ରାୟଗଡାରେ ମହା ସମାରୋହରେ ପାଳିତ ହେଲା ଆମ୍ବେଦକର ଜନ୍ମ ଜୟନ୍ତି

ଜୟ ଭୀମ ନାରା ଏବଂ ବିଶାଳ ଶୋଭାଯାତ୍ରାରେ ଦୁଲକିଲା ରାୟଗଡା ସହର

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ‘ଜୟ ଭୀମ’ ନାରା ଓ ବିଶାଳ ଶୋଭାଯାତ୍ରାରେ ଆଜି ଦୁଲୁକି ଥିଲା ରାୟଗଡା ସହର । ଆଜି ଥିଲା ବାବାସାହେବ ଡଃ.ଭୀମାରାଓ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତି । ଆଉ ଏହି ଜୟନ୍ତିକୁ ବିଭିନ୍ନ ସଂଗଠନ ପକ୍ଷରୁ ମହା ସମାରୋହରେ ପାଳନ କରାଯାଇଛି । ଏହି କ୍ରମରେ ଆଦିବାସୀ ସମାଜ,ବାସସେଫ (କେ) ଦଳିତ,ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସମାଜ ରାୟଗଡା ଆନୁକୂଲ୍ୟରେ ଆମ୍ବେଦକର ଜୟନ୍ତି ଉତ୍ସବ ପାଳନ କମିଟି ସଭାପତି ଗଙ୍ଗାଧର ପୁଆଲାଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟକ ଆମ୍ବେଦକର ପ୍ରେମୀ ଭାଇଭଉଣୀମାନେ ରାୟଗଡା ସହରର ସ୍ଥାନୀୟ ଜିସିଡି ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ସାଧାରଣ ସଭାରେ ଏବଂ ରେଳବାଇ ଷ୍ଟେସନ ଛକ ଠାରୁ ସଭାସ୍ଥଳ ପର୍ଯ୍ୟନ୍ତ ଅନୁଷ୍ଠିତ ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ଜିସିଡି ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଳାପାଳ ସ୍ୱଧାଦେବ ସିଂ ଓ ସମ୍ମାଦୀତ ଅତିଥି ଭାବେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା,ମୁଖ୍ୟବକ୍ତା ଭାବେ ହରିଶ ଦୀପ ଏବଂ ପଙ୍କଜ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସମ୍ବିଧାନ ପ୍ରଣେତା ଡଃ.ଆମ୍ବେଦକରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଯୋଗୁଁ ଭାରତ ଦେଶର ସମ୍ବିଧାନ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ସମ୍ବିଧାନ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛି । ଫଳରେ ଆଜି ସମସ୍ତ ବର୍ଗର ଲୋକେ ସମାନ ଅଧିକାର ପାଇ ନିଜର ମୈାଳିକ ଅଧିକାର ପାଇବାରେ ସକ୍ଷମ ହୋଇପାରିଛନ୍ତି ବୋଲି ଜିଲ୍ଳାପାଳ ପ୍ରକାଶ କରିଥିବା ବେଳେ ଆମ୍ବେଦକରଙ୍କ ସଂଘର୍ଷମୟ ଜୀବନ ଓ ତାଙ୍କ ଅବଦାନକୁ ଚିର ସ୍ମରଣୀୟ ହୋଇ ରଖିବା ପାଇଁ ସାରା ଦେଶରେ ଏହି ଜୟନ୍ତିକୁ ପାଳନ କରାଯାଉଛି ବୋଲି ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶର୍ମା ପ୍ରକାଶ କରିଥିଲେ । ସେହିପରି ମୁଖ୍ୟ ବକ୍ତା ଶ୍ରୀ ଦୀପ ଓ ଶ୍ରୀ ନାୟକ ମଧ୍ୟ ବାବା ସାହେବଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ।

ଜିଲ୍ଳାର ବିଭିିନ୍ନ ବ୍ଳକରୁ ହଜାର ହଜାର ସଂଖ୍ୟକ ଲୋକେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଜୟନ୍ତି ପାଳନ କମିଟିର ଉପସଭାପତି ହରପ୍ରସାଦ ହେପ୍ରୁକା, କାର୍ଯ୍ୟକାରୀ ସଭାପତି ତାମାରାଓ ବିଡିକା, ଜନାର୍ଦ୍ଦନ ଗରଡାଙ୍କ ସମେତ ବହୁ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.