଲେ ଧୋନୀ

ଓଡ଼ିଆ ବାର୍ତ୍ତା/ ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ବୁଧବାର ମହେନ୍ଦ୍ର ସିଂ ଧୋନୀ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଆଇପିଏଲରେ ଗୋଟିଏ ଟିମ ପକ୍ଷରୁ ସର୍ବାଧିକ ମ୍ୟାଚରେ ନେତୃତ୍ୱ ନେବାରେ ସେ ରେକର୍ଡ କରିଛନ୍ତି । ଧୋନୀ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ୨୦୦ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି । ବୁଧବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଟସ ପକାଇବା ପରେ ସେ ଏହି ଗୌରବ ଅର୍ଜନ କରିଥିଲେ । ଧୋନୀଙ୍କୁ ଏହି ଅବସରରେ ବିସିସିଆଇର ପୂର୍ବ ଅଧ୍ୟକ୍ଷ ଓ ଆଇସିସିର ପୂର୍ବତନ ଚେୟାରମ୍ୟାନ ଏନ.ଶ୍ରୀନିବାସନ ସମ୍ମାନିତ କରିଥିଲେ । ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଚାମ୍ପିୟନ ହୋଇଥିବା ବେଳେ ୫ଥର ରନର୍ସଅପ ହୋଇଛି । ଏହା ବ୍ୟତୀତ ୧୫ ଥର ଚେନ୍ନାଇ ଟିମ ପ୍ଲେଅଫରେ ପ୍ରବେଶ କରିଛି । ଓଭରାଲ ତାଙ୍କ ନେତୃତ୍ୱରେ ଦଳ ୧୨୦ରେ ବିଜୟୀ ହୋଇଥିବା ବେଳେ ୭୮ରେ ପରାଜୟବରଣ କରିଛି । ଧୋନୀଙ୍କ ପଛକୁ ରୋହିତ ଶର୍ମା ୧୪୬ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ଓ ବିରାଟ କୋହଲି ୧୪୦ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ନେତୃତ୍ୱ ନେଇଛନ୍ତି । ଧୋନୀ ଆଇପିଏଲରେ ୨୩୭ ମ୍ୟାଚରେ ୫୦୦୪ ରନ କରିଛନ୍ତି । ୨୦୨୦ରେ ସେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଧୋନୀ ୯୦ ଟେଷ୍ଟ, ୩୫୦ ଦିନିକିଆ ଓ ୯୮ ଟି୨୦ ଭାରତ ପକ୍ଷରୁ ଖେଳିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.