ସ୍ବାଗତଂ ଓଡ଼ିଆ ନବବର୍ଷ 

ସୁନୀଲ କୁମାର ଧଙ୍ଗଡାମାଝୀ 

ଯୁଗ ଯୁଗ ଧରି ଓଡ଼ିଆ ଜାତି ତା’ର କଳା, ସଂସ୍କୃତି ଓ ଧର୍ମାଚାର ଯୋଗୁଁ ଭାରତ କାହିଁକି ସାରା ବିଶ୍ବରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରି ଆସିଛି । ମହାବିଷୁବ ସଂକ୍ରାନ୍ତିକୁ ମେଷ (ପଣା) ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଇଥାଏ । ଏହିଦିନରୁ ଓଡ଼ିଆ ନବବର୍ଷର ପ୍ରାରମ୍ଭ ଭାବରେ ପାଳନ ହୋଇଥାଏ । ବୈଜ୍ଞାନିକ ମତାନୁସାରେ ଉତ୍ତର ଗୋଲାର୍ଦ୍ଧ ଏବଂ ଦକ୍ଷିଣ ଗୋଲାର୍ଦ୍ଧ ଭାବରେ ବିଷୁବ ରେଖା ପୃଥିବୀକୁ ଦୁଇଭାଗରେ ବିଭକ୍ତ କରିଛି । ଏହିଦିନ ସୂର୍ଯ୍ୟ ଦକ୍ଷିଣ ଗୋଲାର୍ଦ୍ଧରୁ ଉତ୍ତରକୁ ଗତିକରି ବିଷୁବ ରେଖା ଉପରେ ଅବସ୍ଥାନ କରିଥାନ୍ତି ଏବଂ ଧିରେ ଧିରେ ଉତ୍ତର ଗୋଲାର୍ଦ୍ଧରେ ସୂର୍ଯ୍ୟଙ୍କର ଆଗମନ ବଢ଼ିଚାଲିଥାଏ ।
ଆମ ଦେଶ ଭାରତ ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ ହୋଇଥିବାରୁ ଏହଠାରେ ସୂର୍ଯ୍ୟଙ୍କର କିରଣ ଧିରେ ଧିରେ ପ୍ରଖର ହେବାକୁ ଲାଗିଥାଏ । ବିଷୁବ ରେଖା ଉପରେ ସୂର୍ଯ୍ୟଙ୍କର ଅବସ୍ଥାନ ପାଇଁ ଏହି ଦିନ‌ଟିକୁ ବିଷୁବ ସଂକ୍ରାନ୍ତି ଭାବରେ ମଧ୍ୟ ଧରାଯାଏ । ଏହିଦିନ‌କୁ ଓଡ଼ିଶାରେ ବର୍ଷର ପ୍ରଥମ ଦିନ ଭାବରେ ଗଣନା କରାଯାଏ । ଏହି ଦିନ‌କୁ ମଧ୍ୟ ସୂର୍ଯ୍ୟଙ୍କର ଉତ୍ତରାୟନ ଭାବରେ କେତେକ ସ୍ଥାନରେ ପାଳନ କରାଯାଇଥାଏ ।
ମହାବିଷୁବ ସଂକ୍ରାନ୍ତି ଦିନ ଓଡ଼ିଶାର ବିଭିନ୍ନ ଦେବାଦେବୀଙ୍କ ପାଖରେ ପଣାଭୋଗ ଲାଗି ହେବାର ଦ୍ରଷ୍ଟବ୍ୟ ରହିଛି । ଏହିଦିନରେ ବାବା ଆଖଣ୍ଡଳମଣିଙ୍କ ନିକଟରେ ଭୋଗ ଲାଗୁଥିବା ପଣା ସମସ୍ତ ରିଷ୍ଟ ଖଣ୍ଡନ କରିବା ସ‌ହ ଏକ ଔଷଧି ଭାବରେ କାର୍ଯ୍ୟ କରେ ବୋଲି ବିଶ୍ୱାସ ରହିଛି । 
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବର୍ଷର ଗଣନା ପାଇଁ ସୌରମାନ ଗଣନା ଏବଂ ଚାନ୍ଦ୍ରମାନ ଗଣନା ଏଭଳି ଦୁଇଟି ପଦ୍ଧତି ରହିଅଛି । ସୌରମାନ ଗଣନାନୁଯାୟୀ ସୂର୍ଯ୍ୟଙ୍କ ସଂକ୍ରମଣ ଗତିକୁ ଲକ୍ଷ୍ୟ କରାଯାଇ ବର୍ଷ ଏବଂ ମାସର ଗଣନା କରାଗଲା ବେଳେ ଚାନ୍ଦ୍ରମାନ ପଦ୍ଧତିରେ ଚନ୍ଦ୍ରଙ୍କ କ୍ଷୟ ଏବଂ ବୃଦ୍ଧିକୁ ଲକ୍ଷ୍ୟ କରାଯାଇ ବର୍ଷ ଓ ମାସର ଗଣନାହୁଏ । ପୃଥିବୀରେ ଥିବା କ୍ରାନ୍ତିବୃତ୍ତକୁ ବାର ଭାଗରେ ବିଭକ୍ତ କରା ଯାଇ ଏହି ବାର ଭାଗକୁ ବର୍ଷର ବାରମାସ ହିସାବରେ ଗଣନା କରାଯାଇଥାଏ । ଜ୍ୟୋତିଷ ଶାସ୍ତ୍ରର ପଦ୍ଧତି ଅନୁସାରେ କ୍ରାନ୍ତି ବୃତ୍ତର ପ୍ରତ୍ୟେକ ଭାଗକୁ ଗୋଟିଏ ଗୋଟିଏ ରାଶିବୋଲି ଗଣନା କରାଯାଇଥାଏ ।
ନିୟମାନୁସାରେ ଆମର ବୈଶାଖ, ଜ୍ୟେଷ୍ଠ, ଆଷାଢ ଶ୍ରାବଣ, ଭାଦ୍ରବ, ଆଶ୍ୱିନ୍ନ, କାର୍ତ୍ତିକ, ମାର୍ଗଶୀର, ପୌଷ, ମାଘ, ଫାଲ୍ଗୁନ ଓ ଚୈତ୍ର ଏମିତି ବାରଟି ମାସକୁ ଜ୍ୟୋତିଷ ଶାସ୍ତ୍ରରେ କ୍ରମାନ୍ୱୟରେ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ,ମକର, କୁମ୍ଭ ଓ ମୀନ ପ୍ରଭୃତି ବାରଟି ରାଶିରେ ସୂଚିତ କରାଯାଇଥାଏ । ସୌରମାନ ଗଣନାନୁସାରେ ସୂର୍ଯ୍ୟ ଗୋଟିଏ ରାଶିରେ ଗୋଟିଏମାସ ଅବସ୍ଥାନ କରି ଅନ୍ୟରାଶିକୁ ଗମନ କରଥାନ୍ତି । ଅନ୍ୟ ରାଶିରେ ସୂର୍ଯ୍ୟଙ୍କ ଅବସ୍ଥାନର ପ୍ରଥମ ଦିନକୁ ସେହି ମାସର ପ୍ରଥମ ଦିନ ବା ସଂକ୍ରାନ୍ତି ବୋଲି ଧରାଯାଇଥାଏ । 
ବୃକ୍ଷମୂଳରେ ଜଳଦାନ କରିବାର ପ୍ରଥା ବୋଧହୁଏ ଆମ ସଂସ୍କୃତିରେ କାହିଁ କେଉଁ ଆବାହ‌ମାନ‌କାଳରୁ ରହିଆସିଛି । ପ୍ରାୟତଃ ପ୍ରତ୍ୟେକ ଘର ଆଗରେ ତୁଳସୀ ଚଉରାରେ ନିତିଦିନ ସକାଳେ ଲୋକେ ଜଳ ଢାଳିଥାନ୍ତି । ମାତ୍ର ଏହିଦିନ ତୁଳସୀଗଛ ସମେତ କିଛି ମାନସିକ ବୃକ୍ଷ ଯେପରିକି ବର-ଅଶ୍ୱତ‌ଥ୍ ଆଦି ଗଛମାନଙ୍କରେ ଜଳ ଅର୍ପଣ କରାଯାଇଥାଏ । ବୋଧ‌ହୁଏ ସୂର୍ଯ୍ୟଙ୍କର ପ୍ରଖର କିରଣ ଦାଉରୁ ଏହି ବୃକ୍ଷସବୁକୁ ରକ୍ଷା କରିବା ପାଇଁ ଏପରି କରାଯାଉଥାଇପାରେ ।
ମୁଖ୍ୟତଃ ବୈଶାଖ ପାଖ ସଂକ୍ରାନ୍ତିଠାରୁ ତୁଳସୀ ଗଛ ଉପରେ ଏବଂ ଅନ୍ୟାନ୍ୟ ଗଛ ଦେହରେ ଏକ ମାଟି ନିର୍ମିତ ଛୋଟ କଳସୀରେ ଛିଦ୍ର କରାଯାଇ ବିଭିନ୍ନ ଉପାୟରେ ସଂଯୋଗ କରାଯାଇଥାଏ । ଏହି କଳସୀରେ ଜଳଢାଳିବା ପରେ ସେହି ଛିଦ୍ର ଦେଇ ଧିରେ ଧିରେ ଜଳ ଗଛ ଉପରେ ପଡ଼ିଥାଏ, ଫଳରେ ଗଛଟି ଟାଣ ଖରାରେ ମଧ୍ୟ ସତେଜ ରହିଥାଏ ।
ଟାଣ ଖରାରେ ଗଛଟିକି କିଛି ଜଳ ଦେଇ ଆଶ୍ୱସ୍ତ ଅନୁଭବ କରାଉଥିବାରୁ ଅନେକ ପୁଣ୍ୟ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଏହିଦିନଠାରୁ ଗଛ ଉପରେ ଜଳଦାନ କରିବା ସ‌ହ ପୂର୍ବଜଙ୍କ ସମାଧି ଉପରେ ମଧ୍ୟ ଏହିଭଳି ଭାବରେ ଜଳଦାନ କରାଯାଇଥାଏ । ଆଉ କେତେକ ଘର ସାମ୍ନାରେ ମଧ୍ୟ ଜୀବଜନ୍ତୁଙ୍କ ପାଇଁ ଜଳଦାନର ବ୍ୟବସ୍ଥା କରାଯାଇଥାଏ । ଓଡ଼ିଆ ନବବର୍ଷ ଅବସରରେ ସମସ୍ତ ଓଡିଆଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।
ସଂପାଦକ, ଓଡ଼ିଆ ବାର୍ତ୍ତା
 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.