ନର୍ଲା ୱାର୍ଡ ସଭ୍ୟ ଉପନିର୍ବାଚନ; ୪ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ୪ ଗୋଟି ଗ୍ରାମ ପଂଚାୟତର ୪ ଗୋଟି ୱାର୍ଡରେ ସଭ୍ୟ/ ସଭ୍ୟା ପଦବୀ ପାଇଁ ଗତ ମଙ୍ଗଳବାର ୨ ତାରିଖରେ ଅନୁଷ୍ଠିତ ହୋଇଥିଲା ଉପନିର୍ବାଚନ । ଆଜି ଗୁରୁବାର ସକାଳ ୮ ଘଣ୍ଟା ସମୟରେ ନର୍ଲା ବ୍ଲକରେ ଭୋଟ ଗଣତି ପରେ ବିଜୟୀ ପ୍ରାର୍ଥୀ ଓ ପ୍ରାର୍ଥୀନୀଙ୍କ ନାମ ଘୋଷିତ ହୋଇଛି । ରୁପ୍ରା, ମାଣ୍ଡେଲ, ଭାନପୁର, ଗାଡେବନ୍ଧ ଗ୍ରାମ ପଞ୍ଚାୟତର ଗୋଟିଏ ଲେଖାଏଁ ୱାର୍ଡରେ ଅନୁଷ୍ଠିତ ହୋଇଥିଲା ଉପନିର୍ବାଚନ । ମାଣ୍ଡେଲ ଗ୍ରାମ ପଞ୍ଚାୟତର ୩ ନମ୍ବର ୱାର୍ଡରେ ରିଚେକର ଦୀପ (ଶଗଡ ଗାଡି ଚିହ୍ନ) ଓ ରୋହିତ ନାଗ (ନିକିତି ଚିହ୍ନ)ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା । ସେହିଭଳି ଗାଡେବନ୍ଧ ପଞ୍ଚାୟତର ୧୦ ନମ୍ବର ୱାର୍ଡରେ ସେବତୀ ରଣା ( ଶଗଡ ଗାଡି) ଓ ଲଳିତା ହରପାଲ (ନିକିତି)ଙ୍କ ମଧ୍ୟରେ, ସେହିଭଳି ରୁପ୍ରା ଗ୍ରାମ ପଞ୍ଚାୟତର ୭ ନମ୍ବର ୱାର୍ଡ ପାଇଁ ଗୋପାଳ ପୁଟେଲ (ଶଗଡ ଗାଡି) ଓ ବଳଦେବ ଭୋଇ (ନିକିତି), ଭାନପୁର ଗ୍ରାମ ପଞ୍ଚାୟତର ୧୨ ନମ୍ବର ୱାର୍ଡ ପାଇଁ ବିବତ୍ସ କୁମାର (ଶଗଡ ଗାଡି) ଓ ଭଗତ ନାଗ (ନିକିତି ଚିହ୍ନ)ଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହୋଇଥିଲା । ମାଣ୍ଡେଲ ଗ୍ରାମ ପଞ୍ଚାୟତ ର ୩ ନମ୍ବର ୱାର୍ଡରେ ରିଚେକର ଦୀପ ୩୦ ଖଣ୍ଡ ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ବନ୍ଦୀ ରୋହିତ ନାଗଙ୍କଙ୍କୁ ପରାଜିତ କରିଛନ୍ତି । ସେହିଭଳି ଗାଡେବନ୍ଧ ଗ୍ରାମ ପଞ୍ଚାୟତ ୧୦ ନମ୍ବର ୱାର୍ଡରେ ସେବତୀ ରଣା ୯୯ ଖଣ୍ଡ ଭୋଟ ପାଇଥିବା ବେଳେ ଲଳିତା ହରପାଲ ୪୦ ଖଣ୍ଡ ଭୋଟ ପାଇଛନ୍ତି । ରୁପ୍ରା ପଞ୍ଚାୟତର ୭ ନମ୍ବର ୱାର୍ଡ ବଳଦେବ ଭୋଇ ୧୪୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେହିଭଳି ଭାନପୁର ଗ୍ରାମ ପଞ୍ଚାୟତର ୧୨ ନମ୍ବର ୱାର୍ଡରେ ବିବତ୍ସ କୁମାର ୭୭ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ଭଗତ ନାଗଙ୍କ ଠାରୁ ୨୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ଘୋଷିତ ହୋଇଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ ନର୍ଲା ବ୍ଲକ ର ୧୨ ଗୋଟି ଗ୍ରାମ ପଞ୍ଚାୟତର ୧୪ ଗୋଟି ୱାର୍ଡ ସଭ୍ୟ/ସଭ୍ୟା ପଦବୀ ଖାଲି ପଡିଥିଲା । ସେଥିମଧ୍ୟରୁ ୧୦ ଗୋଟି ୱାର୍ଡ ସଭ୍ୟ/ସଭ୍ୟା ପଦବୀ ପାଇଁ ପ୍ରାର୍ଥୀ/ପ୍ରାର୍ଥୀନୀ ନିର୍ବାଚିତ ହୋଇ ସାରିଥିବା ବେଳେ ମଙ୍ଗଳବାର ୪ ଗୋଟି ୱାର୍ଡ ରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୧୦ ଗୋଟି ୱାର୍ଡରେ କେବଳ ଜଣେ ଲେଖାଏଁ ପ୍ରାର୍ଥୀ/ପ୍ରାର୍ଥୀନୀ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେହି ୱାର୍ଡ ଗୁଡିକରେ ଆଉ ଉପ ନିର୍ବାଚନ ହୋଇନି । ଏଠାରେ ପ୍ରକାଶ ଯୋଗ୍ୟ ଯେ ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତରେ ମୋଟ ୩୨୩ ଗୋଟି ୱାର୍ଡ ରହିଛି । ୩୦୯ ଗୋଟି ୱାର୍ଡରେ ଗତ ୨୦୨୨ ପଞ୍ଚାୟତରାଜ ନିର୍ବାଚନରେ ୩୦୯ ଗୋଟି ୱାର୍ଡ ପାଇଁ ୱାର୍ଡ ସଭ୍ୟ/ସଭ୍ୟା ନିର୍ବାଚିତ ହୋଇସାରିଛନ୍ତି । ୧୧ ଗୋଟି ଗ୍ରାମ ପଞ୍ଚାୟତରେ ଗୋଟିଏ ଲେଖାଏଁ ୱାର୍ଡ ସଭ୍ୟ/ସଭ୍ୟା ପଦବୀ ଖାଲି ପଡିଥିଲା । କେବଳ ଭାନପୁର ଗ୍ରାମ ପଞ୍ଚାୟତରେ ୩ ଗୋଟି ଏଭଳି ମୋଟ ୧୪ ଗୋଟି ୱାର୍ଡ ସଭ୍ୟ/ସଭ୍ୟା ପଦବୀ ଖାଲି ପଡିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.